ଆଇପିଏଲ୍-୧୬ର ରଙ୍ଗାରଙ୍ଗ ଉଦ୍ଘାଟନ

ଅହମଦାବାଦ, ୩୧ା୩ (ଏଜେନ୍ସି): ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ୧୬ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ମ୍ୟାଚ୍ ପୂର୍ବରୁ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ରଙ୍ଗାରଙ୍ଗ ଉଦ୍ଘାଟନୀ ସମାରୋହ ହୋଇଥିଲା । ଲକ୍ଷେ ୨୫ ହଜାର ଦର୍ଶକ ଷ୍ଟାଡିୟମ୍ରେ ଉପସ୍ଥିତ ଥିଲେ । ମନ୍ଦିରା ବେଦୀ ପ୍ରାୟ ୫୫ ମିନିଟ୍ ଧରି ଚାଲିଥିବା ଉଦ୍ଘାଟନୀ ସମାରୋହର ହୋଷ୍ଟ କରିଥିଲେ । ବଲିଉଡ୍ ଗାୟକ ଅରିଜିତ ସିଂହ, ଅଭିନେତ୍ରୀ ତମନ୍ନା ଭାଟିଆ ଓ ରଶ୍ମିକା ମନ୍ଧାନା ଧମାକାଦାର ପରିବେଷଣ କରିଥିଲେ ।
୨୦୧୮ ପରେ ପ୍ରଥମ ଥର ଉଦ୍ଘାଟନୀ ସମାରୋହ ହୋଇଥିଲା । ୨୦୧୯ରେ ଆଇପିଏଲ୍ର ଉଦ୍ଘାଟନୀ ସମାରୋହକୁ ବାତିଲ୍ କରାଯାଇଥିଲା । ଫୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍ପିଏଫ୍ ଯବାନଙ୍କ ପରିବାରକୁ ଉଦ୍ଘାଟନୀ ସମାରୋହର ଖର୍ଚ୍ଚ ବାବଦ ଅର୍ଥରାଶି ଦିଆଯାଇଥିଲା । ପରବର୍ତ୍ତୀ ତିନି ବର୍ଷ କରୋନା ଯୋଗୁଁ ଉଦ୍ଘାଟନୀ ସମାରୋହ ହୋଇ ନ ଥିଲା ।
ଲୋକପ୍ରିୟ ଗାୟକ ଅରିଜିତ ସିଂହଙ୍କ ପରିବେଷଣ ସହିତ ସମାରୋହ ଆରମ୍ଭ ହୋଇଥିଲା । ସେ କେସରିୟା, ଲହରା ଦୋ, ଅପନା ବନା ଲେ, ଝୁମେ ଜୋ ପଠାନ, ରାବତା, ଶିବାୟ, ଜିତେଗା ଜିତେଗା, ଚଢ଼େୟା ଡ୍ୟାନ୍ସ କା ଭୂତ, ରାବତା ଓ ଶୁଭାନଲ୍ଲହ ଭଳି ଗୀତ ଗାଇ ଥିଲେ । ସେ ପ୍ରାୟ ଅଧ ଘଣ୍ଟା ଯାଏଁ ନିଜ ଗୀତ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ଶ୍ରୀବଲ୍ଲୀ, ନାଟୁ ନାଟୁ ଓ ଢୋଲିଡ଼ା ଭଳି ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଏହା ପୂର୍ବରୁ ଅଭିନେତ୍ରୀ ତମନ୍ନା ପାଞ୍ଚ ମିନିଟ୍ ଯାଏଁ ତୁନେ ମାରୀ ଏଣ୍ଟ୍ରିୟାନ୍ ଓ ଚୌଗାଡ଼ା ତାରା ଭଳି ଗୀତରେ ନୃତ୍ୟ କରିଥିଲେ ।
ଟୁର୍ଣ୍ଣାମେଣ୍ଟରେ ହୋମ୍ ଆଣ୍ଡ ଆୱେ ଫର୍ମାଟ୍ ଯୋଗୁଁ ସମସ୍ତ ୧୦ ଟିମ୍ର ଅଧିନାୟକ ସମାରୋହରେ ସାମିଲ ହୋଇପାରି ନ ଥିଲେ । ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଚେନ୍ନାଇ ସୁପର୍କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *