ନୀତୁ, ସ୍ୱୀଟୀ ବିଶ୍ୱ ବିଜୟିନୀ
ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ୨୦୨୩
ନୂଆଦିଲ୍ଲୀ, ୨୫ା୩ (ଏଜେନ୍ସି): ମହିଳା ବିଶ୍ୱ ମୁଷ୍ଟିଯୋଦ୍ଧା ଚାମ୍ପିଅନ୍ସିପ୍ ୨୦୨୩ରେ ଭାରତର ଦୁଇ ତାରକା ମୁଷ୍ଟିଯୋଦ୍ଧା – ନୀତୁ ଘଙ୍ଘାସ (୪୮କିଗ୍ରା) ଓ ସ୍ୱୀଟୀ ବୂରା (୮୧କିଗ୍ରା) ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀତୁ ଷଷ୍ଠ ଓ ସ୍ୱୀଟୀ ସପ୍ତମ ଭାରତୀୟ (ପୁରୁଷ-ମହିଳା) ମୁଷ୍ଟିଯୋଦ୍ଧା ଭାବେ ବିଶ୍ୱ ବିଜୟିନୀ ହେବାର ଗୌରବ ଅର୍ଜନ କରିଛନ୍ତି । ରବିବାର ନିଖତ ଜରୀନ୍ (୫୦କିଗ୍ରା) ଓ ଲଭଲୀନା ବୋରଗୋହେନ୍ (୭୫କିଗ୍ରା) ଭାରତର ଦାବିଦାରୀ ପେସ୍ କରିବେ ।
ପୂର୍ବରୁ ଛଅ ଥର ବିଜୟିନୀ ଏମ୍ସି ମେରୀ କମ୍ (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮), ସରିତା ଦେବୀ (୨୦୦୬), ଜେନୀ ଆର୍ଏଲ୍ (୨୦୦୬), ଲେଖା କେସି (୨୦୦୬) ଓ ନିଖତ ଜରୀନ୍ (୨୦୨୨) ବିଶ୍ୱ ଚାମ୍ପିଅନ୍ସିପ୍ରେ ବିଜୟିନୀ ହୋଇଥିଲେ ।
ସ୍ୱୀଟୀ ୮୧କିଗ୍ରା ବର୍ଗ ଫାଇନାଲ୍ରେ ଚୀନ୍ର ୱଙ୍ଗ ଲୀ’ଙ୍କୁ ୪-୩ରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଥିଲେ । ମ୍ୟାଚ୍ ଶେଷ ହେବା ପରେ ସମୀକ୍ଷାର ନିଷ୍ପତ୍ତି ଆସିବା ଯାଏଁ ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିଥିଲା । ଶେଷରେ ସ୍ୱୀଟୀଙ୍କୁ ବିଜୟିନୀ ଘୋଷଣା କରାଯାଇଥିଲା ଏବଂ ଭାରତ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲା ।
ସ୍ୱୀଟୀ ସେମିଫାଇନାଲ୍ରେ ସସ୍ୱୀଟୀ ଅଷ୍ଟ୍ରେଲିଆର ସୁଏ-ଏମ୍ମା ଗ୍ରୀନ୍ଟ୍ରୀଙ୍କୁ ୪-୩ରେ ହରାଇଥିଲେ । ସେହିି ମୁକାବିଲା ବି ସଂଘର୍ଷପୂର୍ଣ୍ଣ ହୋଇଥିଲା ।
ଏହା ପୂର୍ବରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିଲେ ନୀତୁ ଘଙ୍ଘାସ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ଭାରତୀୟ ୪୮କିଗ୍ରା ବର୍ଗ ଫାଇନାଲ୍ରେ ମଙ୍ଗୋଲିଆର ଲୁତ୍ସାଇଖାନ ଅଲ୍ତାନସେତସେଗ୍ଙ୍କ ବିପକ୍ଷରେ ୫-୦ରେ ଜୋର୍ଦାର ବିଜୟ ସହ ଇତିହାସ ପୃଷ୍ଠାରେ ନାମ ପଞ୍ଜୀକରଣ କରିଥିଲେ ।
ଫାଇନାଲ୍ ମୁକାବିଲାରେ ୨୦୨୨ ଏସୀୟ ଚାମ୍ପିଅନ୍ସିପ୍ର କାଂସ୍ୟ ବିଜୟିନୀ ଲୁତ୍ସାଇଖାନଙ୍କ ବିପକ୍ଷରେ ହରିୟାଣାର ନୀତୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ । ତାଙ୍କ ସଠିକ୍ ପଞ୍ଚ୍ ମଙ୍ଗୋଲୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭାରୀ ପଡ଼ିଥିଲା । ମୁକାବିଲା ବେଶ୍ ରୋମାଞ୍ଚକ ଥିଲା ଏବଂ ଦର୍ଶକଙ୍କ ପାଇଁ ଶେଷ ଯାଏଁ ବିଜୟିନୀର ଅନୁମାନ ଲଗାଇବା ସହଜ ନ ଥିଲା । ତେବେ ବିଚାରକମାନଙ୍କ ସର୍ବସମ୍ମତି ନୀତୁଙ୍କ ସପକ୍ଷରେ ଥିଲା ।
ନୀତୁ ସେମିଫାଇନାଲ୍ରେ ଏସୀୟ ବିଜୟିନୀ ତଥା ଗତ ବର୍ଷର ବିଶ୍ୱ ଚାମ୍ପିଅନ୍ସିପ୍ର ରୌପ୍ୟ ବିଜୟିନୀ କାଜାଖସ୍ତାନର ଅଲୁଆ ବଲକିବେକୋଭାଙ୍କ ବିପକ୍ଷରେ ୫-୨ରେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲେ । ତେବେ ଏହାର ପୂର୍ବ ବାଉଟ୍ଗୁଡ଼ିକରେ ସେ ଆର୍ଏସ୍ସି (ରେଫରୀ ଷ୍ଟପ୍ସ କଣ୍ଟେଷ୍ଟ)ରେ ଜିତିଥିଲେ ।
ନୀତୁ ବିଶ୍ୱର ଶ୍ରେଷ୍ଠ ମୁଷ୍ଟିଯୋଦ୍ଧା ମେରୀ କମ୍ଙ୍କୁ ହରାଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ରିଙ୍ଗ୍ରେ ମୁକାବିଲା ସମୟରେ ଆଣ୍ଠୁରେ ଆଘାତ ଲାଗିବା ପରେ ମେରୀ କମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୪୮କିଗ୍ରା ଟ୍ରାଏଲ୍ ଅଧାରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ ।
ନୀତୁ ୨୦୧୭ରେ ଯୁଥ୍ ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ୨୦୧୮ରେ ଏସୀୟ ୟୁଥ୍ ଚାମ୍ପିଅନ୍ସିପ୍ ଓ ୟୁଥ୍ ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିଅନ୍ସିପ୍ରେ ମଧ୍ୟ ସେ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ । ଏହାଛଡ଼ା ୨୦୨୨ରେ ଷ୍ଟ୍ରାଣ୍ଡଜା ସ୍ମାରକୀ ମୁଷ୍ଟିଯୁଦ୍ଧ ଟୁର୍ଣ୍ଣାମେଣ୍ଟ ଓ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟିନୀ ହୋଇଥିଲେ ।