ଫାଇନାଲ୍ରେ ନିଖତ, ଲଭଲୀନା, ନୀତୁ ଓ ସୱୀଟୀ
ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ
ନୂଆଦିଲ୍ଲୀ, ୨୩ା୩ (ଏଜେନ୍ସି): ଦୁଇ ଭାରତୀୟ ତାରକା – ବିଶ୍ୱ ବିଜୟିନୀ ନିଖତ ଜରୀନ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ନୀତୁ ଘଙ୍ଘାସ ଗୁରୁବାର ନିଜ ନିଜ ବର୍ଗରେ ଦମ୍ଦାର ବିଜୟ ହାସଲ କରି ଆଇବିଏ ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିଅନ୍ସିପ୍ସର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । ଦିନର ଦ୍ୱିତୀୟ ସତ୍ରରେ ଅନ୍ୟ ଦୁଇ ଭାରତୀୟ – ଲଭଲୀନା ବୋର୍ଗୋହେନ୍ ଓ ସୱୀଟୀ ବୂରା ମଧ୍ୟ ନିଜ ନିଜ ବର୍ଗରେ ଫାଇନାଲ୍ରେ ସ୍ଥାନ ପାଇଛନ୍ତି ।
ଆଶାନୁଯାୟୀ, ୫୦ କିଲୋଗ୍ରାମ ବର୍ଗ ସେମିଫାଇନାଲ୍ରେ ନିଖତ କଲମ୍ବିଆର ଇନଗ୍ରିତ ଭାଲେନ୍ସିଆଙ୍କୁ ୫-୦ରେ ସହଜରେ ହରାଇଥିଲେ । ତେବେ ନୀତୁ ୪୮କିଗ୍ରାରେ କାଜାଖସ୍ତାନର ଅଲୁଆ ବଲକିବେକୋଭାଙ୍କ ବିପକ୍ଷରେ ୫-୨ରେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲେ ।
ଆର୍ଏସ୍ସି (ରେଫରୀ ଷ୍ଟପ୍ସ କଣ୍ଟେଷ୍ଟ)ରେ କ୍ରମାଗତ ତିନି ବାଉଟ୍ ଜିତିଥିବା ନୀତୁ ଟୁର୍ଣ୍ଣାମେଣ୍ଟରେ ତାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଥିଲେ । ଏସୀୟ ବିଜୟିନୀ ତଥା ଗତ ବର୍ଷର ବିଶ୍ୱ ଚାମ୍ପିଅନ୍ସିପ୍ସ କାଂସ୍ୟ ବିଜୟିନୀ ଅଲୁଆଙ୍କ ବିପକ୍ଷରେ ତାଙ୍କୁ ଅବଶ୍ୟ ସମସ୍ତ ତିନି ରାଉଣ୍ଡରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା କରିବାକୁ ପଡ଼ିଥିଲା । ବାଉଟ୍କୁ ସମୀକ୍ଷା କରାଯିବା ପରେ ସେ ୫-୨ରେ ବିଜୟୀ ହୋଇଥିଲେ ଏବଂ ସଠିକ୍ ପଞ୍ଚ ଓ ଦୃଢ଼ ମନୋବଳ ବଳରେ ପ୍ରତିଯୋଗିତାରେ ପ୍ରଥମ ଥର ଫାଇନାଲ୍ରେ ସ୍ଥାନ ପାଇଥିଲେ ।
ଏହା ଗତ ବର୍ଷ ହୋଇଥିବା ବିଶ୍ୱ ଚାମ୍ପିଅନ୍ସିପ୍ସ କ୍ୱାର୍ଟର୍-ଫାଇନାଲ୍ର ରି-ମ୍ୟାଚ୍ ସଦୃଶ ଥିଲା । ନୀତୁ ଶନିବାର ହେବାକୁ ଥିବା ଫାଇନାଲ୍ରେ ୨୦୨୨ ଏସୀୟ ଚାମ୍ପିଅନ୍ସିପ୍ସ କାଂସ୍ୟ ବିଜୟିନୀ ମଙ୍ଗୋଲିଆର ଲୁତସାଇଖାନ ଅଲଟାଣ୍ଟସେଗ୍ଙ୍କୁ ଭେଟିବେ ।
ନୀତୁଙ୍କ ତୁଳନାରେ ନିଖତଙ୍କ ବାଉଟ୍ ସେତେ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇ ନ ଥିଲା । ୨୬ବର୍ଷୀୟ ନିଖତଙ୍କ କ୍ଷିପ୍ର ଗତି ଆଗରେ ରିଓ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ଇନ୍ଗ୍ରିତଙ୍କ କୌଣସି ଜବାବ ନ ଥିଲା । ଆରମ୍ଭରୁହିଁ ଭାରତୀୟ ମୁଷ୍ଟିଯୋଦ୍ଧା ଆଧିପତ୍ୟ ବିସ୍ତାର କରିଥିଲେ । ପରବର୍ତ୍ତୀ ରାଉଣ୍ଡଗୁଡ଼ିକରେ ବି ତାଙ୍କୁ ଅଟକାଇବା ସହଜ ନ ଥିଲା । ସେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇ ନ ଥିଲେ ଏବଂ ସର୍ବସମ୍ମତ ନିଷ୍ପତ୍ତିରେ ବିଜୟୀ ହୋଇଥିଲେ । ନିଖତ ରବିବାର ହେବାକୁ ଥିବା ଫାଇନାଲ୍ ମୁକାବିଲାରେ ଦୁଇ ଥର ଏସୀୟ ବିଜୟିନୀ ଭିଏତନାମର ନୁୟେନ ଥି’ ତାମଙ୍କୁ ଭେଟିବେ ।
୭୫କିଗ୍ରା ବର୍ଗର ଅନ୍ତିମ-୮ରେ ଦୁଇ ଥର ବିଶ୍ୱ ଚାମ୍ପିଅନ୍ସିପ୍ କାଂସ୍ୟ ପଦକଧାରିଣୀ ଲଭଲୀନା ଚୀନ୍ର ଲି’ କିଆନ୍ଙ୍କୁ ୪-୧ରେ ପରାସ୍ତ କରିଥିଲେ । ସେ ପ୍ରଥମ ଥର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଖେଳିବେ ।
ସେହିପରି ୮୧କିଗ୍ରା କ୍ୱାର୍ଟରରେ ସସ୍ୱୀଟୀ ଅଷ୍ଟ୍ରେଲିଆର ସୁଏ-ଏମ୍ମା ଗ୍ରୀନ୍ଟ୍ରୀଙ୍କୁ ୪-୩ରେ ହରାଇଥିଲେ । ଏହି ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା ।