ମହାନଦୀକୁ ନେଇ ପୁଣି ହଙ୍ଗାମା
ଭୁବନେଶ୍ୱର, ୨୩ା୩(ବୁ୍ୟରୋ): ମହନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ବିଧାନସଭା । ମହନଦୀର ଜଳ ସ୍ତର ଦିନକୁ ଦିନ କମିବାରେ ଲାଗିଛି । ଜଳ ପ୍ରବାହ କମିବା କାରଣରୁ ପ୍ରାୟ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହା ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ । ତେଣୁ ଗୃହର ସମସ୍ତ କାର୍ଯ୍ୟ ବାତିଲ କରି ମହନଦୀ ପ୍ରସଙ୍ଗରେ ଏକ ମୋସନ୍ ଜରିଆରେ ଆଲୋଚନା କରାଯାଉ ବୋଲି ବିରୋଧୀ ଦାବି କରିଥିଲେ । ଏପରି କି ପ୍ରଶ୍ନକାଳକୁ ମଧ୍ୟ ବାତିଲ କରି ମହାନଦୀ ପ୍ରସଙ୍ଗରେ ଆଲୋଚନା ଦାବି କରି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ଆଗରେ ହଟ୍ଟଗୋଳ କରିଥିଲେ ।
ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ ଏହର ପ୍ରତିବାଦ କରିବା ସହିତ ବିଜେପି-କଂଗ୍ରେସ ଭାଇ ଭାଇ ବୋଲି ନାରାବାଜି ଦେଇଥିଲେ । ଦୁଇ ଦଳ ମିଶି ଗୃହକୁ ଚଲାଇ ଦେଉନାହାନ୍ତି ବୋଲି ଶାସକ ଦଳର ସଦସ୍ୟମାନେ ଅଭିଯୋଗ କରିଥିଲେ । ଫଳରେ ଗୃହ ରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ନାରାବାଜି ଯୋଗୁଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଗୁରୁବାର ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବାଚସ୍ପତିଙ୍କ ନିଦେ୍ର୍ଦଶକ୍ରମ ଜଳ ସମ୍ପଦ ମନ୍ତ୍ରୀ ତାଙ୍କ ଉତ୍ତର ରଖୁଥିଲେ । ଏହି ସମୟରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ନିଜ ଆସନରେ ଛିଡା ହୋଇ କହିଥିଲେ ଯେ ସ୍ୱତନ୍ତ୍ର ମୋସନ୍ ଜରିଆରେ ମହାନଦୀ ପ୍ରସଙ୍ଗରେ ଗୃହରେ ଆଲୋଚନା ହେଉ । ବାଚସ୍ପତିଙ୍କ ରୁଲିଂ ଦିଅନ୍ତୁ । ବୁଧବାର ମହାନଦୀ ଜଳ ସମସ୍ୟା ନେଇ ସରକାରୀ ଦଳ ଉଦ୍ବେଗ ପ୍ରକାଶ କରିଥିଲେ । ଗୃହ ଭିତରେ ହୋହଲ୍ଲା ପାଟିତୁଣ୍ଡ କରିଥିଲେ । ବିଧାନସବାରେ ପାଟିତୁଣ୍ଡ କଲେ ସମସ୍ୟାର ସମାଧାନ ହୁଏନି । ମହାନଦୀ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶ୍ନକାଳକୁ ବାତିଲ କରାଯାଉ ।
ତେବେ ଏହା ଉପରେ ବାଚସ୍ପତି ବିକ୍ରାମ କେଶରୀ ଆରୁଖ କହିଥିଲେ ଯେ ବଜେଟ୍ ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ରହିଛି । ସ୍ୱତନ୍ତ୍ର ଆଲୋଚନା ଗୃହରେ ହୋଇପାରିବନାହିଁ । ଶ୍ରୀ ମିଶ୍ରଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ବିଚାରାଧୀନ ରହିଛି । ଏହାପରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲି ଆସିବାରୁ ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଦୁଇ ଦଳ ମିଶି ଗୃହକୁ ଚଲାଇ ଦେଉନାହାନ୍ତି ବୋଲି କହିବା ସହ ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି ସ୍ଲୋଗାନ ଦେଇଥିଲେ । ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ସମାନ ଢଙ୍ଗାରେ ପ୍ରତିବାଦ ଜଣାଇଥିଲେ । ଅପ୍ରୀତକର ପରିସ୍ଥିତି ସୃଷ୍ଟା ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ ରଖିଥିଲେ । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହରେ ଘୋଷଣା କରିଥିଲେ ଯେ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ନୋଟିସ୍ ତାଙ୍କ ବିଚାରାଧୀନ ରହିଛି । ବଜେଟ୍ ଅଧିବେଶନରେ ସ୍ୱତନ୍ତ୍ର ଆଲୋଚନା ନ ହେବାର ପରଂପରା ରହିଛି । ବ୍ୟୟ ମଞ୍ଜୁରୀ ବିଲ୍ ପରେ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବାକୁ ସେ ରୁଲିଂ ଦେବା ପରେ ଗୃହ କାର୍ଯ୍ୟ ସ୍ୱଭାବିକ ହୋଇଥିଲା । ଅପରାହ୍ଣ ଅଧିବେଶନରେ ଖଣି ଓ ଇସ୍ପାତ ଏବଂ ଶିଳ୍ପ ବିଭାଗ ପକ୍ଷରୁ ଆଗତ ଖର୍ଚ୍ଚ ଦାବି ଆଲୋଚନା ପରେ ପାରିତ ହୋଇଥିଲା ।