ମୁଁ ଗାନ୍ଧୀ, ସଭରକର ନୁହେଁ

ମୋଦି ସରକାର ବିରୋଧରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ, ୨୫ା୩: ‘ମୋଦି ସର୍ନେମ୍’ ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶର ପରଦିନ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯିବା ଘଟଣାରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର ରାହୁଲଙ୍କ ସମର୍ଥନରେ ସବୁ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରବିବାର ସକାଳ ୧୦ଟାରୁ କଂଗ୍ରେସ ଆରମ୍ଭ କରିବ ସଂକଳ୍ପ ସତ୍ୟାଗ୍ରହ ।
ରାହୁଲ ଶନିବାର ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ କହିଛନ୍ତି, ମୁଁ ଗାନ୍ଧୀ, ସଭରକର ନୁହେଁ ଯେ କ୍ଷମା ମାଗିବି । ମୁଁ ଡରିବା ଲୋକ ନୁହେଁ । ଗଣତନ୍ତ୍ର ପାଇଁ ଲଢ଼ୁଛିି । ଅଡାନୀ ଗ୍ରୁପ୍ ସହ ବିଜେପିର ସମ୍ପର୍କ ବିଷୟରେ ସେ ପୂର୍ବଭଳି ପ୍ରଶ୍ନ ପଚାରିଚାଲିବି । ଅଡାନୀ ଗ୍ରୁପ୍ର ଶେଲ୍ କମ୍ପାନୀଗୁଡ଼ିକରେ ଯେଉଁ ୨୦ ହଜାର କୋଟି ଟଙ୍କା ନିବେଶ କରାଯାଇଛି ତାହା କାହାର ଏବଂ ମୋଦିଜୀ ଓ ଅଡାନୀଙ୍କ ମଧ୍ୟରେ କି ସମ୍ପର୍କ ଅଛି ବୋଲି ପଚାରିଥିଲି । ଏହାକୁ ସଂସଦ ବିବରଣୀରୁ ବାଦ୍ ଦିଆଗଲା । ରାଜନୈତିକ ଅଭିସନ୍ଧି ରଖି ମୋ ସଂସଦ ସଦସ୍ୟତା ରଦ୍ଦ କରାଗଲା । ସେମାନେ ଭାବୁଛନ୍ତି ଏପରି କରି, ମତେ ଡରାଇ, ଧମକାଇ, ଜେଲ୍ ପଠାଇ ମୋ ମୁହଁ ବନ୍ଦ କରିଦେବେ । ମୁଁ ଦେଶର ଗଣତନ୍ତ୍ର ପାଇଁ ଲଢ଼ୁଛି ଆଉ ଲଢ଼ିବି ।
ସେପଟେ କଂଗ୍ରେସ ପକ୍ଷରୁ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତି ଚାଲିଛି । ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରି କହିଛନ୍ତି ଅଭିଷେକ ମନୁ ସିଂଘଭି, କପିଲ ସିବ୍ୱଲ ଓ ସଲମାନ ଖୁର୍ସିଦ ସୁରତ କୋର୍ଟ ରାୟ ବିରୋଧରେ ହାଇକୋର୍ଟରେ
ଅପିଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ୧୫୦ ପୃଷ୍ଠାର କୋର୍ଟ ରାୟ ଗୁଜରାଟୀ ଭାଷାରେ ଲେଖା ହୋଇଥିବାରୁ ଅପିଲ୍ ପ୍ରସ୍ତୁତିରେ ବିଳମ୍ବ ହୋଇଛି । ତେବେ ମଙ୍ଗଳବାର ବା ବୁଧବାର ସୁଦ୍ଧା ଅପିଲ୍ ଦାଖଲ କରାଯିବ ।
ସୁପ୍ରିମ୍କୋର୍ଟରେ ଜନପ୍ରତିନିଧିତ୍ୱ ଅଧିନିୟମ, ୧୯୫୧ର ଧାରା ୮(୩)ର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମ୍କୋର୍ଟରେ ସାମାଜିକ କାର୍ଯ୍ୟକର୍ତ୍ତା ଆଭା ମୁରଲୀଧରନ୍ ଏକ ପିଟିସନ୍ ଦାଖଲ କରିଛନ୍ତି । କୌଣସି ଜନପ୍ରତିନିଧି ଭାରତୀୟ ଦଣ୍ଡ ସଂହିତା ଧାରା ୪୯୯ ଅନୁଯାୟୀ ୨ ବର୍ଷ ବା ତା’ଠାରୁ ଅଧିକ ଜେଲ୍ ଦଣ୍ଡାଦେଶ ପାଇଲେ ସେ ଛାଏଁ ବିଧାୟକ/ସାଂସଦ ପଦ ପାଇଁ ଅଯୋଗ୍ୟ ବିବେଚିତ ହେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *