ଗଞ୍ଜାମ ହେବ ଶ୍ରେଷ୍ଠ ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ
ବ୍ରହ୍ମପୁର/ଛତ୍ରପୁର/କବିସୂର୍ଯ୍ୟନଗର/ହିଞ୍ଜିଳିକାଟୁ, ୨୬ା୩(ବୁ୍ୟରୋ): ଭାରତରେ ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରାଯିବ । ଏଥିରେ ଗଞ୍ଜାମବାସୀଙ୍କ ଭୂମିକା ନିତାନ୍ତ ଆବଶ୍ୟକ । ଗଞ୍ଜାମ କଳା, ସଂସ୍କୃତି ଓ ସଂଗ୍ରାମୀଙ୍କ ଜିଲ୍ଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ରବିବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଜନସଭାରେ ଉପସ୍ଥିତ ହଜାର ହଜାର ମହିଳା ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ପ୍ରଥମେ କବିସୂର୍ଯ୍ୟନଗର, ପରେ ହିଞ୍ଜିଳି ଓ ଶେଷରେ ଛତ୍ରପୁର ଠାରେ ସାଧାରଣ ସଭାରେ ସେ ଯୋଗ ଦେଇଥିଲେ ।
ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ୨ହଜାର କୋଟି ଟଙ୍କାର ୮୨୫ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପୂର୍ବାହ୍ଣରେ କବିସୂର୍ଯ୍ୟନଗର ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କହିଲେ, ଗଞ୍ଜାମ କଳା ଓ ସଂସ୍କୃତିର ଭୂମି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କ ଭୂମିକୁ ପ୍ରଣାମ । ଆଜି ଗଞ୍ଜାମରେ ୨ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହେଲା । କେବଳ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ପାଇଁ ୩୧୬କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି । ଜିଲ୍ଲାରେ ୨୦ହଜାର ଭାଇଭଉଣୀଙ୍କୁ ଗ୍ରାମକଣ୍ଠକ ପଟ୍ଟା ମିଳିଥିବା ବେଳେ କବିସୂର୍ଯ୍ୟନଗର ଅଞ୍ଚଳର ୧୧ହଜାର ଲୋକ ଉପକୃତ ହୋଇଛନ୍ତି । ଗଞ୍ଜାମର ମା’ମାନେ ଭଲ କାମ କରୁଛନ୍ତି । ତେଣୁ ମୁଁ ଚାହେଁ ମା’ମାନେ ଉଦ୍ୟୋଗୀ ହୁଅନ୍ତୁ । ଏସ୍ଏଚ୍ଜିରୁ ଏସ୍ଏମ୍ଇ ହୁଅନ୍ତୁ ।
ଏଥିପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ । ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ଆସନ୍ତା ୫ବର୍ଷରେ ୫୦ହଜାର କୋଟି ଟଙ୍କା ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି । ଆଜି କେବଳ ୨୮୦କୋଟି ଟଙ୍କାର ଋଣ ଦିଆଗଲା । ମା’ମାନଙ୍କ ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ । ଚାଷୀ ଭାଇମାନଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କାର ଋଣ ଦିଆଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମର ୫୦ହଜାରରୁ ଊଦ୍ଧ୍ୱର୍ ଲୋକ ଉପକୃତ ହୋଇଥିବା ବେଳେ ରାଜ୍ୟ ସରକାର ୧୯୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଜିଲ୍ଲାର ୬୩୦ଟି ହାଇସ୍କୁଲ ଭିତରୁ ୪୭୧ଟି ହାଇସ୍କୁଲର ୫-ଟି ଉପକ୍ରମରେ ରୂପାନ୍ତରୀକରଣ ହୋଇଛି । ଡିସେମ୍ବର ସୁଦ୍ଧା ବଳକା ହାଇସ୍କୁଲଗୁଡିକର ରୂପାନ୍ତରୀକରଣ ଶେଷ ହେବ ।
ଆସନ୍ତୁ ସମସ୍ତେ ମିଳିମିଶି ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ଉପରୋକ୍ତ ୩ଟି ନିର୍ବାଚନମଣ୍ଡଳୀର ସାଧାରଣ ସଭାରେ କହିଥିଲେ । କବିସୂର୍ଯ୍ୟନଗର ସଭାରେ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ପ୍ରମୁଖ ଉଦ୍ବୋଧନ ଦେଇ ନବୀନ ବାବୁଙ୍କ ଜନକଲ୍ୟାଣ ଯୋଜନାରେ ମହିଳାମାନେ କିପରି ଉପକୃତ ହେଉଛନ୍ତି ସେ ଉପରେ ମତବ୍ୟକ୍ତ କରିଥିଲେ । ଶେଷରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସଭାରେ ଉପସ୍ଥିତ ଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଯାଇଥିଲେ ।
ହିଞ୍ଜିଳିରେ ରୋଡ୍ ଶୋ ଓ ମଧ୍ୟାହ୍ନଭୋଜନ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଛତ୍ରପୁର ନିର୍ବାଚନମଣ୍ଡଳୀର ଛତ୍ରପୁର ଠାରେ ସରିଥିଲା । ସେଠାରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଛତ୍ରପୁରର ୫ଟି ବ୍ଲକ୍ ଓ ବ୍ରହ୍ମପୁର ସହରବାସୀଙ୍କ ପାଇଁ ୧୯୬.୩୮କୋଟି ଟଙ୍କାର ୧୫୮ଟି ପ୍ରକଳ୍ପ ଉଦ୍ଘାଟନ ଓ ୮୬୩.୧୩କୋଟି ଟଙ୍କାର ୬୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହିପରି ମୋଟ ୨୧୮ଟି ପ୍ରକଳ୍ପ ପାଇଁ ୧୦୫୬.୭୭କୋଟି ଟଙ୍କାର ଭେଟି ଦେଇଥିଲେ । ୩୬୮୯ ହିତାଧିକାରୀଙ୍କୁ ଗ୍ରାମକଣ୍ଠକ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲା । ୬୦୩୫ ସ୍ୱୟଂ ସହାୟିକା ଗୋଷ୍ଠୀର ୬୦୩୫୦ ମିଶନ ଶକ୍ତି ମହିଳାଙ୍କୁ ୧୮୧.୨୬କୋଟି ଟଙ୍କାର ବିନା ସୁଧରେ ଋଣ ଏବଂ ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତକରି ସେ କହିଲେ, ମିଶନ ଶକ୍ତି ଗୋଷ୍ଠୀ ରାଜ୍ୟରେ ଭଲ କାମ କରୁଛନ୍ତି । ପ୍ରତ୍ୟେକ ମିଶନ ଶକ୍ତି ଗୋଷ୍ଠୀଙ୍କୁ ରାଜ୍ୟ ସରକାର ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରିଛନ୍ତି । ଦିନିକିଆ ଗଞ୍ଜାମ ଗସ୍ତରେ ମହିଳା ଗୋଷ୍ଠୀଙ୍କୁ ୧୫୬କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି ।
‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ନବୀନ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ. ଗୋପବନ୍ଧୁ ଦାସ, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡି, କୃଷି ଓ କୃଷକ ସଶକ୍ତୀକରଣ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସ୍ପି ଡ. ଶ୍ରବଣା ବିବେକ ଏମ୍, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାସନ, ନିଗମ କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ରଙ୍କ ସମେତ ଜିଲ୍ଲା ଓ ପୁଲିସ୍ ପ୍ରଶାସନର ବହୁ ଅଧିକାରୀ ସମେତ ବିଜୁ ଜନତା ଦଳର ଅନେକ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *