ସଂସଦରେ ପହଞ୍ଚିଲେ ରାହୁଲ
ନୂଆଦିଲ୍ଲୀ (ଏଜେନ୍ସି): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ସହ ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବି ନେଇ ଉଭୟ ଗୃହରେ ବିରୋଧୀଙ୍କ ଆନେ୍ଦାଳନ ଥମିବାର ନାମ ନେଉନି । ଅନ୍ୟପଟେ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଆଜି ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଛନ୍ତି । ସିପିପି କାର୍ଯ୍ୟାଳୟରେ ଲୋକସଭା ଓ ରାଜ୍ୟସଭାର କଂଗ୍ରେସ ସାଂସଦଙ୍କ ବୈଠକରେ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ସାବରକର ବିବାଦକୁ ନେଇ ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ମଧ୍ୟ ଭେଟିଥିଲେ । କୁହାଯାଉଛି ଯେ ସାବରକରଙ୍କ ପ୍ରସଙ୍ଗରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବୁଧବାର ସଞ୍ଜୟଙ୍କୁ ସାକ୍ଷାତ କରିଥିଲେ । ଏହାପରେ ସଞ୍ଜୟ ଟ୍ୱିଟ୍ କରି କହିଛନ୍ତି ଯେ ସବୁକିଛି ଠିକ୍ ଅଛି ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ । ରାଉତ ଟ୍ୱିଟ୍ କରି କହିଛନ୍ତି, ଆଜି ସୋନିଆ ଗାନ୍ଧୀଜୀ ଏବଂ ରାହୁଲ ଗାନ୍ଧୀଜୀଙ୍କୁ ଭେଟିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସବୁକିଛି ଠିକ୍ ଅଛି, ଏଥିରେ ଚିନ୍ତା କରିବାର କିଛି ନାହିଁ । ଉଲ୍ଲେଖ ଥାଉ କି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାବରକର ଟିପ୍ପଣୀ ପାଇଁ ମହାରାଷ୍ଟ୍ର ଅଘାଡ଼ି ମେଣ୍ଟରେ ବିବାଦ ଦେଖାଦେଇଥିଲା । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାହୁଲଙ୍କ ସାବରକର ଟିପ୍ପଣୀ ପାଇଁ ତାଙ୍କୁ ଚେତାବନୀ ଦେଇଥିଲେ । ତେବେ ଏନ୍ସିପି ସୁପ୍ରିମୋ ଶରଦ ପାୱାର ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିଥିଲେ । ଶ୍ରୀ ପାୱାର ରାହୁଲ ଗାନ୍ଧିଙ୍କୁ ଏନେଇ ପରାମର୍ଶ ଦେଇଥିଲେ । ପାୱାର ବୁଝାଇବା ପରେ ରାହୁଲ ସାବରକରଙ୍କୁ ନେଇ ଆଉ କୌଣସି ଟିପ୍ପଣୀ ଦେବେନାହିଁ ବୋଲି କହିଥିଲେ ।