ଜୋର୍ ଧରିଲା ରାଜନୈତିକ ପ୍ରତିକ୍ରିୟା

ସୁରତ୍ କୋର୍ଟ ରାୟ ବିରୋଧରେ କଂଗ୍ରେସ ସମର୍ଥକଙ୍କ ଦେଶବ୍ୟାପୀ ବିକ୍ଷୋଭ
ନୂଆଦିଲ୍ଲୀ (ଏଜେନ୍ସି): ‘ସବୁ ଚୋରଙ୍କ ସରନେମ୍ (ସାଙ୍ଗିଆ) ମୋଦି କାହିଁକି?’ ୨ଠ୧୯ରେ ଏକ ନିର୍ବାଚନୀ ପ୍ରଚାର ରାଲିକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପ୍ରକାର ବିବାଦୀୟ ବୟାନ୍ ଦେଇଥିଲେ । ତେବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରାଯାଇଥିଲା । ଏହି ମାମଲାର ରାୟ ଏବେ ସାମ୍ନାକୁ ଆସିଛି । ଗୁଜରାଟର ସୁରତ୍ ସ୍ଥିତ ଏକ କୋର୍ଟ ଗୁରୁବାର ଦିନ ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ତାଙ୍କ ବିରୋଧରେ ୨ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କାର ଜରିମାନା ଦଣ୍ଡ ମଧ୍ୟ ଦେଇଛନ୍ତି । ତେବେ ଅବଶ୍ୟ ରାୟ ଆସିବାର ମାତ୍ର ୨୭ ମିନିଟ୍ ପରେ କୋର୍ଟ ତାଙ୍କୁ ଏହି ମାମଲାରେ ୩ଠ ଦିନ ପର୍ଯ୍ୟନ୍ତ ଜାମିନ୍ ମଧ୍ୟ ପ୍ରଦାନ କରିଛନ୍ତି । ଅର୍ଥାତ୍ କୋର୍ଟ ଏହି ମାମଲାରେ ଆସନ୍ତା ୩ଠ ଦିନ ପର୍ଯ୍ୟନ୍ତ ରାହୁଲଙ୍କ ଦଣ୍ଡାଦେଶକୁ ସ୍ଥଗିତ କରିଦେଇଛନ୍ତି । ଶୁଣାଣି ସମୟରେ ରାହୁଲ ଗାନ୍ଧୀ ନିଜେ କୋର୍ଟରେ ଉପସ୍ଥିତ ରହିଥିଲେ ।
ଦୀର୍ଘ ୪ ବର୍ଷ ଧରି ଏହି ମାମଲାରେ ଶୁଣାଣି ଜାରି ରହିଥିଲା । ତେବେ ଚଳିତ ମାସ ୧୭ ତାରିଖରେ ଏହି ମାମଲାରେ କୋର୍ଟ ସମସ୍ତ ପକ୍ଷର ଯୁକ୍ତି ଓ ତର୍କକୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ପ୍ରକାଶ, ରାହୁଲଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଏହି ମାମଲାରେ ରାହୁଲଙ୍କୁ ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଆବେଦନକାରୀଙ୍କ ପକ୍ଷର ଓକିଲ ରାହୁୂଲଙ୍କୁ ନିଜ ବିବାଦୀୟ ମନ୍ତବ୍ୟ ପାଇଁ କଠୋର ଦଣ୍ଡାଦେଶ ପାଇଁ କୋର୍ଟଙ୍କୁ ଆଗ୍ରହ କରିଥିଲେ ।
ଅନ୍ୟପକ୍ଷେ ଏପ୍ରକାର ଏକ ଘଟଣାକୁ ନେଇ ଜାତୀୟ ରାଜନୀତିରେ ହଲ୍ଚଲ୍ ସୃଷ୍ଟି ହୋଇଛି । ଅନେକ ଦଳର ନେତା, ପ୍ରମୁଖ ବ୍ୟକ୍ତିବିଶେଷ ମତ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ମାନହାନୀ ମୋକଦ୍ଦମା ମାମଲାରେ ରାହୁଲଙ୍କୁ ୨ବର୍ଷର ଜେଲ୍ଦଣ୍ଡ ଏବଂ ୧୫ ହଜାର ଜରିମାନା ପ୍ରସଙ୍ଗରେ କେଉଁ ନେତା କ’ଣ କହିଛନ୍ତି ସେସମ୍ପର୍କରେ ଏକ ସୂକ୍ଷ୍ମ ରିପୋର୍ଟ…
ପ୍ରିୟଙ୍କା ଗାନ୍ଧୀ: ଭୟଭୀତ କେନ୍ଦ୍ର ସରକାରଙ୍କ ପୁରା ଶାସନ ବ୍ୟବସ୍ଥା କଳେ ବଳେ କୌଶଳେ ରାହୁଲଙ୍କ ସ୍ୱରକୁ ଦବାଇଦେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ମୋ’ ଭାଇ କେବେ ଡରିନାହାନ୍ତି କିମ୍ବା କଦାପି ଡରିବେନି । ସତ୍ୟ ପାଇଁ ସେ ବଞ୍ଚିଆସିଛନ୍ତି, ସତ୍ୟ ହିଁ କହିବା ଜାରି ରଖିବେ । ଦେଶ ଓ ଦେଶବାସୀଙ୍କ ପାଇଁ ସେ ସଦାସର୍ବଦା ସ୍ୱର ଉତ୍ତୋଳନ କରୁଥିବେ । ସତ୍ୟର ଶକ୍ତି ଏବଂ କୋଟି କୋଟି ଦେଶବାସୀଙ୍କ ସ୍ନେହ, ଭଲପାଇବା ମୋ’ ଭାଇଙ୍କ ସହ ରହିଛି ।
ମଲ୍ଲିକାର୍ଜୁନ୍ ଖର୍ଗେ: ରାହୁଲଙ୍କୁ ଏହି ମାମଲାରେ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । କଂଗ୍ରେସ ଦେଶର ଆଇନ୍ କାନୁନ୍ ବ୍ୟବସ୍ଥା ଉପରେ ବିଶ୍ୱାସ ତଥା ଏହାର ସମ୍ମାନ କରିଆସିଛି । ଏବେ ଏହି ବିଶ୍ୱାସକୁ ପାଥେୟ କରି ରାହୁୂଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଲଢ଼େଇ ଲଢ଼ାଯିବ ।
କିରେନ୍ ରିଜିଜୁ: ଏସମ୍ପର୍କରେ କିଛି କହିବା ପୂର୍ବରୁ ପ୍ରଥମେ ମୁଁ କୋର୍ଟଙ୍କ ରାୟର କପି ଦେଖିବାକୁ ଚାହିଁବି । କିନ୍ତୁ ହଁ, ରାହୁଲ ଯେତେବେଳେ ବି କିଛି କହନ୍ତି ତାହା କେବଳ ଦେଶକୁ କ୍ଷତି ପହଞ୍ଚାଇଥାଏ ତାହା ନୁହେଁ ସେ ନିଜେ ଏବଂ ତାଙ୍କ ଦଳ କଂଗ୍ରେସ ପାଇଁ ମଧ୍ୟ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଏକଥା କେବଳ ସରକାରରେ ଥିବା ଜଣେ ନେତା ବା ମନ୍ତ୍ରୀ ଭାବେ ନୁହେଁ ବରଂ ସମସ୍ତ ଦେଶବାସୀ ଏପରିକି ତାଙ୍କରି ଦଳ (କଂଗ୍ରେସ)ର କିଛି ନେତା (ନାମ ଗୋପନ ରଖିବା ପୂର୍ବକ) ମୋତେ ବାରମ୍ବାର କହିଛନ୍ତି ।
ରାଜନାଥ ସିଂହ: ନିଜ ଭାଷା ଓ ଶବ୍ଦ ଉପରେ ସଂଯମତା ଅତ୍ୟନ୍ତ ଜରୁରି ଅଟେ । ଏହି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବହୁତ କିଛି ଶିକ୍ଷା ମିଳିବ ବୋଲି ଆଶା କରୁଛି ।
ଅରବିନ୍ଦ କେଜରିୱାଲ: ଦେଶରେ ଏବେ ଅଣବିଜେପି ଦଳ ଏବଂ ନେତାମାନଙ୍କ ବିରୋଧରେ (ଆଇନ୍ କାନୁନ୍, ତଦନ୍ତ ଆଳରେ) ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ଭୟଭୀତ କରାଯିବାକୁ ଚେଷ୍ଟା କରାଯାଉଛି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦେଶରୁ ସମସ୍ତ ଅଣବିଜେପି ଦଳ ଓ ନେତାମାନଙ୍କୁ ଶେଷ କରିଦେବାକୁ ଷଡଯନ୍ତ୍ର ରଚିଛି । ରାହୁଲଙ୍କ ସହ ମୋ’ର ଏବଂ କଂଗ୍ରେସ ସହ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ରାଜନୈତିକ ମତଭେଦ ରହିଛି ଏହା ସତ୍ୟ କିନ୍ତୁ ରାହୁଲଙ୍କୁ ଏପ୍ରକାର ସାମାନ୍ୟ ଏକ ମନ୍ତବ୍ୟ ଆଳରେ ଆଇନ୍ ଜାଲରେ ଛନ୍ଦିବା ଉଚିତ୍ ନୁହେଁ । ଜନତା ଏବଂ ବିରୋଧୀ ଦଳଙ୍କ କାମ ହେଉଛି ସରକାର ବା କ୍ଷମତାସୀନ ଦଳକୁ ପ୍ରଶ୍ନ କରିବା । ବିରୋଧୀ ନିଜ କାମ ଠିକ୍ ଭାବେ କରୁଥିବା ବେଳେ କ୍ଷମତାସୀନ ଦଳ ଭୟଭୀତ ହୋଇ ଏପ୍ରକାର ପ୍ରତିଶୋଧ ପରାୟଣ ଆଚରଣ କରିବା ଦେଶପକ୍ଷେ ଆଦୌ ହିତକର ନୁହେଁ । କୋର୍ଟଙ୍କ ରାୟକୁ ସମ୍ମାନ କରୁଛୁ, କିନ୍ତୁ ଏହି ମାମଲାରେ କୋର୍ଟ ରାୟ ସହ ସହମତ ହୋଇପାରୁନାହୁଁ ।
ଭୂପେଶ ବାଘେଲା: ଶାସକ ଦଳ ପକ୍ଷରୁ ଗଣମାଧ୍ୟମକୁ ଦବାଇଦେବାକୁ ଅପଚେଷ୍ଟା କରାଯାଉଛି । ନ୍ୟାୟପାଳିକାକୁ ପ୍ରଭାବିତ କରାଯିବା ସହ ସେମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ରାଜନୈତିକ ବ୍ୟକ୍ତିବିଶେଷଙ୍କ ଉପରେ ଏପ୍ରକାର ବେଆଇନ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଧମକାଇବାକୁ ଯୋଜନା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *