ଏବେ ବି ରହିଛି କରୋନା
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚେତାବନୀ
୮ ରାଜ୍ୟରେ ବଢ଼ୁଛି ସଂକ୍ରମଣ, ମୁକାବିଲା ପାଇଁ ରାଜ୍ୟ ସମୂହଙ୍କୁ ୫ ମନ୍ତ୍ର
ନୂଆଦିଲ୍ଲୀ (ଏଜେନ୍ସି): ‘ମହାମାରୀ କରୋନା ଆମ ସହ ଏବେବି ରହିଛି । ଏହି ମହାମାରୀଜନିତ ସଂକଟ ଦେଶରୁ ସଂପୂର୍ଣ୍ଣ ଭାବେ ହଟିନାହିଁ । ସୁତରାଂ ଆମ ସମସ୍ତଙ୍କୁ ଏଦିଗରେ ସତର୍କ ରହିବାକୁ ହେବ ।’ ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ଏପରି କହିଛନ୍ତି । ସେ କହିଛନ୍ତି, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ସେ ସୂଚନା ଦେଇ କହିଛନ୍ତି, ଦେଶର ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ବର୍ତ୍ତମାନ ସମୟରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି ।
ରାଜେଶ ଭୂଷଣ କହିଛନ୍ତି, ଗତ ସପ୍ତାହର ତଥ୍ୟ ଅନୁଯାୟୀ, ବିଶ୍ୱସ୍ତରରେ ଏବେ ଦୈନିକ ୯୩,୯୭୭ କରୋନା ମାମଲା ସାମ୍ନାକୁ ଆସୁଛି । ଏଥିମଧ୍ୟରୁ ଆମେରିକାରେ ୧୯%, ରୁଷ୍ରେ ୧୨.୬%, ଚୀନ୍ରେ ୮.୩%, ଦକ୍ଷିଣ କୋରିଆରେ ୮% ଏବଂ ଭାରତରେ ୧% ମାମଲା ପଞ୍ଜିକୃତ ହୋଇଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୩ଠଠ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ କର୍ଣ୍ଣାଟକ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଜଣେ ଲେଖାଏ ହିସାବରେ ମୋଟ୍ ୩ଜଣ ପ୍ରାଣ ହରାଇଛନ୍ତି । ଏହା ଗତ ୧୪ଠ ଦିନ ଅର୍ଥାତ୍ ସାଢ଼େ ୪ ମାସ ମଧ୍ୟରେ ଦେଶରେ ସର୍ବାଧିକ ଦୈନିକ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬ଠ୫କୁ ବୃଦ୍ଧି ପାଇଥିବା ବେଳେ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୯୯,୪୧୮ରେ ପହଞ୍ଚôଛି । ସେହିପରି ଦେଶରେ ମୋଟ୍ କୋଭିଡ୍ ଜନିତ ମୃତୁ୍ୟ ସଂଖ୍ୟା ୫,୩ଠ,୮୧୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷେ କରୋନା ଆରୋଗ୍ୟଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ସମ୍ପ୍ରତି ଦେଶରେ ୯୮.୭୯% ଆରୋଗ୍ୟ ହାର ହିସାବରେ ସମୁଦାୟ କରୋନାମୁକ୍ତଙ୍କ ସଂଖ୍ୟା ୪,୪୧,୬ଠ,୯୯୭ ରହିଛି ।
ଏସବୁ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ଦେଶର ପ୍ରତ୍ୟେକ ରାଜ୍ୟଙ୍କୁ କୋଭିଡ୍ ପ୍ରସ୍ତୁତି ପାଇଁ ପରାମର୍ଶ ଜାରି କରିଛନ୍ତି । ମନ୍ତ୍ରାଳୟ ରାଜ୍ୟ ସମୂହଙ୍କୁ ଟେଷ୍ଟ୍-ଟ୍ରାକ୍-ଟ୍ରିଟ୍-ଭାକ୍ସିନ୍ ଏବଂ କୋଭିଡ୍ ଉପଯୁକ୍ତ ବ୍ୟବହାର “୫ ଫୋଲ୍ଡ ଷ୍ଟ୍ରାଟେଜୀ’ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ମନ୍ତ୍ରାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୋଭିଡ୍-୧୯ ପ୍ରସ୍ତୁତିକୁ ତଦାରଖ ପାଇଁ ଏକ ମକ୍ ଡ୍ରିଲ୍ କରିବାକୁ କେନ୍ଦ୍ର ପରାମର୍ଶ ଦେଇଥିବା ଜଣାପଡିଛି । ଏତଦ୍ବ୍ୟତୀତ ଏଥିରେ ଟିକା ତଥା ବୁଷ୍ଟର ଡୋଜ୍ ସଂଖ୍ୟା ବୃଦ୍ଧି କରାଯିବା ନେଇ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିପରି ସମସ୍ତ ଗୁରୁତର ତୀବ୍ର ଶ୍ୱସନର ରୋଗ ମାମଲାରେ ପ୍ରୟୋଗଶାଳା ନିରୀକ୍ଷଣ ଏବଂ ପରୀକ୍ଷଣକୁ ବଢ଼ାଯିବା, ସ୍ୱାସ୍ଥ୍ୟ ସୁବିଧାରେ ଇନ୍ଫ୍ଲୁଏଞ୍ଜା ଏବଂ କୋଭିଡ୍-୧୯ ପାଇଁ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରାଇବା ଏବଂ ସର୍ବୋପରି ରାଜ୍ୟରେ ଥିବା ହସ୍ପିଟାଲଗୁୂଡ଼ିକରେ ପର୍ଯ୍ୟାପ୍ତ ବେଡ୍, ଜିନୋମ ସିକ୍ୱେନସିଂ ବୃଦ୍ଧି କରିବା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କରୋନା ଓ ସିଜିନାଲ ଇନ୍ଫ୍ଲୁଏଞ୍ଜାକୁ ନେଇ ଏକ ବୈଠକ କରିଥିଲେ ।