ରାଜ୍ୟ ବିଜେପିର ମଙ୍ଗ ଧରିଲେ ମନମୋହନ
ଭୁବନେଶ୍ୱର, ୨୩ା୩ (ବୁ୍ୟରୋ): ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲଙ୍କୁ ଦଳର ରାଜ୍ୟ ସଭାପତି କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିଦେ୍ର୍ଦଶକ୍ରମେ ମହାସଚିବ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ କୁମାର ସିଂହଙ୍କ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନିଯୁକ୍ତି ତକ୍ରାଳ କାର୍ଯ୍ୟକାରୀ ହୋଇଛି । ୧୯୫୯ ଏପ୍ରିଲ ୧୫ରେ ଜନ୍ମ ଗ୍ରହଣ କରିଥିବା ମନମୋହନ ସାମଲ ଜଣେ ଅଭିଜ୍ଞ ରାଜନେତା । ପୂର୍ବରୁ ସେ ଦୁଇଥର ବିଜେପି ରାଜ୍ୟ ଶାଖା ଅଧ୍ୟକ୍ଷ ଥିଲେ । ବିଧାୟକ ଓ ମନ୍ତ୍ରୀ ଭାବରେ ସେ ଦାୟିତ୍ୱ ତୁଲାଇଛନ୍ତି । ୨୦୦୪ ନିର୍ବାଚନରେ ସେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ସମୟରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଶ୍ରୀ ସାମଲ ରାଜସ୍ୱମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।
ସମୀର ମହାନ୍ତିଙ୍କ ସ୍ଥାନରେ ସଭାପତି ହେବା ପରେ ଶ୍ରୀ ସାମଲଙ୍କୁ ଦଳୀୟ ନେତା, କର୍ମୀ, ସମର୍ଥକଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ବିଦାୟୀ ସଭାପତି ଶ୍ରୀ ମହାନ୍ତି ମନମୋହନ ସାମଲଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, ସହଯୋଗୀ, ଗଣମାଧ୍ୟମ ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ସଭାପତି ହେବା ପରେ ଶ୍ରୀ ସାମଲ କହିଛନ୍ତି, ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ସହିତ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରିବେ ।
ରାଜ୍ୟ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଥିଲେ ଯେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଓ ସମ୍ବିଧାନ ଥିବା ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସର୍ବବୃହତ୍ ତଥା ଏକ ନମ୍ବର ରାଜନୈତିକ ଦଳ । ଏହାର ସଦସ୍ୟ ୧୮ କୋଟିରୁ ଊଦ୍ଧ୍ୱର୍ । ନବନିଯୁକ୍ତ ସଭାପତି ଶ୍ରୀ ସାମଲଙ୍କ ନେତୃତ୍ୱରେ ଦଳ ତୃଣମୂଳ ସ୍ତରରୁ ସୁଦୃଢ଼ ହେବା ସହିତ ବିଜୁ ଜନତା ଦଳର ବିକଳ୍ପ ହେବ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୦ ଜାନୁଆରୀ ୧୭ରୁ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ଜାନୁଆରୀରେ ଶେଷ ହୋଇଥିଲା । ଏହି ୩ ବର୍ଷ ଅବଧିରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପାର୍ଟି କୋଭିଡ ସଂକଟର ମୁକାବିଲା କରିବା ସହିତ ଧାମନଗର ଉପନିର୍ବାଚନରେ ବିଜୟ ହାସଲ କରିଥିଲା । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସାଙ୍ଗଠନିକ ପରିବର୍ତ୍ତନ କରିବାକୁ ଯାଇ ଓଡିଶା ଭଳି ଅନ୍ୟ ତିନି ରାଜ୍ୟ ତଥା ବିହାର, ରାଜସ୍ଥାନ ଓ ଦିଲ୍ଲୀ ପାଇଁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛି । ବିହାର ବିଧାନ ପରିଷଦରେ ଦଳର ନେତା ଥିବା ସମ୍ରାଟ ଚୌଧରୀଙ୍କୁ ରାଜ୍ୟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସେହିପରି ଚିତୌଡଗଡ ସାଂସଦ ଚନ୍ଦ୍ର ପ୍ରକାଶ ଯୋଶୀ (ସିପି ଯୋଶୀ)ଙ୍କୁ ରାଜସ୍ଥାନ ବିଜେପିର ଅଧ୍ୟକ୍ଷ କରାଯାଇଛି । ଦିଲ୍ଲୀ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କୁ ପଦୋନ୍ନତି ଦେଇ ପ୍ରଦେଶ ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଛି ।