ରାହୁଲ ଅଯୋଗ୍ୟ

ନୂଆଦିଲ୍ଲୀ, ୨୪ା୩: ଦୁଇ ଦିନ ଭିତରେ ରାହୁଲଙ୍କୁ ଲାଗିଛି ଡବଲ ଝଟ୍କା । ମୋଦି ସର୍ନେମ୍ ଅପରାଧିକ ମାନହାନି ମାମଲାରେ ଗୁରୁବାର ସୁରତ କୋର୍ଟରୁ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ମିଳିବା ପରେ ଶୁକ୍ରବାର ତାଙ୍କ ସାଂସଦ ପଦକୁ ରଦ୍ଦ କରିଦିଆଯାଇଛି । ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢେ ୨ଟା ବେଳେ ଲୋକସଭା ସଚିବାଳୟ ପକ୍ଷରୁ ଏ ସମ୍ବନ୍ଧୀୟ ବିଜ୍ଞପ୍ତି ଜାରି କରାଯାଇଛି । ସମ୍ବିଧାନର ଅନୁଚ୍ଛେଦ ୧୦୨ (୧) ଓ ଜନପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୮ ଅନୁଯାୟୀ ରାହୁଲ ସଂସଦ ସଦସ୍ୟତା ପାଇଁ ଅଯୋଗ୍ୟ ବୋଲି ବିଜ୍ଞପ୍ତିରେ ଘୋଷଣା କରାଯାଇଛି ।
ଏହି କାରଣରୁ ରାହୁଲଙ୍କ ୱାୟନାଡ୍ (କେରଳ) ଲୋକସଭା ଆସନ ପାଇଁ ୨୦୨୪ ପୂର୍ବରୁ ଉପନିର୍ବାଚନ ହୋଇପାରେ । ତାଛଡା ତାଙ୍କୁ ମାସକ ଭିତରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିପାରେ । ନିୟମ ଅନୁଯାୟୀ ସଂସଦ ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷିତ ହେବା ପରେ କୌଣସି ସାଂସଦ ମାସେରୁ ଅଧିକ ସମୟ ସରକାରୀ ବାସଭବନରେ ରହିପାରିବେ ନାହିଁ । ପୂର୍ବରୁ ରାହୁଲଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୨୦୨୦ ଜୁଲାଇରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥିଲା । ଏସ୍ପିଜି ସିକୁ୍ୟରେଟି କାରଣରୁ ସେ ସେଠାରେ ରହୁଥିଲେ । ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ପରେ ପ୍ରିୟଙ୍କାଙ୍କୁ ବଙ୍ଗଳା ଛାଡିବାକୁ ପଡିଥିଲା । ଉଲ୍ଲେଖଯୋଗ୍ୟ ଯେ ୨୦୧୩ରୁ ଏପର୍ଯ୍ୟନ୍ତ ବିଜେପିର ୨ ଓ ବିରୋଧୀ ଦଳର ଲାଲୁ ପ୍ରସାଦ ଯାଦବ, ଜେ ଜୟଲଳିତା, ଆଜମ ଖାନ୍, ରାହୁଲ ଗାନ୍ଧୀ ଆଦି ୯ ନେତାଙ୍କ ସଂସଦ/ବିଧାନସଭା ସଦସ୍ୟତା ରଦ୍ଦ ହୋଇଛି । ସଂସଦ ସଚିବାଳୟର ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଘଣ୍ଟା ପରେ ରାହୁଲଙ୍କ ପ୍ରତିକ୍ରିୟା ଆସିଥିଲା । ସେ କହିଛନ୍ତି, ମୁଁ ଭାରତର ସ୍ୱର ପାଇଁ ଲଢୁଛି, ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ।
ଶୁକ୍ରବାର କଂଗ୍ରେସ ମୁଖ୍ୟାଳୟରେ ଆଗାମୀ ରଣନୀତି ନିର୍ଦ୍ଧାରଣ ପାଇଁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ରାହୁଲ ଗାନ୍ଧି ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ବୈଠକରେ ଯୋଗଦେଇଥିଲେ । ନିଷ୍ପତ୍ତି ଅନୁଯାୟୀ, କଂଗ୍ରେସ ସୋମବାରଠାରୁ ସମ୍ବିଧାନ ବଞ୍ଚାଅ ଆନେ୍ଦାଳନ ଆରମ୍ଭ କରିବ । ବ୍ଲକ୍ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହିପରି ଦେଶବ୍ୟାପୀ ‘ଜନଆନେ୍ଦାଳନ’ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଏବଂ କୁହାଯାଇଛି ଯେ ରାହୁଲଙ୍କୁ ମିଳିଥିବା ସଜ୍ଜା ଓ ତାଙ୍କ ଅଯୋଗ୍ୟତା ବିରୋଧରେ ରାଜନୈତିକ ତଥା ଆଇନଗତ ଲଢେଇ ଜାରି ରହିବ । ସୁରତ ଅଦାଲତ ରାୟ ବିରୋଧରେ ରହିତାଦେଶ ମିଳିଲେ ରାହୁଲ ପୁଣି ସଂସଦ ସଦସ୍ୟତା ଫେରି ପାଇବେ । ଅନ୍ୟଥା ତାଙ୍କ ସଦସ୍ୟତା ରଦ୍ଦର ପ୍ରଭାବ କଂଗ୍ରେସ ଦଳ ଉପରେ ପଡିବ । ରାହୁଲ ଦୁଇବର୍ଷ ଜେଲ୍ ଭୋଗିବା ପରେ ପରବର୍ତ୍ତୀ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ । ଏହାଦ୍ୱାରା ୨୦୨୪ ଓ ୨୦୨୯ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷତିଗ୍ରସ୍ତ ହୋଇପାରେ । ଏହିସବୁ କାରଣରୁ ଦଳ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଉପରେ ବିଚାରବିମର୍ଶ ଚାଲିଛି ।
ରାହୁଲ ଅଯୋଗ୍ୟ ଘୋଷିତ ହେବା ପୂର୍ବରୁ କଂଗ୍ରେସ ସମେତ ୧୪ ବିରୋଧୀ ଦଳର ସାଂସଦମାନେ ପ୍ରଥମେ ସଂସଦ ଓ ପରେ ରାଜଧାନୀ ଦିଲ୍ଲୀର ରାଜମାର୍ଗରେ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ । ସେମାନେ ଧରିଥିବା ପୋଷ୍ଟରରେ ଲେଖାଥିଲା- ଗଣତନ୍ତ୍ର ଏବେ ବିପଦରେ । ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡ୍ଗେ କହିଛନ୍ତି, ଗଣତନ୍ତ୍ରର ସୁରକ୍ଷା ପାଇଁ ଦରକାର ପଡିଲେ ଆମେ ଜେଲ୍ ଯିବୁ । ଦଳ ପକ୍ଷରୁ ରାହୁଲଙ୍କ ସମର୍ଥନରେ ସୋସାଲ୍ ମିଡିଆରେ ‘ଡରୋ ମତ୍’ କ୍ୟାମ୍ପେନ୍ ଆରମ୍ଭ ହୋଇଛି ।
ଅନ୍ୟ ଏକ ଘଟଣାକ୍ରମରେ ଶୁକ୍ରବାର ୧୪ ବିରୋଧୀ ଦଳ ପକ୍ଷରୁ ସିବିଆଇ-ଇଡି ଚଢଉ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟରେ ପିଟିସନ ଦାଖଲ କରାଯାଇଛି । ଏହାର ଶୁଣାଣି ଏପ୍ରିଲ ୫ରେ ହେବ । କେରଳ, କର୍ଣ୍ଣାଟକ ତଥା ଅନ୍ୟାନ୍ୟ ରାଜ୍ୟରେ କଂଗ୍ରେସ-ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବ କୁମାରଙ୍କୁ ଗିରଫ କରାଯାଇଛି । ରାଜ୍ୟସଭା ଓ ଲୋକସଭାକୁ ମାର୍ଚ୍ଚ ୨୭ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *