ରାଗିଂ: ଜୀବନ ହାରିଲେ ଛାତ୍ରୀ
ଦାନଗଦି, ୨୮ା୩(ଆପ୍ର): ପୁଣି ରାଗିଂ ପାଇଁ ଯାଇଛି ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ । ଯାଜପୁର ସରକାରୀ ପଲିଟେକ୍ନିକ୍ ବିରଜା ଗର୍ଲସ୍ ହଷ୍ଟେଲରୁ ଜଣେ ତୃତୀୟ ଇଲେକ୍ଟ୍ରିକାଲ୍ସ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ବେକରେ ଓଢଣି ଲଗାଇ ନିଜ ରୁମ୍ରେ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ରୋଜାଲିନ୍ ପାତ୍ର । ସେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗ୍ରାମ ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ( ୧୮) ବୋଲି ଜଣାପଡିଛି । ରୁମ୍ମେଟ୍ ଓ ଅନ୍ୟ କିଛି ଛାତ୍ରୀଙ୍କ ଦ୍ୱାରା ରାଗିଙ୍ଗ୍ର ଶିକାର ହୋଇ ହୋଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋାଗ କରିଛନ୍ତି । ରୋଜାଲିନ ୪ଟି କ୍ୟାମ୍ପସ୍ ପାଇଥିଲେ । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି କଲେଜର ଅଧକ୍ଷ ରାଜେନ୍ଦ୍ର ପୃଷ୍ଟି ସୂଚନା ଦେଇଛନ୍ତି । କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରି ନ ଥିବା ବେଳେ ପରିବାର ଲୋକେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ସେ ଫୋନରେ ଘରକୁ ଜଣେଇଥିବା କହିଛନ୍ତି । ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଘଟଣାସ୍ଥଳରେ କୋରେଇ ଥାନା ଆଇଆଇସି ସଂଘମିତ୍ରା ମଲିକ ଓ ଯାଜପୁର ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ।
ଛାତ୍ରୀଙ୍କ ରୁମ୍ରୁ ଆତ୍ମହତ୍ୟା ପୂର୍ବର ଏକ ଚିଠି ମିଳିଛି । ଚିଠିରେ ଉଲ୍ଲେଖ ରହିଛି ଯେ ମତେ କ୍ଷମା କରିଦେବ ବାପା-ମାଆ । ଯେଉଁ ଲକ୍ଷ୍ୟ ନେଇ ଆସିଥିଲି ପୂରା କରିପାରିଲିନି । ସେହି ରୁମ୍ରୁ ଚିଠିଟି ମିଳିଥିଲେ ମଧ୍ୟ ହସ୍ତାକ୍ଷର କାହାର ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ । ଅନ୍ୟପଟେ ଦାନଗଦି ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପାର୍ଟ ଆସିଲା ପରେ ଆତ୍ମହତ୍ୟା ନା ହତ୍ୟା ଜଣାପଡ଼ିବ ।