ବିରଳାଙ୍କ ବିରୋଧରେ ଆସିବ ଅନାସ୍ଥା

ନୂଆଦିଲ୍ଲୀ, ୨୮ା୩: ଗତ କିଛି ଭିତରେ କଂଗ୍ରେସର ବରିଷ୍ଠ ନେତାମାନେ ଅନ୍ୟ ବିରୋଧୀ ଦଳ ସହ ଆଲୋଚନା କରିବା ପରେ ଏବେ ଏଜେଣ୍ଡା ସ୍ଥିରୀକୃତ ହୋଇଛି । ସବୁ ବିରୋଧୀ ଦଳଙ୍କୁ ଏକଜୁଟ କରାଇବାରେ ଲାଗିପଡ଼ିଥିବା କଂଗ୍ରେସ ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି । ସୂତ୍ର ଅନୁଯାୟୀ ଅନାସ୍ଥା ସମ୍ପର୍କରେ କଂଗ୍ରେସ ସଂସଦୀୟ ଦଳ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ଖୁବ୍ଶୀଘ୍ର ଅନ୍ୟ ବିରୋଧୀ ଦଳମାନଙ୍କ ନିକଟରେ ଏହାକୁ ପେସ୍ କରାଯିବ । କଂଗ୍ରେସ ସୂତ୍ର ଅନୁଯାୟୀ, ଆସନ୍ତା ସୋମବାର ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ।
ରାଜ୍ୟସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଏକ ବୈଠକ ଡକାଯାଇଥିଲା ସେଥିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଟିଏମ୍ସି, ଏନ୍ସିପି ସମେତ ଅନେକ ବିରୋଧୀ ଦଳର ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ । ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ପକ୍ଷର ରଣନୀତି କ’ଣ ହେବ ତା’ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ମୁଖ୍ୟତଃ ରାହୁଲଙ୍କ ଅଯୋଗ୍ୟତା, ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯିବା ଓ ଅଡାନୀ ଗ୍ରୁପ୍ ବିରୋଧରେ ଆସିଥିବା ଅଭିଯୋଗ ଗୁଡ଼ିକର ଯୁଗ୍ମ ସଂସଦୀୟ ସମିତି (ଜେପିସି) ଦ୍ୱାରା ତଦନ୍ତ କରାଯିବା ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବାର ରଣକୌଶଳ ଉପରେ ଚର୍ଚ୍ଚା କରାଯାଇଥିଲା । କଂଗ୍ରେସ ପକ୍ଷରୁ ମତ ଦିଆଯାଇଥିଲା ଯେ, ଦୌରା ଅଦାଲତଙ୍କ ଦଣ୍ଡାଦେଶର କୌଣସି ଗୁରୁତ୍ୱ ନାହିଁ । ରାହୁଲ ଗାନ୍ଧି ଏହା ବିରୋଧରେ ଉପର କୋର୍ଟରେ ଅପିଲ କରିବେ ।
କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଜୟରାମ ରମେଶ କହିଥିଲେ, ଆସନ୍ତା ତିରିଶି ଦିନ ଭିତରେ ଦେଶର ବ୍ଲକ୍, ରାଜ୍ୟ ଓ ରାଷ୍ଟ୍ରୀୟସ୍ତରରେ କଂଗ୍ରେସ ନେତା ଓ କର୍ମକର୍ତ୍ତାମାନେ ‘ଜୟ ଭାରତ ସତ୍ୟାଗ୍ରହ’ରେ ଯୋଗ ଦେବେ । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ବୈଠକର ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ସାଂସଦ ଓ ନେତାମାନେ ସନ୍ଧ୍ୟା ୭ଟା ବେଳେ ଲାଲ୍କିଲାରୁ ଟାଉନ୍ହଲ୍ ପର୍ଯ୍ୟନ୍ତ ‘ଗଣତନ୍ତ୍ର ବଞ୍ଚାଅ’ ମଶାଲ ଶାନ୍ତି ଶୋଭାଯାତ୍ରା ଆରମ୍ଭ କରିଥିଲେ କିନ୍ତୁ ପୁଲିସ ସେମାନଙ୍କୁ ବାଧା ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *