୫ଠ ଲକ୍ଷ ପାଇଁ ନାବାଳକକୁ ହତ୍ୟା

ଝାରସୁଗୁଡ଼ା, ୨୯ା୩(ଆପ୍ର): ଝାରସୁଗୁଡ଼ାରୁ ଅପହରଣ କରାଯାଇଥିବା ନାବାଳକ ସମର୍ଥ ଅଗ୍ରୱାଲ (୧୫)ଙ୍କ ଅର୍ଦ୍ଧଦଗ୍ଧ ଶବ ପୁଲିସ ବରଗଡ଼ ଜିଲ୍ଲାରୁ ଉଦ୍ଧାର କରିଛି । ୫୦ ଲକ୍ଷ ଟଙ୍କା ପାଇଁ ଏହି ନାବାଳକଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରିଛନ୍ତି ଦୁଇ ଜଣ ବ୍ୟକ୍ତି । ଖାଲି ସେତିକି ନୁହେଁ, ହତ୍ୟା କରିବା ପରେ ସେମାନେ ନାବାଳକକୁ ପୋଡ଼ି ଦେଇଛନ୍ତି । ପିଲାଟିକୁ ଦୁଇ ବ୍ୟକ୍ତି ଟଙ୍କା ପାଇଁ ଝାରସୁଗୁଡ଼ାରୁ ଅପହରଣ କରିଥିବା ବେଳେ ତାଙ୍କୁ ବରଗଡ଼ରେ ମାରିଦେବା ପରେ ପୋଡ଼ି ଦେଇଛନ୍ତି । ଝାରସୁଗୁଡ଼ା ପୁଲିସ୍ ତଦନ୍ତ କରିବା ସହ ସିସିଟିଭି ଓ ଅନ୍ୟାନ୍ୟ ଜିନିଷକୁ ତର୍ଜମା କରି ୨ ଜଣଙ୍କୁ ଗିରଫ କରିଛି । ଘଟଣା ସଂପର୍କରେ ଝାରସୁଗୁଡ଼ା ଏସ୍ପି ସ୍ମିତ୍୍ ପରମାର ସୂଚନା ମଧ୍ୟ ଦେଇଛନ୍ତି ।
ମାର୍ଚ୍ଚ ୨୭ରେ ସରବାହାଲ କ୍ରିଷ୍ଣା ଏନ୍କ୍ଳେଭରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିଲା । ଏନେଇ ପରିବାର ଲୋକ ରାତି
ପ୍ରାୟ ୯ଟା ବେଳେ ଝାରସୁଗୁଡ଼ା ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ମିଳିବା ପରେ ପୁଲିସ୍ ପକ୍ଷରୁ ୩ଟି ଟିମ ଗଠନ କରାଯାଇଥିଲା ।
ତଦନ୍ତକାରୀ ଟିମ୍ ଟେକ୍ନିକାଲ ପ୍ରମାଣ ଓ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ତନତନ କରି ଯାଞ୍ଚ କରିଥିଲେ । ଏଥିସହ ପଡ଼ୋଶୀ ଜିଲ୍ଲାକୁ ମଧ୍ୟ ଗୋଟିଏ ଟିମ୍ ଯାଇଥିଲା । ତଦନ୍ତ ଚାଲିଥିବାବେଳେ ୨୮ ତାରିଖ ବିଳମ୍ବିତ ରାତିରେ ପୁଲିସ୍ ଦୁଇ ଅଭିଯୁକ୍ତ ଅମିତ କୁମାର ଶର୍ମା ଓ ଦିନେଶ ଅଗ୍ରୱାଲକୁ ଗିରଫ କରିଥିଲା । ଅମିତର ଘର ଝାରସୁଗୁଡ଼ା ବିଜୁ ନଗରରେ ହୋଇଥିବାବେଳେ ବ୍ରଜରାଜନଗରର ଗାନ୍ଧିଛକ ହେଉଛି ଦିନେଶ ଅଗ୍ରୱାଲର ଘର । ଏସ୍ପି ସ୍ମିତ୍ ପରମାର କହିଛନ୍ତି, ଅଭିଯୁକ୍ତ ଅମିତ ହେଉଛି ପୂରା ଘଟଣାର ମାଷ୍ଟରମାଇଣ୍ଡ । ସେ ସୁନିତ ଅଗ୍ରୱାଲଙ୍କ ପରିବାର ସହ ବେଶ ପରିଚିତ । ଏହାର ଫାଇଦା ନେଇ ସେ ଟଙ୍କା ହାସଲ କରିବା ଉଦେ୍ଦଶ୍ୟରେ ସୁନିତଙ୍କ ୧୫ ବର୍ଷୀୟ ପୁଅଙ୍କୁ ଅପହରଣ କରିଥିଲା । ଅମିତକୁ ସୁନିତଙ୍କ ପୁଅ ଜାଣିଥିବାରୁ ତା’ ସହ ଚାଲି ଯାଇଥିଲେ ।
ତେବେ ପିଲାଟିକୁ ପାଖରେ ପାଇବା ପରେ ଦୁଇ ଅଭିଯୁକ୍ତ ସୁନିତଙ୍କୁ ଫୋନ୍ କରି ୫୦ ଲକ୍ଷ ଟଙ୍କା ମାଗିଥିଲେ । ଏଥିସହ ପୁଲିସ୍କୁ କିଛି ନ କହିବାକୁ ଧମକ ଦେଇଥିଲେ । କିନ୍ତୁ ସୁନିତଙ୍କ ପରିବାର ଲୋକ ପୁଲିସ୍କୁୁ ଖବର ଦେଇଥିଲେ । ଏ ସମ୍ପର୍କରେ ଜାଣିପାରି ଅମିତ ଓ ଦିନେଶ ୨୭ ତାରିଖ ରାତିରେ ହିଁ ସମର୍ଥଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି । ଏହାପରେ ତାଙ୍କ ମୃତଦେହକୁ ସେମାନେ ବରଗଡ଼ରେ ପୋଡ଼ି ଦେଇଥିଲେ ।
ଦୁଇ ଅଭିଯୁକ୍ତ ଜେରା ବେଳେ ସେମାନଙ୍କ ଦୋଷ ସ୍ୱୀକାର କରି ସାରିଛନ୍ତି । ତଦନ୍ତ ବେଳେ କଲ ରେକର୍ଡ ଯାଞ୍ଚ କରାଯିବା ସହ ସିସିଟିଭି ଫୁଟେଜ, ଗୁଇନ୍ଦା ତଥ୍ୟ, ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଜିନିଷକୁ ବ୍ୟବହାର କରାଯାଇଥିଲା । ଏହାକୁ ଆଧାର କରି ପୁଲିସ୍ ଦୁଇ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ବୋଲି ଏସ୍ପି କହିଛନ୍ତି । ଅମିତ ଓ ଦିନେଶ ୫୦ ଲକ୍ଷ ପାଇଁ ଫୋନ କରିଥିଲେ । କିନ୍ତୁ ସୁନିତ ଏହା ଉପରେ କୌଣସି ପଦକ୍ଷେପ ନେବା ପୂର୍ବରୁ ସମର୍ଥକଙ୍କ ହତ୍ୟା ହୋଇ ସାରିଥିଲା । ସିସିଟିଭିରୁ ଜଣାପଡ଼ିଛି ଯେ ସମର୍ଥ ନିଜର ଇଲେକ୍ଟ୍ରିକ ବାଇକରେ ଘରୁ ବାହାରିଥିଲେ । ଅଧା ବାଟରେ ହିଁ ଅଭିଯୁକ୍ତ ଅମିତ ସହ ତାଙ୍କର ଦେଖା ହୋଇଥିଲା । କିଛି କଥାବାର୍ତ୍ତା ପରେ ଉଭୟ ସେହି ଗାଡ଼ିରେ ଯାଇଥିଲେ । ଏହାପରେ ସୁନିତଙ୍କ ପାଖକୁ ଅପହରଣ ନେଇ ଫୋନ୍ ଆସିଥିଲା । ଅପହରଣ ପଛରେ କେବଳ ଟଙ୍କା ନା ଆଉ କିଛି କାରଣ ରହିଛି, ତା’ର ତଦନ୍ତ ଜାରି ରହିଥିବା ସ୍ମିତ୍ ପରମାର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *