କହୁଛନ୍ତି ଟଙ୍କା ଦିଅ, କାମ ହେବ

ବର୍ଷାଧିକ କାଳ ଗାଦି ଛାଡ଼ୁନାହାନ୍ତି ଅଧିକାରୀ, କର୍ମଚାରୀ
ସରକାରୀ କର୍ମଚାରୀଙ୍କ ବଦଳି ନିୟମ ପାଣିର ଗାର
ଟ୍ୱିଟ୍ ଯୋଗେ
ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ
ପୁରୀ (ବୁ୍ୟରୋ): ରାଜ୍ୟ ସରକାରଙ୍କ ନିୟମାନୁସାରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଗୋଟିଏ ଜିଲ୍ଲାରେ ମାତ୍ରାଧିକ ୩ବର୍ଷ କାର୍ଯ୍ୟ କରିପାରିବେ । ୩ବର୍ଷ ପରେ ତାଙ୍କର ଅନ୍ୟ ଜିଲ୍ଲାକୁ ବଦଳି ହେବା କଥା । ଫଳରେ ଜିଲ୍ଲାରେ ଦୁର୍ନୀତି କମିବା ଠାରୁ ପରିଚାଳନା କାର୍ଯ୍ୟ ସନ୍ତୁଳନ ରହିବ । ହେଲେ ପୁରୀ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏଥିରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି । ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ବର୍ଷ ଧରି ଅଧିକାରୀମାନେ ନିଜ ଗାଦି ମାଡି ବସିଥିବା ବେଳେ ସେମାନେ ପୁରୀ ଛାଡିବାକୁ ଚାହୁଁନଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଚାକିରି କାଳ ଶେଷ ପର୍ଯ୍ୟନ୍ତ କିଭଳି ପୁରୀରେ ରହିବେ ସେ ନେଇ ମଧ୍ୟ ଯୋଜନା କରିଛନ୍ତି ।
ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ଓ ପିଅନମାନେ ଦୀର୍ଘଦିନ ଧରି ଏଠାରେ ରହିଥିବା ବେଳେ ସେମାନଙ୍କ ରାଜୁତି ଯୋଗୁ ସାଧାରଣ ଲୋକଟିଏ ସେବା ପାଇଁ ଗଲେ ସେମାନଙ୍କ ଆକ୍ରୋଶର ଶିକାର ହେଉଛି । ଦୀର୍ଘ ଦିନ ହେଲା ଏମାନେ ଗୋଟିଏ ସ୍ଥାନରେ ହିଁ ରହିଥିବାରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ବଢୁଥିବା ଦୃଢ଼ ଅଭିଯୋଗ ହେଉଛି । ଜିଲ୍ଲାର ୩୨ଟି ବିଭାଗରେ ଶହ ଶହ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଉତ୍କୋଚ ନ ହେଲେ କାର୍ଯ୍ୟ କରୁନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି । ଏପରିକି ସାଧାରଣ ଲୋକଙ୍କୁ ସିଧାସଳଖ ଧମକ ଦେବା ସହ ଉକ୍ରୋଚ ନ ଦେଲେ କାର୍ଯ୍ୟ ହେବନି ବୋଲି ରୋକ୍ ଠୋକ୍ କହୁଛନ୍ତି ।
ଏନେଇ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ସୁଦ୍ଧା କେହି ଶୁଣୁନାହାନ୍ତି । ଫଳରେ ସାଧାରଣ ଲୋକେ ନ୍ୟାୟ ଓ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।
ଏହାକୁ ଭିତ୍ତି କରି ସମାଜସେବୀ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଟ୍ୱିଟ୍ କରିଛନ୍ତି । ତତ୍ସହିତ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ନିକଟକୁ ମଧ୍ୟ ପ୍ରେରଣ କରିଛନ୍ତି । ଏନେଇ ଶ୍ରୀ ମିଶ୍ର କୁହନ୍ତି ଯେ, ଜିଲ୍ଲାର ୩୨ ବିଭାଗରେ ଶହ ଶହ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ପୁରୀ ପୌରପାଳିକା ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଅନେକ ଅଧିକାରୀ ଗାଦି ମାଡି ବସିଛନ୍ତି । ଏପରିକି ଅନେକ କର୍ମଚାରୀଙ୍କ ଘର ପୁରୀ ହୋଇଥିବାବେଳେ ସେମାନେ ମଧ୍ୟ ଏଠାରେ ଚାକିରି କରୁଛନ୍ତି । ସେହିଭଳି ଅମଲାରେ ମଧ୍ୟ ଅନେକ କର୍ମଚାରୀ ଏଠାରେ ନିଯୁକ୍ତି ପାଇଥିବା ବେଳେ ଏହିଠାରୁ ହିଁ ଅବସର ନେବା ନଜିର ରହିଛି । ଫଳରେ ଜିଲ୍ଲା କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟରେ ଦିନକୁ ଦିନ ଦୁର୍ନୀତିଗ୍ରସ୍ତ ହେଉଥିବା ବେଳେ ଏଥିରେ ରୋକ୍ ଲଗାଇବା ପାଇଁ ପ୍ରଶାସନିକ ଉଚ୍ଚ ଅଧିକାରୀ କଡ଼ା ପଦକ୍ଷେପ ଗ୍ରହଣ କରିବା ଜରୁରି ହୋଇପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *