ଧରଣୀଧର ହାଇକୋର୍ଟ ବାର୍ ସଭାପତି
କଟକ/ଭୁବନେଶ୍ୱର, ୨୫ା୩(ବୁ୍ୟରୋ): ରାଜ୍ୟର ସମସ୍ତ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହେବା ସହିତ ଫଳାଫଳ ଘୋଷଣା କରାଯାଇଛି । ‘ୱାନ୍ ବାର ୱାନ ଭୋଟ’ ନିୟମ ଅନୁଯାୟୀ ରାଜ୍ୟର ୧୫୩ ବାର୍ ଆସୋସିଏସନରେ ଏକାଦିନକେ ଭୋଟ ଗ୍ରହଣ କରାଯାଇଛି । ସକାଳ ୮ ଟାରୁ ଅପରାହ୍ର ୩ଟା ଯାଏ ଭୋଟ ଗ୍ରହଣ କରାଯାିଛି । ୩୩, ୪୩୪ ଆଇନଜୀବୀ ନିଜ ନିଜ ବାର୍ ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିଛନ୍ତି ।
ହାଇକୋର୍ଟ ବାର୍ ଆସୋସିଏସନର ସଭାପତିଭାବେ ଧରଣୀଧର ନାୟକ ନିର୍ବାଚିତ ହୋଇଛନ୍ତି । ସେହିଭଳି ଉପସଭାପତିଭାବେ ବିଦ୍ୟାଧର ପ୍ରଧାନ, ସମ୍ପାଦକଭାବେ ଚିତ୍ତରଞ୍ଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକଭାବେ ଦେବାଶିଷ ନନ୍ଦ, ସହାୟକ ସମ୍ପାଦକଭାବେ ଦେବାଶିଷ ସ୍ୱାଇଁ ଏବଂ ସହାୟକ ସମ୍ପାଦକ (ଲାଇବ୍ରେରୀ) ରୂପେ ଜାନକୀକାନ୍ତ ମହାପାତ୍ର ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ସମେତ ୯ ଏଗ୍ଜିକୁ୍ୟଟିଭ୍ କମିଟି ସଦସ୍ୟ ଓ ଅନ୍ୟ ୧୫ ପଦବୀ ପାଇଁ ମତଦାନ ହୋଇଛି । ହାଇକୋର୍ଟ ବାର୍ ଆସୋସିଏସନର ୪,୨୯୭ ସଦସ୍ୟ ମତଦାନ କରିଥିଲେ ।
ଭୋଟ ଗ୍ରହଣ ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ହଲ୍ରେ ୩୭ ବୁଥ୍ର ବ୍ୟବସ୍ଥା ହୋଇଥିଲା । ମତଦାନ ଶେଷ ହେବାର ପ୍ରାୟ ଘଣ୍ଟାଏ ପରେ ଗଣତି ଆରମ୍ଭ ହୋଇଥିଲା । ଏହାବ୍ୟତୀତ ବୟସାଧିକ୍ୟ କାରଣରୁ ଭୋଟ ଦେବାକୁ ଆସିପାରୁ ନ ଥିବା ୯୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଥର ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଥିଲା ।
ଭୁବନେଶ୍ୱର ବାର୍ ଆସୋସିଏସନ୍ ଭୋଟ ଗଣତି ପରେ ସଭାପତି ଭାବେ ଧନେଶ୍ୱର ମହାନ୍ତି, ଉପସଭାପତି ଭାବେ ଅଞ୍ଜନ ସାମନ୍ତରାୟ, ସମ୍ପାଦକ ଭାବେ ତପନ ଦାସ, ଯୁଗ୍ମ ସମ୍ପାଦକ ଭାବେ ସୁକାନ୍ତ ବେହେରା, ସହସମ୍ପାଦକ ଭାବେ ପୁଲିନ ମାର୍ଥା ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱରରେ ୨୭୭୮ ଆଇନଜୀବୀ ମତଦାନ କରିଥିଲେ ।