ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ୧୪ ବିରୋଧୀ ଦଳ

ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ, ଇଡି) ଗୁଡିକର ଦୁରୁପଯୋଗ ହେଉଛି । କେନ୍ଦ୍ର ସରକାର ଏସବୁ ତଦନ୍ତକାରୀ ସଂସ୍ଥାକୁ ହାତବାରିସୀ କରି ବିରୋଧୀ ଦଳଙ୍କୁ ଉଦେ୍ଦଶ୍ୟମୂଳକ ଭାବେ ହଇରାଣ ହରକତ କରୁଛନ୍ତି । ଏପ୍ରକାର ଅଭିଯୋଗକ୍ରମେ ଶୁକ୍ରବାର ଦେଶର ପ୍ରାୟ ୧୪ ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିରୋଧୀ ଦଳ ଏପରି ସମୟରେ ଏକଜୁଟ୍ ହୋଇଛନ୍ତି ଯେତେବେଳେ କି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ମାନହାନୀ ମୋକଦ୍ଦମା ମାମଲାରେ ସୁରତ୍ କୋର୍ଟ ୨ ବର୍ଷର ଜେଲ୍ଦଣ୍ଡ ସହ ୧୫ ହଜାର ଟଙ୍କାର ଜରିମାନାଦଣ୍ଡ ଲାଗୁ କରିଛନ୍ତି । ଅନ୍ୟପକ୍ଷେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ଆସନ୍ତା ୫ରେ ଶୁଣାଣି କରିବାକୁ ତାରିଖ ନିର୍ଘଣ୍ଟ କରିଛନ୍ତି । ପ୍ରକାଶ, ସୁପ୍ରିମକୋର୍ଟରେ ଦାଖଲ ଅଭିଯୋଗ ପତ୍ରରେ ୧୪ ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି ଯେ, ସିବିଆଇ ଏବଂ ଇଡି ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ବିଜେପି ବିରୋଧୀଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହାସହ ଯେଉଁ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି ସେମାନଙ୍କ ବିରୋଧରେ ଥିବା ମାମଲାକୁ ଚାପି ଦିଆଯାଉଛି । ତେବେ ବିଜେପି ବିରୋଧୀଙ୍କ ଏପ୍ରକାର ଅଭିଯୋଗକୁ ଖଣ୍ଡନ କରିଛି । କେନ୍ଦ୍ରୀୟ ଏଜେନ୍ସିଗୁଡିକ ପୂର୍ଣ୍ଣ ସ୍ୱାଧୀନତା ସହ କାମ କରୁଛନ୍ତି ବୋଲି ଦଳ କହିଛି । ବରିଷ୍ଠ ଅ ।ଇନଜୀବୀ ଅଭିଶେକ ମନୁ ସିଂଘଭୀ ବିରୋଧୀଙ୍କ ପକ୍ଷରୁ ମାମଲା ରୁଜୁ କରିଛନ୍ତି । ଏହାସହ ଗିରଫଦାରୀର ପୂର୍ବ ଏବଂ ପରେ କେନ୍ଦ୍ରୀୟ ଏଜେନ୍ସିଗୁଡିକ କେଉଁ ଗାଇଡ୍ଲାଇନ୍ ଅନୁପାଳନ କରୁଛନ୍ତି ବିରୋଧୀ ତାହା ଜାଣିବାକୁ ଚାହିଁଛନ୍ତି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଦଳଗୁଡିକ ମଧ୍ୟରେ କଂଗ୍ରେସ, ଟିଏମ୍ସି, ଆମ ଆଦମୀ ପାର୍ଟି, ଜେଡିୟୁ, ବିଆର୍ଏସ୍, ଆରଏସ୍ଡି, ଏସ୍ପି, ଶିବ ସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ନ୍ୟାସନାଲ କନଫରେନ୍ସ (ଏନ୍ସି), ଏନ୍ସିପି, ବାମ ଦଳ ଏବଂ ଡିଏମ୍କେ ଆଦି ଦଳ ସାମିଲ ଅଛନ୍ତି । ସୂତ୍ର ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହିସବୁ ବିରୋଧୀ ଦଳଙ୍କୁ ଏକଜୁଟ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *