ଝାରସୁଗୁଡ଼ାରେ ବୁଲିଲେ ହାତୀପଲ
ଝାରସୁଗୁଡ଼ା୨୬ା୩: ଝାରସୁଗୁଡ଼ା ସହରର ମୁଙ୍ଗାପଡ଼ା, ସରବାହାଲ ଏବଂ ବୃନ୍ଦାମାଲରେ ଶନିବାର ବିଳମ୍ବିତ ରାତିରେ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଥିଲା । ସହର ଭିତରେ ହାତୀ ପଲ ବୁଲିବା ଦେଖି ଲୋକେ ଭୟଭୀତ ହୋଇଥିଲେ । ସହର ଭିତରେ ହାତୀ ବୁଲିବା ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଲୋକେ ଦିନରାତି କବାଟତାଟି ଘରୁ ବାହାରିପାରି ନ ଥିଲେ । ସେପଟେ ବନ କର୍ମଚାରୀ ଖବର ପାଇ ପହଞ୍ଚôଥିବା ବେଳେ ପୁଲିସ୍ ସହାୟତାରେ ସେମାନେ ହାତୀଙ୍କୁ ଘଉଡ଼ାଇଥିଲେ ।
ସହର ଭିତରକୁ ପଶି ଆସିଥିବା ହାତୀ ପଲରେ ୧୨ଟି ହାତୀ ଥିବା ସୂଚନା ମିଳିଛି । ହାତୀ ପଲ ନିକଟ ଜଙ୍ଗଲକୁ ପଳାଇଯାଇଛନ୍ତି ବୋଲି କହିଛନ୍ତି ଝାରସୁଗୁଡ଼ା ବନଖଣ୍ଡ ରେଞ୍ଜର ରମେଶ ଚନ୍ଦ୍ର ନାଥ ।
ହାତୀ ପଲ ଶନିବାର ରାତିରେ ଡମରା ଷ୍ଟେସନ ଦେଇ ଝାରସୁଗୁଡ଼ା ଟାଉନ ଭିତରକୁ ପଶି ଆସିଛନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହାତୀ ପଲ ବୁର୍ଖାମୁଣ୍ଡାର ଗାଁ ଜଙ୍ଗଲକୁ ପଳାଇଯାଇଛନ୍ତି । ଖାଦ୍ୟ ସନ୍ଧାନରେ ହାତୀ ପଲ ସହର ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି ।