୩୬ ଉପଗ୍ରହର ସଫଳ ଉତ୍କ୍ଷେପଣ
ଶ୍ରୀହରିକୋଟା, ୨୬ା୩: ମହାକାଶ କ୍ଷେତ୍ରରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ଇସ୍ରୋ ରବିବାର ବଡ଼ ବାଣିଜି୍ୟକ ମିସନ୍ରେ ସଫଳତା ହାସଲ କରିଛି । ଇସ୍ରୋର ଭାରୀ ରକେଟ୍ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ୱାରା ୩୬ଟି ଉପଗ୍ରହର ସଫଳ ଉତ୍୍କ୍ଷେପଣ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୯ଟାରେ ୪୩.୫ ମିଟର ଲମ୍ବା ରକେଟ୍ ଏଲଭିଏମ୍ ଥ୍ରୀ-ଏମ୍ ଥ୍ରୀର ଉତ୍କ୍ଷେପଣ କରାଯାଇଥିଲା । ଇସ୍ରୋର ଅଧ୍ୟକ୍ଷ ବୈଜ୍ଞାନିକ ଏସ୍ ସୋମନାଥ କହିଛନ୍ତି ଉଡ଼ାଣ ଭରିବାର ୧୯ ମିନିଟ ଭିତରେ ଉପଗ୍ରହଗୁଡ଼ିକ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇ ବ୍ରଡ଼ବ୍ରାଣ୍ଡ ସଞ୍ଚାର ନିମନ୍ତେ ଉପଗ୍ରହ ସହ ଯୋଡି ହୋଇଛି । ଏହାଦ୍ୱାରା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ।
ଏଲ୍ଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ୱାରା ଉତ୍କ୍ଷେପଣ ହୋଇଥିବା ବ୍ରିଟିସ ଷ୍ଟାର୍ଟଅପ୍ର ୩୬ଟି ଉପଗ୍ରହକୁ ଏହି ମିସନ୍ରେ ସାମିଲ କରାଯାଇଛି । ଏକ ଘରୋଇ ଉପଗ୍ରହ ଯୋଗାଯୋଗ କମ୍ପାନୀ ଭାରତୀ ଏଣ୍ଟରପ୍ରାଇଜେସ୍ ୱାନ୍ୱେବ୍ର ପ୍ରମୁଖ ନିବେଶକ ଏବଂ ଅଂଶୀଦାର ରହିଛନ୍ତି । ଇସ୍ରୋର ଏହି ମିସନର ଲକ୍ଷ୍ୟ ହେଉଛି ୬୦୦ରୁ ଅଧିକ ଉପଗ୍ରହକୁ ମହାକାଶକୁ ପଠାଇ ଏକ ମଜବୁତ ଗ୍ରୁପ୍ ବନାଇବା । ଇସ୍ରୋ ତରଫରୁ ୨୦୨୨ ଅକ୍ଟୋବର ୨୩ରେ ୩୬ଟି ଉପଗ୍ରହକୁ ସଫଳତା ସହ ପୃଥିବୀର ୬୦୦ କିଲୋମିଟର ନିମ୍ନ କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା ।