ୱାୟନାଡ଼ରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ନୂଆଦିଲ୍ଲୀ, ୨୬ା୩: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ନିର୍ବାଚନ ଆୟୋଗ ଜଳନ୍ଧର ଓ ଲାକ୍ଷାଦ୍ୱୀପ ସହିତ କେରଳର ୱାୟନାଡ଼ ଆସନ ଖାଲି ହେଲା ବୋଲି ଘୋଷଣା କରିଛନ୍ତି । ସୂତ୍ର ଅନୁଯାୟୀ, ଆୟୋଗ ୱାୟନାଡ଼ ସହିତ ପୂର୍ବୋକ୍ତ ଦୁଇ ଆସନ ପାଇଁ ଉପନିର୍ବାଚନ କରାଇବାକୁ ତତ୍ପର ହେଉଛନ୍ତି । ଏପ୍ରିଲ୍ରେ ବିଜ୍ଞପ୍ତି ଜାରି ହୋଇପାରେ ବୋଲି ମିଡିଆ ମାଧ୍ୟମରେ ସୂଚନା ମିଳିଛି ।
ୱାୟନାଡ଼ରେ କଂଗ୍ରେସ ପକ୍ଷରୁ କିଏ ଉପନିର୍ବାଚନ ଲଢ଼ିବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ସେହିପରି ଅମେଠୀରୁ କିଏ କଂଗ୍ରେସ ପ୍ରାର୍ଥୀ ହେବେ ସ୍ଥିର ହୋଇନାହିଁ । ସୂତ୍ର ଅନୁଯାୟୀ, କଂଗ୍ରେସ ପାଇଁ ଉପୁଜିଥିବା ସଂକଟ ଦୂର କରିବାକୁ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଗେଇ ଆସିଛନ୍ତି । ମାର୍ଚ୍ଚ ୨୪ ସନ୍ଧ୍ୟାରେ ଦୁହେଁ ବୈଠକ କରିଥିଲେ । ସେହିଦିନ ଅପରାହ୍ଣରେ ରାହୁଲଙ୍କ ସାଂସଦ ପଦ ଚାଲିଯିବା ଜଣାପଡ଼ିବା ପରେ ସୋନିଆ ଓ ପ୍ରିୟଙ୍କା ରାହୁଲ ଘରେ ପହଞ୍ଚô ନୂଆ ରଣନୀତି ପ୍ରସ୍ତୁତ କରିଥିଲେ । ସେହି ବୈଠକରେ ୱାୟନାଡ଼ରେ ପ୍ରିୟଙ୍କା ପ୍ରାର୍ଥୀ ହେବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଯଦି ସୁରତ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟରୁ ରହିତାଦେଶ ନ ମିଳେ, ୱାୟନାଡ଼ରେ ଉପନିର୍ବାଚନ ହେବ ଏବଂ ପ୍ରିୟଙ୍କାହିଁ ପ୍ରାର୍ଥୀ ହେବେ । ପ୍ରାର୍ଥୀ ହେବା ପାଇଁ ପ୍ରିୟଙ୍କା ରାଜି ହେଲେ ତାହା ହେବ ତାଙ୍କ ରାଜନୈତିକ ଜୀବନର ପ୍ରଥମ ନିର୍ବାଚନ । ଗତ ତିନି ଦିନର ଘଟଣାକ୍ରମରୁ ଅନୁମାନ କରାଯାଉଛିି ଯେ, ସୋନିଆ ଗାନ୍ଧି ପୁଣି ଥରେ ସକ୍ରିୟ ହେବେ । ରାହୁଲ ଅଯୋଗ୍ୟ ଘୋଷିତ ହେବା ଘଟଣାକୁ ଏକ ଇମୋସନାଲ ଇସୁ୍ୟ କରିବାରେ ସୋନିଆ ସାହାଯ୍ୟ କରିବେ । ପ୍ରିୟଙ୍କା ତ ଟ୍ୱିଟ୍ ମାଧ୍ୟମରେ ଶୁକ୍ରବାର ଠାରୁ ଏପରି ଉଦ୍ୟମ ଆରମ୍ଭ କରିଛନ୍ତି ।
ସଂସଦ ସଦସ୍ୟତା ରଦ୍ଦ ହେବା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଯେଉଁସବୁ ଆନେ୍ଦାଳାତ୍ମକ କାର୍ଯ୍ୟକଳାପ ଆରମ୍ଭ ହୋଇଛି, ରାହୁଲ ସେଥିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ସେ କେବଳ ଅଡାନୀ ପ୍ରସଙ୍ଗ ଉପରେ ଫୋକସ୍ କରିବାକୁ ଇଚ୍ଛୁକ ।
କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି, ଦଳର ନେତୃତ୍ୱ ନେଇ କୌଣସି ସଂଶୟ ନାହିଁ । ରାହୁଲ ଗାନ୍ଧିଙ୍କୁ ହାଇକୋର୍ଟରୁ ଷ୍ଟେ ମିଳୁ ବା ନ ମିଳୁ, ସେ ନିର୍ବାଚନ ଲଢନ୍ତୁ ନା ନ ଲଢନ୍ତୁ, ଦଳର ନେତୃତ୍ୱ ତାଙ୍କରି ହାତରେ ହିଁ ରହିବ । ଭାରତ ଯୋଡ ଯାତ୍ରା ପରଠାରୁ ଦଳୀୟ ସଙ୍ଗଠନରେ ତାଙ୍କ ସ୍ଥିତି ଆହୁରି ମଜବୁତ୍ ହୋଇଛି । ବରିଷ୍ଠ ନେତାମାନଙ୍କର ତାଙ୍କ ନେତୃତ୍ୱ ଉପରେ ଭରସା ବଢିଛି । କଂଗ୍ରେସର ଅଧିକାଂଶ ନେତା ଭଲ ରୂପେ ଜାଣନ୍ତି ଯେ ଦଳରେ ଏକତା ରକ୍ଷା ପାଇଁ ଗାନ୍ଧି ପରିବାରର ନେତୃତ୍ୱ ଜରୁରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *