ନାଟକୀୟ ବିଜୟ ସହ ପ୍ଲେ-ଅଫ୍ରେ ୟୁପି
ମୁମ୍ବାଇ, ୨୦ା୩ (ଏଜେନ୍ସି): ମହିଳା ପ୍ରମିୟର ଲିଗ୍ରେ ସୋମବାର ୟୁପି ୱାରିୟର୍ସ ନାଟକୀୟ ବିଜୟ ହାସଲ କରିଛି । ଗୁଜରାଟ ଜାଏଣ୍ଟସ୍କୁ ଏକ ବଲ ପୂର୍ବରୁ ହରାଇ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ୍ରେ ତୃତୀୟ ଦଳ ଭାବେ ପ୍ରବେଶ କରିଛି ୟୁପି ୱାରିୟର୍ସ । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ପ୍ଲେ-ଅଫ୍ରେ ପହଞ୍ଚିିଛନ୍ତି । ୟୁପି ଜିତିବା ପରେ ଗୁଜରାଟ ଓ ସ୍ମୃତି ମନ୍ଧାନାଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଡବ୍ଲୁ୍ୟପିଏଲ୍ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଛନ୍ତି ।
ଗୁଜରାଟ ୮ଟି ମ୍ୟାଚ୍ରୁ ୨ଟି ଜିତି ପଏଣ୍ଟ ଟେବୁଲର ଶେଷରେ ଥିବା ବେଳେ ଆରସିବି ୭ ମ୍ୟାଚ୍ରୁ ୨ଟିରେ ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଦଳ ନିଜ ଶେଷ ମ୍ୟାଚ୍ ଜିତିଲେ ମଧ୍ୟ ପ୍ଲେ-ଅଫ୍କୁ ଯିବା ସମ୍ଭାବନା ନାହିଁ । ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଚାଲିଥିବା ମ୍ୟାଚ୍ରେ ଗୁଜରାଟ ଓ ୟୁପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୦ ଓଭରରେ ୬ ୱିକେଟ ହରାଇ ୧୭୮ ରନ କରିଥିଲା । ଦଳ ପକ୍ଷରୁ ଡି ହେମଲତା ୩୩ ବଲରେ ୫୭ ଓ ଅଷ୍ଟ୍ରେଲୀୟ ତାରକା ଗାର୍ଡନର ୩୯ ବଲରେ ୬୦ ରନ୍ର ଇନିଂସ ଖେଳିଥିଲେ ।
୧୭୯ ରନ୍ର ଟାର୍ଗେଟ ନେଇ ୟୁପି ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଏଲିସା ହିଲି (୧୨), ଦେବିକା ବୈଦ୍ୟ (୭) ଓ କିରନ ନାଭଗିରେ (୪) ରନ କରି ଆଉଟ୍ ହୋଇଯାଇଥିଲେ । ଦଳ ୩୯ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ଥିବା ସମୟରେ ଦୁଇ ବିଦେଶ ଖେଳାଳି ତାହଲିଆ ମ୍ୟାଗ୍ରାଥ ଓ ଗ୍ରେସ ହାରିସ୍ ଦଳ ଲାଗି ଆଶା ସଞ୍ଚାର କରିଥିଲେ । ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ନିଜ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର ୧୧୭ ଥିବା ବେଳେ ମ୍ୟାଗ୍ରାଥ (୩୮ ବଲରେ ୫୭ ରନ) ଗାର୍ଡନରଙ୍କ ଦ୍ୱାରା ଆଉଟ ହୋଇଥିଲେ । ହାରିସ ହାର ନ ମାନି ବଡ଼ବଡ଼ ଶଟ ଖେଳି ·ଲିଥିଲେ । କିନ୍ତୁ ଦୀପ୍ତି ଶର୍ମା ୬ ରନ କରି ଆଉଟ୍ ହୋଇଯିବା ଦଳକୁ ସାମାନ୍ୟ ଚିନ୍ତାରେ ପକାଇଥିଲା ।
ହାରିସଙ୍କୁ ଶୋଫି ଏସ୍ଲେଷ୍ଟୋନଙ୍କ ସାଥ୍ ମିଳିଥିଲା । ୟୁପିକୁ ଜିତିବା ପାଇଁ ୭ ରନ ଆବଶ୍ୟକ ଥିବା ବେଳେ କିମ ଗ୍ରାଥ ୪୧ ବଲରେ ୭୨ ରନ୍ କରିଥିବା ହାରିସଙ୍କୁ ଆଉଟ୍ କରି ମ୍ୟାଚ୍ରେ ରୋମାଞ୍ଚଞ୍ଚଭରିଥିଲେ । ହାରିସ ତାଙ୍କ ଇନିଂସରେ ୭ ଚୌକା ଓ ୪ ଛକା ମାରିଥିଲେ । ଶେଷ ଓଭର ସୁଦ୍ଧା ଜିତିବା ପାଇଁ ୭ ରନ ଦରକାର ଥିଲା । ଗୁଜରାଟ ପକ୍ଷରୁ ଅଧିନାୟକ ସ୍ନେହ ରାଣା ମଙ୍ଗ ସମ୍ଭାଳିଥିଲେ । ତାଙ୍କର ପ୍ରଥମ ବଲରେ ଏସ୍ଲେଷ୍ଟୋନ ୨ ରନ କରିଥିଲେ । ପରବର୍ତ୍ତୀ ବଲରେ ୧ ରନ ହୋଇଥିଲା । ସିମରନ ଶେଖ ମଧ୍ୟ ତୃତୀୟ ବଲରୁ ୧ ରନ ହାସଲ କରିଥିଲେ । ୪ର୍ଥ ବଲରେ ଏସ୍ଲେଷ୍ଟୋନ ୨ ରନ ନେବାକୁ ଚେଷ୍ଟା କରୁଥିବା ବଳେ ସିମରନ (୧) ରନରେ ଆଉଟ ହୋଇଯାଇଥିଲେ । ଜିତିବା ପାଇଁ ଶେଷ ୨ ବଲରେ ୨ ରନ ଦରକାର ଥିଲା । ସମସ୍ତଙ୍କ ନିଜର ଏସ୍ଲେଷ୍ଟୋନଙ୍କ ଉପରେ ରହିଥିଲା । ସେ ମଧ୍ୟ ନିରାଶ ନ କରି ରାଣାଙ୍କୁ ଚୌକା ମାରି ବିଜୟ ଆଣିଥିଲେ । ଏଥିସହ ଏକ ବଲ ପୂର୍ବରୁ ଦଳକୁ ୩ ୱିକେଟ୍ରେ ଜିତାଇ ପ୍ଲେ-ଅଫ ଟିକେଟ ଦେଇଥିଲେ । ବିସ୍ଫୋରକ ଇନିଂସ ପାଇଁ ହାରିସଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି ।