ଭିଜିଲା ସାରା ରାଜ୍ୟ
ପଶ୍ଚିମା ଝଡ଼
ବହୁ ଲୋକ ଆହତ
ନୀଳଗିରିରେ ୬ ଇଞ୍ଚ ବହଳର କୁଆପଥର ବର୍ଷା
ବଜ୍ର ପଡିÿ ୧୩ ଗୋରୁ ମୃତ
ଦ୍ୱାରଶୁଣି ଘାଟିରେ ଏକାଧିକ ଦୁର୍ଘଟଣା
ଟ୍ୱିନ୍ ସିଟିରେ ବିଦୁ୍ୟତ୍ ସରବରାହ ପ୍ରଭାବିତ
ଶିମିଳିପାଳରେ ବନାଗ୍ନି ଚିନ୍ତା ଟଳିଲା
ଭୁବନେଶ୍ୱର/ବାରିପଦା/ନୀଳଗିରି, ୧୮ା୩ (ବୁ୍ୟରୋ/ଆପ୍ର): ପଶ୍ଚିମା ଝଡ଼ର ପ୍ରଭାବରେ ଶନିବାର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ବର୍ଷା ହୋଇଛି । କୁଆପଥର ସହିତ ବର୍ଷା ହେବାରୁ ଜୀବନ ଯାତ୍ରା ପବଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲ୍ଲା ନୀଳଗିରି ଅଞ୍ଚଳରେ ରାସ୍ତାଘାଟରେ କୁଆପଥର ଜମି ରହି ବରଫପାତ ଭ୍ରମ ସୃଷ୍ଟି କରିଛି । ରାୟଗଡ଼ା ଜିଲ୍ଲାରେ କୁଆପଥର ମାଡ଼ରେ ୨ ଜଣ ମହିଳା ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ପବନ ସହିତ ବର୍ଷା ହେବାରୁ ଶିମିଳିପାଳରେ ବନାଗ୍ନି ଆଶାଙ୍କା ଟଳିଛି । ସନ୍ଧ୍ୟାରେ ଭୁବନେଶ୍ୱର ଓ କଟକର କେତେକ ସ୍ଥାନରେ କୁଆପଥର ସହିତ ବର୍ଷା ହେବାରୁ ବିଦୁ୍ୟତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ନୟାଗଡ଼, କନ୍ଧମାଳରେ ବର୍ଷା ସହ ପବନ ବହିଛି । ଅପରାହ୍ଣରେ ବହୁ ସମୟ ଧରି ବର୍ଷା ପବନ ହେବାରୁ ତାପମାତ୍ରା ହ୍ରାସ ପାଇଛି । ପଶ୍ଚିମା ଝଡ଼ର ପ୍ରଭାବରେ ଦିନ ତମାମ ସବୁଠି କୋହଲା ପାଗ ଲାଗି ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର, କୋରାପୁଟ, ସମ୍ବଲପୁର, ନବରଙ୍ଗପୁର, ରାୟଗଡ଼ା, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଅପରାହ୍ଣରୁ ରାତି ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ରାତି ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ, ମୟୂରଭଞ୍ଜରେ ୮୧, ଚିପିଲିମାରେ ୮୦ ଓ ବଲାଙ୍ଗୀରରେ ୫୭ କିମି ବେଗରେ ପବନ ବହିଛି । ଅପରାହ୍ଣରେ ରାୟଗଡ଼ା ଜିଲ୍ଲା କାଶୀପୁର ଅନ୍ତର୍ଗତ ଉପରକାଞ୍ଜିକଣରେ ବର୍ଷା ଓ କୁଆପଥର ମାଡ଼ରେ ୨ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କୁ କାଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଜୟପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବର୍ଷା ହୋଇଛି । ନବରଂଗପୁର, ଚନ୍ଦାହାଣ୍ଡି ଓ ଝରିଗାଁରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି ।
ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ ବହୁ ସ୍ଥାନରେ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି ଓ କୁଆପଥର ପଡ଼ିଛି । ଫଳରେ ଜିଲ୍ଲାବାସୀ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ଥି ପାଇଛନ୍ତି । ଏଥି ସହିତ ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଚିନ୍ତା ଟଳିଛି । ପ୍ରଥମ ବର୍ଷାରେ ବାଙ୍ଗରିପୋଷି ନିକଟସ୍ଥ ଦ୍ୱାରଶୁଣୀ ଘାଟିରେ ଏକାଧିକ ଦୁର୍ଘଟଣା ଘଟି ୭ ଜଣ ଆହତ ହୋଇଛନ୍ତି । ଅପରାହ୍ଣରେ ଏକ ଲୁହାବୋଝେଇ ଟ୍ରକ୍, ହନୁମାନ ନାମକ ବସ ଓ ଏକ କୁଣ୍ଡା ବୋଝେଇ କ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବର୍ଷା େଯୋଗୁ ରାସ୍ତା ପିଛିଳ ଥିଲା ଏବଂ ବ୍ରେକ୍ ନ ଧରିବାରୁ ଡ୍ରାଇଭର୍ ନିୟନ୍ତ୍ରଣ ହରାଇଥିଲା । ଫଳରେ ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗିରୁଜି ଯାଇଛି ।
ଆହୁରି ଜଣାପଡ଼ିଛି, ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରେ ଫାୟାର ପଏଣ୍ଟ ସଂଖ୍ୟା ଶୂନ୍ୟ ରହିଥିଲା । ଶନିବାର ଶିମିଳିପାଳର ଉତ୍ତର ଡିଭିଜନ ଅଞ୍ଚଳରେ ଗୋଟିଏ ଫାୟାର ପଏଣ୍ଟ ଚିହ୍ନଟ ହୋଇଥିଲା । ବର୍ଷା ଫଳରେ ସେଥିରେ ମଧ୍ୟ କିଛି ଆଶ୍ୱସ୍ଥି ମିଳିଛି । ବାରିପଦାରେ ୧୪ ମିମି, ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ପିଠାବଟା ରେଞ୍ଜରେ ୪୦ ମିମି, ଉତ୍ତର ପିଠାବଟା ରେଞ୍ଜରେ ୪ ମିମି ବୃଷ୍ଟିପାତ ହୋଇଛି । ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବିଦୁ୍ୟତ ସେବା ବ୍ୟାହତ ହୋଇଛି ।
ଅଦିନିଆ ବର୍ଷା ପବନ ସହିତ ବଜ୍ରପାତ ଓ ପ୍ରବଳ କୁଆପଥର ମାଡ ନୀଳଗିରି ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ଅଚାନକ କଳାହାଣ୍ଡିଆ ମେଘ ଘୋଟି ଆସିବା ପରେ ପ୍ରଚଣ୍ଡ ଘଡଘଡି ଓ ବିଜୁଳି ମାରିଥିଲା । ବର୍ଷାପବନରୁ ରକ୍ଷା ପାଇବା ପାଇଁ ଅଯୋଧ୍ୟା ନିକଟସ୍ଥ ପ୍ରତାପପୁରରେ ଥିବା ଭଙ୍ଗା ଘରେ ଗୋରୁ ପଲ ଆଶ୍ରୟ ନେଇଥିଲେ । ଉକ୍ତ ଘର ଉପରେ ବଜ୍ରପାତ୍ ହେବାରୁ ୧୩ ଗୋରୁ ପ୍ରାଣ ହରାଇଛନ୍ତି ଓ ୧୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । କୁଆପଥର ମାଡ ଯୋଗୁଁ ପନିପରିବା ଓ ରବିଫସଲ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ଅପରାହ୍ଣ ୫ରୁ ପବନ ବର୍ଷା ଆରମ୍ଭ ହୋଇ ରାତି ୯ ଟା ପର୍ଯ୍ୟନ୍ତ ଅବ୍ୟାହତ ରହିଛି । ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି ବିଦୁ୍ୟତ୍ ସେବା ବ୍ୟାହତ ହୋଇଛି । ଅପର ପକ୍ଷରେ ବହୁଦିନ ପରେ ବର୍ଷା ହେବାରୁ ସାଧରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି । କିଛଦିନ ହେଲା ଜଳୁଥିବା କୁଲଡ଼ିହା ଅଭୟାରଣ୍ୟରେ ନିଆଁ ଲିଭିଯାଇଛି ।