ଏପ୍ରିଲ୍ରୁ ଜରୁରୀ ଔଷଧ ମହଙ୍ଗା

ତାଲିକାରେ ୩୮୪ ଅତ୍ୟାବଶ୍ୟକ ଔଷଧ
ଆଣ୍ଟିବାୟୋଟିକ୍ ଦର ବି ବଢ଼ିବ
ନୂଆଦିଲ୍ଲୀ, ୨୮ା୩: ଏପ୍ରିଲ ୧ରୁ ଲୋକେ ଆଉ ଏକ ମହଙ୍ଗା ବୋଝ ବୋହିବେ । ସମସ୍ତ ଅତ୍ୟାବଶ୍ୟକ ବା ଜରୁରୀ ଔଷଧର ଦାମ୍ ବଢିଯିବ । ସେଥିରେ ପାରାସିଟାମଲ, ପେନ୍କିଲରଠାରୁ ଆରମ୍ଭ କରି ଆଣ୍ଟିବାୟୋଟିକ୍, ହୃଦ୍ରୋଗ ଔଷଧ ଅନ୍ତର୍ଭୁକ୍ତ । ଔଷଧ କମ୍ପାନୀମାନେ ଅନେକ ଦିନ ହେଲା ଦର ବୃଦ୍ଧି ଦାବି କରିଆସୁଥିଲେ । ବାର୍ଷିକ ହୋଲ୍ସେଲ୍ ପ୍ରାଇସ୍ ଇଣ୍ଡେକ୍ସ (ଡବ୍ଲୁ୍ୟପିଆଇ)ରେ ପରିବର୍ତ୍ତନ ଅନୁଯାୟୀ ଔଷଧ କମ୍ପାନୀମାନଙ୍କୁ ଦର ବୃଦ୍ଧି ପାଇଁ ସରକାର ଅନୁମତି ଦେବାକୁ ଯାଉଛନ୍ତି । ଔଷଧ ମୂଲ୍ୟ ନିୟାମକ ନାସ୍ନାଲ୍ ଫାର୍ମାସିଟୁ୍ୟକାଲ୍ ପ୍ରାଇସିଂ ଅଥରେଟୀ (ଏନ୍ପିପିଏ) ପକ୍ଷରୁ କୁହାଯାଇଛି, ସରକାରଙ୍କ ଦ୍ୱାରା ଅଧିସୂଚୀତ ଡବ୍ଲୁ୍ୟପିଆଇରେ ବାର୍ଷିକ ପରିବର୍ତ୍ତନ ଆଧାରରେ ଔଷଧ ଦାମ୍ ବଢିପାରେ ।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମହାମାରୀ ତଥା ଅନ୍ୟାନ୍ୟ କାରଣରୁ ଚୀନ୍ରୁ କଞ୍ଚାମାଲ୍ ଆସି ନ ପାରିବା ଏବଂ ଜର୍ମାନ ଓ ସିଙ୍ଗାପୁରରୁ ଚଢା ଦରରେ କଞ୍ଚାମାଲ ଆମଦାନୀ କରାଯିବା କାରଣରୁ ୮୭୫ ଔଷଧର ଦାମ୍ ୧୨ ପ୍ରତିଶତରୁ ଅଧିକ ବଢିଥିଲା । ଆସନ୍ତା ମାସରୁ ଅତ୍ୟାବଶ୍ୟକୀୟ ଔଷଧ କେତେ ବଢିବ ଜଣାପଡିନାହିଁ । ତେବେ ଗତବର୍ଷ ଅତ୍ୟାବଶ୍ୟକ ଔଷଧ ତାଲିକାଭୁକ୍ତ ୩୮୪ ଔଷଧର ମୂଲ୍ୟ ବଢିବା ଅନୁମାନ କରାଯାଉଛି । ଯେଉଁସବୁ ଔଷଧ ଅଧିକ ଫଳପ୍ରଦ ତଥା ନିରାପଦ, ସେଗୁଡିକୁ ଅତ୍ୟାବଶ୍ୟକ ଔଷଧର ରାଷ୍ଟ୍ରୀୟ ତାଲିକାରେ ସାମିଲ କରାଯାଇଥାଏ । ଏଗୁଡିକର ମୂଲ୍ୟ ନିୟନ୍ତ୍ରଣ ସରକାରଙ୍କ ହାତରେ ଥାଏ । କମ୍ପାନୀମାନେ ବର୍ଷକରେ ଅତିବେଶୀରେ ଏହାର ଦାମ ୧୦% ବଢାଇପାରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *