ବେଲାରୁଷ୍ରେ ରୁଷ୍ର ପରମାଣୁ ଅସ୍ତ୍ର ମୁତୟନ

ମସ୍କୋ, ୨୬ା୩: ନାଟୋ ରାଷ୍ଟ୍ର ଗୋଷ୍ଠୀର ଦ୍ୱାର ଦେଶରେ ମୁତୟନ ହେବ ରୁଷ୍ର ପରମାଣୁ ଅସ୍ତ୍ର । ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ଏକଥା ଘୋଷଣା କରିଛନ୍ତି । ସେ କହିଛନ୍ତି ପୋଲାଣ୍ଡ ସମେତ ୩ଟି ନାଟୋ ଦେଶର ସୀମାକୁ ଲାଗିଥିବା ବେଲାରୁଷ୍ରେ ପରମାଣୁ ଅସ୍ତ୍ର ରହିବ । ତେବେ ସେଗୁଡିକର ନିୟନ୍ତ୍ରଣ ମିନ୍ସ୍କ ପରିବର୍ତ୍ତେ ମସ୍କୋ ପାଖରେ ରହିବ । ୧୯୯୦ ଦଶକ ପରେ ପ୍ରଥମ ଥର ପାଇଁ ରୁଷ୍ ତାର ପରମାଣୁ ଯୁଦ୍ଧାସ୍ତ୍ରକୁ ଦେଶ ବାହାରେ ମୁତୟନ କରିବାକୁ ଯାଉଛି । ବେଲାରୁଷ ରାଷ୍ଟ୍ରପତି ଆଲେକ୍ ଜାଣ୍ଡର ଲୁକାଶେଙ୍କୋଙ୍କ ଦାବି କ୍ରମେ ପୁଟିନ୍ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି । ଅବଶ୍ୟ ଲୁକାଶେଙ୍କୋଙ୍କ ତରଫରୁ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଆସି ନାହିଁ ।
ବେଲାରୁଷ୍ର ସୀମା ୩ଟି ନାଟୋ ଦେଶ ତଥା ପୋଲାଣ୍ଡ, ଲିଥୁଆନିଆ ଓ ଲାତବ୍ୟା ସୀମାକୁ ଲାଗିଛି । ରୁଷ ଓ ବେଲାରୁଷ୍ ମଧ୍ୟରେ ଘନିଷ୍ଠ ସାମରିକ ସହଯୋଗ ରହିଆସିଛି । ଗତବର୍ଷ ଆକ୍ରମଣ ପାଇଁ ୟୁକ୍ରେନ୍କୁ ରୁଷୀୟ ସୈନ୍ୟ ପଠାଇବା ଲାଗି ବେଲାରୁଷ ତା’ର ଇଲାକାର ଉପଯୋଗ କରିବା ଅନୁମତି ଦେଇଥିଲା । ଚଳିତ ବର୍ଷ ଜାନୁଆରୀରେ ରୁଷ ଓ ବେଲାରୁଷ ମିଳିତ ଯୁଦ୍ଧାଭ୍ୟାସ କରିଥିଲେ ।
ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ପାଶ୍ଚାତ୍ୟ ଦେଶ ଓ ରୁଷ୍ ମଧ୍ୟରେ ଉତ୍ତେଜନା ପଢିବାରୁ ପୁତିନ ବେଲାରୁଷ୍ରେ ପରମାଣୁ ଅସ୍ତ୍ର ମୁତୟନ ନିଷ୍ପତ୍ତି ନେଇଛନ୍ତି । ଏହା ଉପରେ ଆମେରିକା ସତର୍କ ପ୍ରତିକ୍ରିୟା ଦେଇଛି । ବାଇଡନ୍ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷ୍ ଓ ବେଲାରୁଷ୍ ମଧ୍ୟରେ ବର୍ଷେ ହେଲା ଏ ବିଷୟରେ ଆଲୋଚନା ଚାଲିଛି । ତେବେ ପରମାଣୁ ଅସ୍ତ୍ର ପ୍ରୟୋଗ ନେଇ ମସ୍କୋ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ସଙ୍କେତ ଦିଆଯାଇ ନାହିଁ । ରୁଷ୍ ପାଖରେ ଅନ୍ୟ ଦେଶ ତୁଳନାରେ ସବୁଠୁ ବେଶୀ ପରମାଣୁ ଅସ୍ତ୍ର ମହଜୁଦ୍ ଅଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *