ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ପ୍ରଶଂସା

ମନ୍ କୀ ବାତ୍ର ୯୯ତମ ସଂସ୍କରଣ
ନୂଆଦିଲ୍ଲୀ (ଏଜେନ୍ସି): ଅଙ୍ଗଦାନ ଉପରେ ଜନସଚେତନତା ବୃଦ୍ଧି ପାଉଛି । ଆଧୁନିକ ଚିକିତ୍ସା ବିଜ୍ଞାନରେ ଜଣକୁ ଜୀବନଦାନ କରିବା କ୍ଷେତ୍ରରେ ଅଙ୍ଗଦାନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ବେତାର କାର୍ଯ୍ୟକ୍ରମ ମନ୍ କୀ ବାତ୍ର ୯୯ତମ ସଂସ୍କରଣରେ ମତବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ନାରୀ ଶକ୍ତି ସବୁ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରୁଛି । ଏହି ଅବସରରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା ଉଲ୍ଲେଖ କରିଛନ୍ତି । ଏକ ନୂତନ ଦୃଷ୍ଟିକୋଣ ନେଇ ଆବିର୍ଭାବ ହେଉଥିବା ଭାରତର ଭବିଷ୍ୟତ ନିମିତ୍ତ ମହିଳା ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ମନ୍ତବ୍ୟ ଦେଇ ରସାୟନ ବିଜ୍ଞାନ ଓ କେମିକାଲ ଇଞ୍ଜିନିୟରିଙ୍ଗ୍ରେ ଭାବା ଆଟୋମିକ୍ ରିସର୍ଚ ସେଣ୍ଟର (ବିଏଆର୍ସି)ର ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ଆଇୟୁପିଏସି ପକ୍ଷରୁ ସ୍ୱତନ୍ତ୍ର ପୁରସ୍କାର ପାଇଛନ୍ତି । ଦେଶ ପାଇଁ ସେ ଗୌରବ ଆଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କଥିତ ଅଛି, ମୃତୁ୍ୟ ପରେ ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ୱାରା ୮/୯ ଜଣ ବ୍ୟକ୍ତି ନୂଆ ଜୀବନ ପାଇଥାନ୍ତି । ଅଙ୍ଗଗ୍ରହୀତାମାନେ ଅଙ୍ଗଦାତାଙ୍କୁ ଈଶ୍ୱର ପ୍ରାୟ ମଣନ୍ତି । ୨୦୧୩ରେ ଦେଶରେ ୫୦୦୦ରୁ କମ୍ ଅଙ୍ଗଦାନ କରାଯାଇଥିଲା । ୨୦୨୨ରେ ଏହା ୧୫ ହଜାରକୁ ବୃଦ୍ଧି ପାଇଛି । ସନ୍ତୋଷର ବିଷୟ, ଦେଶରେ ଅଙ୍ଗଦାନ ପ୍ରତି ଜନସଚେତନତା ବୃଦ୍ଧି ପାଉଛି ।
ଏକ ନୂତନ ଦୃଷ୍ଟିକୋଣରୁ ଆବିର୍ଭାବ ହେଉଥିବା ଭାରତର ଭବିଷ୍ୟତ କ୍ଷେତ୍ରରେ ମହିଳା ଶକ୍ତିର ପ୍ରମୁଖ ଭୂମିକା ରହିଛି । ପ୍ରଯୋଜକ ଗୁନିତି୍ ମୋଙ୍ଗା ଏବଂ ନିର୍ଦେଶିକା କାର୍ତିକୀ ଗନ୍ସାଲ୍ବେସ୍ଙ୍କ ପ୍ରାମାଣିକ ଚଳଚ୍ଚିତ୍ର “ଦି ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସ’ ଅସ୍କାର ଜିଣି ଦେଶକୁ ଗୌରବାନ୍ୱିତ କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି ।
ଭାରତର ନାରୀ ଶକ୍ତି ସର୍ବାଗ୍ରେ ନେତୃତ୍ୱ ଗ୍ରହଣ କରୁଥିବା ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନାଗାଲାଣ୍ଡରେ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୨ଜଣ ମହିଳା ବିଧାୟିକା ବିଧାନସଭାକୁ ଯାଇଛନ୍ତି । ଜାତିସଂଘ ଶାନ୍ତି ବାହିନୀରେ ମଧ୍ୟ ଭାରତ କେବଳ ମହିଳା ପ୍ଲାଟୁନ୍ ମୁତୟନ କରିଛି । ମହିଳାମାନେ ସବୁ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରି ଚାଲିଛନ୍ତି । ଆମଦେଶ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନରେ ପରିଗଣିତ ହୋଇଛି ।
ସୌରଶକ୍ତି କ୍ଷେତ୍ରରେ ଭାରତ ଯେଉଁ ବେଗରେ ଅଗ୍ରଗତି କରୁଛି ତାହା କୃତିତ୍ତ୍ୱର ବିଷୟ । ଏପ୍ରିଲ୍ ୩୦ ରେ ପ୍ରସାରିତ ହେବାକୁ ଥିବା ୧୦୦ତମ ମନ୍ କୀ ବାତ୍ ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କ ମତାମତ ଓ ଚିନ୍ତନ ଲୋଡ଼ିଛନ୍ତି ।
କାର୍ଯ୍ୟକ୍ରମ ଶେଷ ପୂର୍ବରୁ ସେ କହିଛନ୍ତି, ଅଳ୍ପ କେତେକ ପ୍ରାନ୍ତରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ପରିଚ୍ଛନ୍ନତା ଓ ଅନ୍ୟ କଟକଣା ପ୍ରତି ଧ୍ୟାନ ଦେବାକୁ ମୋଦି ଆହ୍ୱାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *