କଳିଙ୍ଗନଗରରେ ନଗଡ଼ା ସ୍ଥିତି

ଦାନଗଦୀ, ୧୯ ।୩ (ଆପ୍ର): ପୁଣି ଆସିଛି ଶିଳ୍ପସମୃଦ୍ଧ ଯାଜପୁର ଜିଲ୍ଲାରୁ ନଗଡ଼ା ଅନୁରୂପ ଅପପୁଷ୍ଟିର ଚିତ୍ର । ଗୋଟେ ପଟେ ଜିଲ୍ଲାରେ ମହୋତ୍ସବ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅନ୍ୟ ପଟେ ଖାଇବାକୁ ନପାଇ ଅନାହାରରେ ମରୁଛନ୍ତି ଶିଶୁ ।
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ ସୁକିନ୍ଦା ନିର୍ବାଚନ ଅନ୍ତର୍ଗତ ରାଣାଗୁଣ୍ଡି ପଞ୍ଚାୟତର ଘାଟିସାହି ଗ୍ରାମରେ । ଗ୍ରାମରେ ବାସ କରନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ପତ୍ନୀ ତୁଳସୀ ହେମ୍ବ୍ରମ ଏବଂ ୭ ଝିଅ ଓ ୨ ପୁଅ । ବାଙ୍କୁ ହେମ୍ବ୍ରମ ପ୍ରତିଦିନ ମୂଲମଜୁରି ଲାଗି ଯାହା ଆଣନ୍ତି ସେଥିରେ ପରିବାରର ୧୧ ପ୍ରାଣୀ ଚଳିବା କଷ୍ଟକର । ଓଳିଏ ଖାଇଲେ ଆର ଓଳି ଉପାସ । ଏପରି ସ୍ଥିତିରେ ଅପପୁଷ୍ଟି ବାଙ୍କୁଙ୍କ ପରିବାରର ପିଛା ଛାଡୁନାହିଁ । ବାଙ୍କୁଙ୍କ ଦୁଇ ପୁଅ ମଧ୍ୟରୁ ଜଣେ ଅପପୁଷ୍ଟିରେ କିଛି ଦିନ ପୂର୍ବେ ମୃତୁ୍ୟବରଣ କରିଥିବା ବେଳେ ଏବେ ଝିଅ କୁନି ହେମ୍ବ୍ରମ ଏବଂ ଶାନ୍ତି ହେମ୍ବ୍ରମ ଅପପୁଷ୍ଟିରେ ଆକ୍ରାନ୍ତ । ଦୁହେଁ ମୃତୁ୍ୟର ଦ୍ୱାର ନିକଟରେ ଶୋଇ ରହିଛନ୍ତି ଯେପରି । ବାଙ୍କୁଙ୍କୁ ସରକାରୀ ସହାୟତା ଭାବେ ରାସନ କାର୍ଡ ମିଳିଛି ହେଲେ ସେଥିରେ ମିଳୁନି ରାସନ ସାମଗ୍ରୀ । ପିଲାଙ୍କ ଅବସ୍ଥା ଦେଖି ବାଙ୍କୁ ଅସହାୟ ହୋଇପଡିଛନ୍ତି । ଏହି ଘଟଣା ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ସେ ତୁରନ୍ତ ତଦନ୍ତ କରି ଅପପୁଷ୍ଟିରେ ଆକ୍ରାନ୍ତ ପିଲାଙ୍କୁ ପୁଷ୍ଟିସାଧନ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଦୀପତଳ ଅନ୍ଧାର ଭଳି କଳିଙ୍ଗନଗର ଶିଳ୍ପାଞ୍ଚଳର ଛାତି ଉପରେ ଏଭଳି ଘଟଣା ଘଟିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏହି ଦୁଇଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା କେବେ ସୁଧୁରିବ ତାହା ଏବେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ସାଜିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *