ନବୀନଙ୍କୁ ଭେଟିଲେ ମମତା
ଭୁବନେଶ୍ୱର, ୨୩ା୩ (ବୁ୍ୟରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅପରାହ୍ଣରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିବା ସହିତ ତିନି ରଥର କାଠରେ ତିଆରି ପ୍ରତିକୃତି ଉପହାର ଦେଇଥଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ । ଏହି ଅବସରରେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ସଦିଚ୍ଛା ସ୍ୱରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶାବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଏକର ଜମି ଉପହାର ସ୍ୱରୂପ ଦେଇଥିଲେ ।
ସୁଶ୍ରୀ ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ୱ ବାଂଲା ଦ୍ୱାରା ପ୍ରସ୍ତୁତ ଏକ ଶାଲ ଉପହାର ଦେଇଥିଲେ । ଏହା ସହିତ ବିଜୁବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋରେ ଜାମଦାନି ଶାଢ଼ି ଦେଇ ଶ୍ରଦ୍ଧା ନିବେଦନ କରିଥିଲେ ମମତା । ଭୁବନେଶ୍ୱରରେ ୨୧ ତାରିଖ ଦିନ ପହଂଚିବା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ । ଉଭୟ ନେତା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ ।
ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ପ୍ରତିକ୍ରିୟା ଦେଇ ସୁଶ୍ରୀ ବାନାର୍ଜୀ ଓଡିଶା ସରକାରଙ୍କ ଆତିଥ୍ୟକୁ ଭୂରିଭୂରି ପ୍ରଶଂସା କରି କହିଥିଲେ, ଓଡିଶାରେ ବହୁତ ଭଲ ଆତିଥ୍ୟ ଓ ଚର୍ଚ୍ଚା ମିଳିଲା । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବହୁତ ଭଲ ଦର୍ଶନ ମିଳିଲା । ଦାୟିତ୍ୱରେ ଥିବା ଅଫିସରମାନେ ବହୁତ ଭଲ ସୁବିଧା ଯୋଗାଇଲେ । ପୁରୀରେ ଜାଗା ଦେଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପଶ୍ଚିମବଙ୍ଗ ଆସିବାକୁ ସୁଶ୍ରୀ ବାନାର୍ଜୀ ନିମନ୍ତ୍ରଣ ଦେଇଛନ୍ତି ।
ସେହିପରି ମମତାଙ୍କ ସହ ଆଲୋଚନା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ଆମ ଭିତରେ ବହୁତ ପୁରୁଣା ବନ୍ଧୁତା ଓ ସୁନ୍ଦର ସମ୍ପର୍କ ଅଛି । ଆଲୋଚନା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନି ।