ମାନହାନି ମାମଲା କରିବେ ରେଣୁକା
ମୋଦି ବି ଦେଇଥିଲେ ‘ସୂର୍ପଣଖା’ ମନ୍ତବ୍ୟ
ନୂଆଦିଲ୍ଲୀ (ଏଜେନ୍ସି): ସବୁ ମୋଦି ସାଙ୍ଗିଆ ଧାରକ ଚୋର’ ବୋଲି ମନ୍ତବ୍ୟ ଦେଇ ଆଜି ହଟହଟା ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବିଜେପିର ଜଣେ ମୋଦି ସାଙ୍ଗିଆ ଧାରକ ବିଧାୟକ ରାହୁଲଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଥିବା ବେଳେ ଆଜି ରାହୁଲଙ୍କୁ ୨ ବର୍ଷ ଜେଲ୍ଦଣ୍ଡ ସହ ୧୫ ହଜାର ଜରିମାନା ଦଣ୍ଡ ମିଳିଛି । ଏଥିସହ ତାଙ୍କ ଲୋକସଭା ସଦସ୍ୟତା ମଧ୍ୟ ଶେଷ ହେବାକୁ ବସିଛି । ତେବେ ଏସବୁ କିଛି ହୋଇଛି ବିବାଦୀୟ ମନ୍ତବ୍ୟ କାରଣରୁ ବୋଲି କୁହାଯାଉଛି । ଏସବୁ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତ୍ରୀ ରେଣୁକା ଚୌଧୂରୀ ମଧ୍ୟ ପ୍ରତିଶୋଧପରାୟଣ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ରେଣୁକା କହିଛନ୍ତି, ୨ଠ୧୮ରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ଉଦେ୍ଦଶ୍ୟରେ ସଂସଦ ଭବନ ମଧ୍ୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ମୋଦି ତାଙ୍କୁ ସୁର୍ପଣଖା ବୋଲି ସମ୍ବୋଧିତ କରିଥିଲେ । କିନ୍ତୁ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ । ଏବେ ଯେତେବେଳେ ଦଳର ମୁଖ୍ୟ ରାହୁଲଙ୍କୁ ମନ୍ତବ୍ୟ ପରିପ୍ରେକ୍ଷୀରେ ଦଣ୍ଡାଦେଶ ହୋଇଛି ସେତେବେଳେ ରେଣୁକା ଚୌଧୂରୀ ମଧ୍ୟ ତାଙ୍କୁ ମୋଦି କରିଥିବା ଆକ୍ଷେପର ପ୍ରତିଶୋଧ ନେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଅବସରରେ ମୋଦି ସଂସଦରେ ତାଙ୍କୁ ସୁର୍ପଣଖା ସମ୍ବୋଧିତ କରୁଥିବାର ଏକ ପୁରୁଣା ଭିଡିଓ କ୍ଲିପ୍ ଟ୍ୱିଟ୍ କରି ରେଣୁକା ଲେଖିଛନ୍ତି: ଦେଖିବା, ଅଦାଲତ ଏବେ କେତେ ତତ୍ପରତା ପ୍ରକାଶ କରୁଛି । ତେବେ ସଂସଦୀୟ ଅଧିବେଶନର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ରେଣୁକାଙ୍କ ନାମ ଉଲ୍ଲେଖ ନ କରି ତାଙ୍କ ହସକୁ ଧାରାବାହିକ ରାମାୟଣର ଚରିତ୍ର ସୁର୍ପଣଖାର ଅଟ୍ଟହାସ୍ୟ ସହିତ ତୁଳନା କରିଥିଲେ ।