ବିରୋଧୀଙ୍କ ବ୍ଲାକ୍ ପ୍ରୋଟେଷ୍ଟ

ନୂଆଦିଲ୍ଲୀ, ୨୭ ।୩: ଅଡ଼ାଣୀ ମାମଲା ତଥା ରାହୁଳ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପ୍ରସଙ୍ଗ ନେଇ ବିରୋଧୀ ଦଳମାନେ ସୋମବାର ସଂସଦ ଭିତରେ ଓ ବାହାରେ ବ୍ଲାକ୍ ପ୍ରୋଟେଷ୍ଟ କରିଛନ୍ତି । ୧୭ଟି ବିରୋଧୀ ଦଳ ଏବେ ଏକଜୁଟ ହୋଇଛନ୍ତି । ସେମାନେ କଳା ପୋଷାକ ପିନ୍ଧି ସଦନରେ ପହଞ୍ଚôଥିଲେ । ସୋନିଆ ଗାନ୍ଧି ଓ ନ୍ୟାସନାଲ କନ୍ଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ମଧ୍ୟ କଳାପୋଷାକ ପିନ୍ଧିଥିଲେ ।
ଲୋକସଭାରେ ବିରୋଧୀ ସାଂସଦମାନେ ସୋମବାର ଖୁବ୍ ହଙ୍ଗାମା କରିଥିଲେ । ଜଣେ ସାଂସଦ ବାଚସ୍ପତି ଓମ୍ ବିରଳାଙ୍କ ଆସନ ପର୍ଯ୍ୟନ୍ତ ପହଞ୍ଚô କଳା କପଡ଼ା ହଲାଇଥିଲେ । କେତେକ ସାଂସଦ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ । ଆଉ କେତେକ ସାଂସଦ କାଗଜ ଚିରି ଉପରକୁ ଉଡ଼ାଇବା ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୧ଟାବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏପରି ହଙ୍ଗାମା ଆରମ୍ଭ ହେବା ଦେଖି ବାଚସ୍ପତି ଗୃହକାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ରାଜ୍ୟସଭାରେ ଅର୍ଥବିଲ୍ ୨୦୨୩କୁ ବିନା ଆଲୋଚନାରେ ଗୋଟିଏ ସଂଶୋଧନ ସହ ଲୋକସଭାକୁ ପଠାଇ ଦିଆଯାଇଥିଲା । ଗତ ସପ୍ତାହରେ ଲୋକସଭାରେ ଅର୍ଥ ବିଲ୍କୁ ମିଳିଥିଲା ମଞ୍ଜୁରୀ । ସୋମବାର ମୁଲତବୀ ଅବଧି ସରିବା ପରେ ଅପରାହ୍ଣ ୨ଟା ବେଳେ ରାଜ୍ୟସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥବିଲ୍ ପେଶ୍ କରିଥିଲେ । କଂଗ୍ରେସ ଓ ଆପ୍ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସିବା ଏବଂ ଟିଏମ୍ସି, ବିଆର୍ଏସ୍, ଡିଏମ୍କେ, ବାମଦଳ ଓ ଅନ୍ୟ ବିରୋଧୀ ଦଳର ସାଂସଦମାନେ ସେତେବେଳେ ଖୁବ୍ ହୋହଲ୍ଲା କରୁଥିଲେ । ତେଣୁ ବିନା ଆଲୋଚନାରେ ବିନିଯୋଗ ବିଧେୟକ ୨୦୨୩ ଏବଂ ଜମ୍ମୁ-କଶ୍ମୀର ବିନିଯୋଗ ବିଧେୟକକୁ ଧ୍ୱନିମତରେ ମଞ୍ଜୁର କରି ଲୋକସଭାକୁ ଫେରାଇ ଦିଆଯାଇଥିଲା । ଏବେ ବଜେଟ୍ ସମ୍ବନ୍ଧୀୟ ବିତ୍ତୀୟ କାର୍ଯ୍ୟକୁ ମଞ୍ଜୁରୀ ମିଳିଯାଇଥିବାରୁ ବିରୋଧୀଙ୍କ କ୍ରମାଗତ ହଟ୍ଟଗୋଳ ପରିପ୍ରେକ୍ଷୀରେ ସଂସଦ ଅଧିବେଶନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଦିଆଯିବାର ସଙ୍କେତ ମିଳିଛି । ସଂସଦ ବଜେଟ୍ ଅଧିବେଶନର ଏହି ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୬ ପର୍ଯ୍ୟନ୍ତ ଚାଲିବାର ଥିଲା । ମାର୍ଚ୍ଚ ୩୦ରୁ ଏପ୍ରିଲ୍୬ ଭିତରେ ୪ଟି ଛୁଟିଦିନ ଅଛି । ଯେତେଦୂର ସମ୍ଭବ ଚଳିତ ସପ୍ତାହରେହିଁ ଏପରି ନିଷ୍ପତ୍ତି ନିଆଯିବ । ସଂସଦ ଆଦୌ ଚାଲି ନ ପାରିବା ପରିପ୍ରେକ୍ଷୀରେ ରଣନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ନୀତୀନ ଗଡ଼କରୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ନେତୃବର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଗତ ଦୁଇ ସପ୍ତାହ ଧରି ଲୋକସଭା ଓ ରାଜ୍ୟସଭାରେ ଯାହା ସବୁ ଘଟିଆସିଥିଲା, ସୋମବାର ସେହି ଦୃଶ୍ୟ ଦେଖିବାକୁ ମିଳିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କେତେକ ବିରୋଧୀ ସାଂସଦ ନାରାବାଜି ଆରମ୍ଭ କରିଦେଇଥିଲେ । ଏହି ସମୟରେ ବାଚସ୍ପତି କହିଥିଲେ, ମୁଁ ସଦନକୁ ଗରିମାର ସହ ଚଳାଇବାକୁ ଚାହୁଁଛି । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରି ନ ଥିଲା । ସେହିପରି ରାଜ୍ୟସଭାରେ ବିରୋଧୀମାନେ କ୍ରମାଗତ ନାରାବାଜି କରିଚାଲିଥିଲେ । ଫଳତଃ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡ଼ିଥିଲା । ରାଜ୍ୟସଭା ଓ ଲୋକସଭା କାର୍ଯ୍ୟକ୍ରମ ଯଥାକ୍ରମେ ଅପରାହ୍ଣ ୨ଟା ଓ ୪ଟା ବେଳେ ପୁନର୍ବାର ଆରମ୍ଭ କରାଯାଇଥିଲେହେଁ ପୂର୍ବଭଳି ହଟ୍ଟଗୋଳ ଓ ହଙ୍ଗାମା କାରଣରୁ ଉଭୟ ସଦନକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡ଼ିଥିଲା ।
ବିରୋଧୀ ସାଂସଦମାନେ ଗତବର୍ଷ ଜୁଲାଇରେ ମଧ୍ୟ ଓମ୍ ବିରଳାଙ୍କ ଆଡ଼କୁ କାଗଜ ଫିଙ୍ଗିଥିଲେ । ଏହି ଘଟଣା ପରେ ବିରଳା ଚେତାବନୀ ଦେଇ କହିଥିଲେ, ଭବିଷ୍ୟତରେ ସଂସଦର ଗରିମା କ୍ଷୁଣ୍ଣର ପୁନରାବୃତ୍ତି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *