ଏଥର ୩୮.୩ଠ କୋଟିର ବଳକା ବଜେଟ୍
ଶ୍ରୀମନ୍ଦିର ଅର୍ଥ ସବ୍କମିଟି ବୈଠକରେ ଲାଗିଲା ମୋହର
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପାଇଁ ଆସନ୍ତା ୨ଠ୨୩-୨୪ ଆର୍ଥିକ ବର୍ଷ ଲାଗି ୩୦୦ କୋଟି ୭୯ଲକ୍ଷ ଟଙ୍କାର ଆୟ ରହିଥିବା ବେଳେ ବଜେଟ୍ରେ ୨୬୨ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଚଳିତଥର ୩୮କୋଟି ୩୦ଲକ୍ଷ ଟଙ୍କାର ବଳକା ବଜେଟ୍ ବୋଲି କୁହାଯାଇଛି । ଅର୍ଥ ସବ୍କମିଟି ବୈଠକ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଧ୍ୟକ୍ଷତା କରିଥିଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ । ଆୟ ମଧ୍ୟରେ ସର୍ବାଧିକ ୧୧୮କୋଟି ୯୪ଲକ୍ଷ ଟଙ୍କା ସରକାରୀ ସହାୟତା, ଜମି ଅଧିଗ୍ରହଣ, କ୍ଷତିପୂରଣରୁ ୫୦କୋଟି ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ଅନ୍ୟ ଏକ ଆୟର ବଡ଼ ଉତ୍ସ ହେଉଛି ସୁଧ ଅର୍ଥ । ବିଭିନ୍ନ ବ୍ୟଙ୍କରେ କର୍ପସ ଫଣ୍ଡ୍, ଫାଉଣ୍ଡେସନ ଫଣ୍ଡ୍, ଟେମ୍ପୁଲ ଫଣ୍ଡ୍ରେ ମହାପ୍ରଭୁଙ୍କ ଟଙ୍କା ସ୍ଥାୟୀ ଜମା ରଖାଯାଇଛି । ସୁଧ ବାବଦରେ ପ୍ରାୟ ୬୦କୋଟି ୩୨ଲକ୍ଷ ଟଙ୍କା ମିଳିବ । ସେହିପରି ମହାପ୍ରଭୁଙ୍କ ବଭିନ୍ନ ଖଣିରୁ ୧୫କୋଟି, ହୁଣ୍ଡି ଏବଂ ଦାନରୁ ୩୧କୋଟି ୩୯ଲକ୍ଷ, ଭକ୍ତ ନିବାସ, ହବିଷ୍ୟାଳି ଆଶ୍ରୟସ୍ଥଳୀ କୋଠା ଏବଂ ବଗଲା ଧର୍ମଶାଳାରୁ ୧୦କୋଟି ୩୦ଲକ୍ଷ ଏବଂ ଅନ୍ୟାନ୍ୟ ବାବଦରେ ୧୪କୋଟି ୮୪ଲକ୍ଷ ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ବ୍ୟୟ ୨୬୨କୋଟି ୪୭ଲକ୍ଷ ମଧ୍ୟରେ ସର୍ବାଧିକ କର୍ପସ ଫଣ୍ଡ୍ରେ ୫୯କୋଟି ୪୬ଲକ୍ଷ ଟଙ୍କା ଜମା କରାଯିବ । କର୍ମଚାରୀଙ୍କ ଦରମା ବାବଦରେ ୪୫କୋଟି ୯୩ଲକ୍ଷ, ପାଳିଆ ସେବାୟତ ଦୈନିକ ପାରିଶ୍ରମିକ ବାବଦରେ ୧୮କୋଟି, ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ସହ ଅନ୍ୟାନ୍ୟ ବିକାଶମୂଳକ କାମ ବାବଦରେ ୨୬କୋଟି ୦୮ଲକ୍ଷ, ରଥଯାତ୍ରା ଓ ସ୍ନାନଯାତ୍ରା ଲାଗି ୧୬ କୋଟି ୬୨ ଲକ୍ଷ, ଫାଉଣ୍ଡେସନ ଫଣ୍ଡ୍ ଜମା ୨୧କୋଟି ୫୦ଲକ୍ଷ ଟଙ୍କା, ନୀତିକାନ୍ତି ସମ୍ପର୍କିତ ଖର୍ଚ୍ଚ ବାବଦରେ ୮ କୋଟି ୮୯ଲକ୍ଷ, ପିଣ୍ଡିକା, ପରିମାଣିକ ଏବଂ ଭିତର କାଠ ଦର୍ଶନ ପାଇଁ ସେବକଙ୍କୁ ୭ କୋଟି, ପ୍ରଶାସନିକ ବ୍ୟୟବରାଦ ୩୦କୋଟି ୫୬ଲକ୍ଷ, ଆଦର୍ଶ ଗୁରୁକୁଳ ଲାଗି ୫କୋଟି, ସେବକଙ୍କ କଲ୍ୟାଣ ପାଇଁ ୫କୋଟି, ସେବକଙ୍କ ପରିବାର ସହାୟତା ଲାଗି ୫କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି ।
ସେହିପରି ସେବାୟତଙ୍କ ପରିବାର ବୀମା ଲାଗି ୫କୋଟି, ସେବକ ଆବାସ ଯୋଜନା ଲାଗି ୩କୋଟି ୫୦ଲକ୍ଷ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ୧୭ଲକ୍ଷ, ସାଂସ୍କୃତିକ ଓ ଦାନ ଲାଗି ୩କୋଟି ୦୭ଲକ୍ଷ ରହିଥିବା ବେଳେ ଅନ୍ୟାନ୍ୟ ବାବଦେ ୧କୋଟି ୨୦ଲକ୍ଷ ବ୍ୟୟ ଅଟକଳ କରାଯାଇଛି । ଏହା ସତ୍ତ୍ୱେ ୩୮କୋଟି ୩୦ଲକ୍ଷ ଟଙ୍କା ବଳକା ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଅର୍ଥ ସବ୍କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।