ଫାଇନାଲ୍ରେ ଦିଲ୍ଲୀ-ମୁମ୍ବାଇ
ମହିଳା ପ୍ରିମିଅର୍ ଲିଗ୍୍ ୨୦୨୩
ମୁମ୍ବାଇ, ୨୪ା୩ (ଏଜେନ୍ସି): ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିଅର୍ ଲିଗ୍ ପ୍ରଥମ ସିଜନ୍ର ଫାଇନାଲ୍ରେ ପ୍ରବେଶ କରିଛି, ଯେଉଁଠି ୨୬ରେ ଦିଲ୍ଲୀ ସହ ତା’ର ମୁକାବିଲା ହେବ । ଶୁକ୍ରବାର ଖେଳାଯାଇଥିବା ଏଲିମିନେଟର୍ ମୁକାବିଲାରେ ମୁମ୍ବାଇ ଟିମ୍ ୟୁପି ୱାରିଅର୍ସକୁ ୭୨ ରନ୍ରେ ଏକତରଫା ଭାବେ ପରାସ୍ତ କରିଛି ।
ମୁମ୍ବାଇ ନାଟ୍ ସିଭର-ବ୍ରଣ୍ଟ ଉଭୟ ବ୍ୟାଟିଂ ଓ ବୋଲିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଇସୀ ୱଙ୍ଗ ଟୁର୍ଣ୍ଣାମେଣ୍ଟର ପ୍ରଥମ ହାଟ୍ରିକ୍ ନେଇଥିଲେ ।
୧୮୩ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ୟୁପି ଟିମ୍ ୧୭.୪ ଓଭର୍୍ରେ ୧୧୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।
ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧ ରନ୍ ମଧ୍ୟରେ ୩ ୱିକେଟ୍ ହରାଇଥିଲା । ଓପନର୍ ଶ୍ୱେତା ସେରାୱତ ୧, ଅଧିନାୟକ ଅଲୀସା ହୀଲୀ ୧୧ ରନ୍ କରି ଯଥାକ୍ରମେ ସାଇକା ଇସାକ୍ ଓ ଇସୀ ୱଙ୍ଗଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ତାହଲିଆ ମ୍ୟାକ୍ଗ୍ର ୭ ରନ୍ କରି ରନ୍ଆଉଟ୍ ହୋଇଯାଇଥିଲେ ।
ଏହାପରେ କିରଣ ନାଭଗିରେ ସ୍ଥିତି ସମ୍ଭାଳିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କୁ ବିଶେଷ ସହଯୋଗ ମିଳି ନ ଥିଲା । ଗ୍ରେସ୍ ହାରିସ୍ ୧୪ ରନ୍ କରି ନାଟ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । କିରଣ ବ୍ୟକ୍ତିଗତ ୪୩ ରନ୍ରେ ୱଙ୍ଗଙ୍କ ଶିକାର ହୋଇଥିଲେ । ୮୪ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲେ । ସିମରନ୍ ଶେଖ୍ ଓ ସୋଫି ଖାତା ଖୋଲି ନ ପାରି ଇଜୀ ୱଙ୍ଗଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପ୍ତି ଶର୍ମା ୧୬ ରନ୍ କରିଥିଲେ ।
ବିପକ୍ଷ ବୋଲର୍ ଇସୀ ୱଙ୍ଗ ୧୫ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ସାଇକା ୨ ଏବଂ ନାଟ୍, ହେଲୀ ଓ ଜିନ୍ତିମଣି କାଲିତା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ଏହା ପୂର୍ବରୁ ଡ. ଡିୱାଇ ପାଟିଲ୍ ସ୍ପୋର୍ଟ୍ସ ଏକାଡେମୀରେ ୟୁପି ୱାରିଅର୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ରେ ୧୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ନାଟ୍ ସ୍କିଭର-ବ୍ରଣ୍ଟ ସର୍ବାଧିକ ୭୨ ରନ୍ କରି ଅପରାଜିତ ଥିଲେ ।
ଯସ୍ତିକା ଭାଟିଆ ଓ ହେଲୀ ମାଥୁ୍ୟସ୍ଙ୍କ ଓପନିଂ ଯୋଡ଼ି ୩୧ ରନ୍ରେ ଭାଙ୍ଗିଥିଲା । ଯସ୍ତିକା ଭାଟିଆ (୨୧) ଅଞ୍ଜଳି ସର୍ବାଣୀଙ୍କୁ ଆଉଟ୍ କରିଥିଲେ । ଏହାପରେ ନାଟ୍ ଅନ୍ୟତମ ଓପନର୍ ହେଲୀ ମାଥୁ୍ୟସ୍ (୨୬)ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୩୮, ଅଧିନାୟିକା ହରମନପ୍ରୀତ କୌର (୧୪)ଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୩୫ ଓ ଆମେଲିଆ କେର୍ଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୬୦ ରନ୍ ଯୋଗ କରିଥିଲେ । ହେଲୀଙ୍କୁ ପାର୍ଶଭୀ ଚୋପ୍ରା ଆଉଟ୍ କରିଥିବା ବେଳେ ହରମନପ୍ରୀତ ଓ ଆମେଲିଆଙ୍କୁ ସୋଫି ଏକ୍ଲେଷ୍ଟୋନ୍ ପାଭିଲିଅନ୍ ପଠାଇଥିଲେ । ନାଟ୍ ୩୮ ବଲ୍ରୁ ୯ ଚୌକା ଓ ୨ ଛକା ସହାୟତାରେ ୭୨ ଏବଂ ପୂଜା ବସ୍ତ୍ରାକାର ୪ ବଲ୍ରୁ ୧୧ ରନ୍ କରି ଅପରାଜିତ ଥିଲେ ।