ଭୁଟାନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ଉଦ୍ବେଗ
ନୂଆଦିଲ୍ଲୀ (ଏଜେନ୍ସି): ଡୋକଲାମ୍ରେ ଭାରତ-ଚାଇନା ସୈନ୍ୟ ମୁହାଁମୁହିଁ ହେବାର ୬ ବର୍ଷ ପରେ ଭୁଟାନ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଭାରତରେ ଉଦ୍ବେଗ ସୃଷ୍ଟି କରିଛି ।
ବେଲ୍ଜିଆନ୍ ଖବରକାଗଜ ‘ଲା ଲିବରେ’କୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ କ୍ହିଛନ୍ତି, ଡୋକଲାମ ବିବାଦ ସମାଧାନର ପନ୍ଥା ନିର୍ଦ୍ଧାରଣରେ ଭାରତ ପରି ଚୀନ୍ର ମଧ୍ୟ କହିବାର ଅଧିକାର ରହିଛି । କେବଳ ଏକୁଟିଆ ଭୁଟାନ ବିବାଦର ସମାଧାନ କରିପାରିବ ନାହିଁ । ଆମକୁ ମିଶାଇ ତିନି ପକ୍ଷ ରହିଛନ୍ତି । କେହି ବଡ଼ କିମ୍ବା ଛୋଟ ଦେଶ ନୁହନ୍ତି, ତିନି ସମାନ ଦେଶ ଏବଂ ଡୋକଲାମ ବିବାଦରେ ପକ୍ଷ ଅଛନ୍ତି ।
ସମ୍ବେଦନଶୀଳ ସିଲିଗୁଡ଼ି କରିଡର୍କୁ ଲାଗିଥିବା ଡୋକଲାମକୁ କେନ୍ଦ୍ରକରି ଭାରତ ଓ ଚୀନ ମଧ୍ୟରେ ବର୍ଷବର୍ଷ ଧରି ବିବାଦ ଲାଗି ରହିଛି । ଏଠାରେ ବେଆଇନଭାବେ ଚୀନ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ ଚଳାଇଛି । ଏହି ପରିପ୍ରେକ୍ଷୀରେ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଭାରତ ନିମିତ୍ତ ଆହୁରି ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଭାରତ, ଚୀନ ଓ ଭୁଟାନ ସୀମାକୁ ଲାଗି ଡୋକଲାମ୍ ଅବସ୍ଥିତ । ତିନି ଦେଶ ସୀମାକୁ ଲାଗିଥିଲେ ବି ଏହା ଭାରତର ଏକ ଅଂଶ । ଭାରତ ମଧ୍ୟ ଏହା ଉପରେ ପୂର୍ଣ୍ଣ କର୍ତ୍ତୃତ୍ୱ ଜାହିର କରିଛି । କିନ୍ତୁ ଚୀନ ବାରମ୍ବାର ଡୋକଲାମରେ ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛି । ୨୦୧୭ରେ ଉଭୟ ପକ୍ଷର ସେନା ଏଠାରେ ମୁର୍ହାମୁହିଁ ହୋଇଥିଲେ ଓ ଏହି ସ୍ଥିତି ପ୍ରାୟ ଦୁଇମାସ ଧରି ଚାଲିଥିଲା । ଭାରତ ଏହାକୁ ନିଜର ଅଂଶ ବୋଲି ଦାବି କରୁଛି । ହେଲେ ପ୍ରଧାନମନ୍ତ୍ରୀ ସେରିଙ୍ଗଙ୍କ ଉପରୋକ୍ତ ମନ୍ତବ୍ୟରୁ ଏହା ଜଣାପଡ଼ୁଛି, ଚୀନର ବେଆଇନ ଦଖଲରେ ଥିବା ଡୋକଲାମ୍ର ଅଂଶ ଭୁଟାନର ନୁହେଁ । ତାଙ୍କ ମନ୍ତବ୍ୟ ଉକ୍ତ ଅଞ୍ଚଳ ଉପରେ ତିନି ରାଷ୍ଟ୍ରର ଅଧିକାର ଥିବା ଇଙ୍ଗିତ କରୁଛି । ଡୋକଲାମ୍ ପ୍ରସଙ୍ଗ ସମାଧାନରେ ଚୀନ ଓ ଭୁଟାନର ଭୂମିକା ଉପରେ ସେରିଙ୍ଗ ସୂଚାଉ ଥିବା ଚୀନ ଉପରେ ବିଶେଷ ଅଭିଜ୍ଞତା ଥିବା ଡ. ବ୍ରହ୍ମା ଚେଲେନି କହିଛନ୍ତି ।