ଇମ୍ରାନ୍ଙ୍କ ୱାରେଣ୍ଟ ରଦ୍ଦ

ରଣକ୍ଷେତ୍ର ପାଲଟିଲା କୋର୍ଟ
ଇସ୍ଲାମାବାଦ, ୧୮ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ୍-ଏ-ଇସ୍ଲାମ୍ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ୍ ଖାନ୍ ଶନିବାର ତୋଷଖାନା ସାମଗ୍ରୀ ହଡ଼ପ ମାମଲାରେ ଅଦାଲତକୁ ପ୍ରବେଶ କରିପାରି ନାହାନ୍ତି । ତାଙ୍କ ସମର୍ଥକମାନେ କୋର୍ଟ ବାହାରେ ହଙ୍ଗାମା କରିବା ସହ ଟିୟର ଗ୍ୟାସ୍ ଫିଙ୍ଗିବାରୁ ଜେରା ସମ୍ଭବ ନୁହେଁ ବୋଲି କହି ଜଜ୍ କୋର୍ଟ ବାହାରୁ ହାଜିରା ନେଇ ତାଙ୍କୁ ଫେରିଯିବା ପାଇଁ ଅନୁମତି ଦେଇଛନ୍ତି । ତେଣେ ଇମ୍ରାନଙ୍କ ଅନୁପସ୍ଥିତିରେ ଲାହୋରସ୍ଥିତ ତାଙ୍କ ବାସଭବନରେ ପୁଲିସ ଅତର୍କିତ ଚଢ଼ଉ କରିଛି । ବୁଲ୍ଡୋଜର ସାହାଯ୍ୟରେ ଇମ୍ରାନ୍ଙ୍କ ଘର ଗେଟ୍କୁ ଭାଙ୍ଗି ବହୁ ସଂଖ୍ୟକ ପୁଲିସ କର୍ମଚାରୀ ଭିତରେ ପଶି ତଲାସି କରିଛନ୍ତି । ଅଢ଼େଇ ଘଣ୍ଟା ତଲାସି ପରେ ପୁଲିସ ଫେରିଆସିଛି ।
ଲାହୋରର ଜମାନ ପାର୍କ ଇଲାକାସ୍ଥିତ ଇମ୍ରାନ୍ଙ୍କ ବାସଭବନ ରେଡ୍ କରିବା ଉଦେ୍ଦଶ୍ୟରେ ୧୦ ହଜାର ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । ସେଠାରୁ ଇମ୍ରାନ୍ଙ୍କ ବହୁ ସମର୍ଥକଙ୍କୁ ଗିରଫ କରାଯାଇଛି । ୧୦ ଜଣ ପିଟିଆଇ କର୍ମୀ ପୁଲିସ ଲାଠିମାଡ଼ରେ ଆହତ ହୋଇଛନ୍ତି । କୋର୍ଟ ହାଜିରା ପାଇଁ ଇମ୍ରାନ୍ ଇସ୍ଲାମାବାଦ ଅଭିମୁଖେ ଯିବା ପୂର୍ବରୁ ଶନିବାର ସକାଳେ ରୟଟର୍ସକୁ ଦେଇଥିବା ସାକ୍ଷାତକାରରେ ତାଙ୍କୁ ଗିରଫ କରାଯିବା ଆଶଙ୍କା ପ୍ରକାଶ କରିଥିଲେ । ସେ କହିଥିଲେ, କାଳେ ମୋତେ ଗିରଫ କରାଯିବ, ସେଥିପାଇଁ ମୁଁ ଗୋଟିଏ କମିଟି ଗଢ଼ିଛି । କମିଟି ସଦସ୍ୟମାନଙ୍କ ନାମ ସେ ଜଣାଇ ନ ଥିଲେ ।
ଇସ୍ଲାମାବାଦର ଜୁଡ଼ିସିଆଲ୍ କମ୍ପ୍ଲେକ୍ସ୍ ତଥା ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ୪ ହଜାର ପୁଲିସ୍ ମୁତୟନ ସତ୍ତ୍ୱେ ପିଟିଆଇ ସମର୍ଥକମାନେ ବହୁ ସଂଖ୍ୟାରେ ରୁଣ୍ଡ ହେବାରୁ ପୁଲିସ୍ ସହ ସଂଘର୍ଷ ହୋଇଥିଲା । ପିଟିଆଇର ୪୦ କର୍ମକର୍ତ୍ତାଙ୍କୁ ଗିରଫ କରାଯିବା ସହ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି ପୁଲିସ । ଅଧିକ ଗଣ୍ଡଗୋଳ ଆଶଙ୍କାରେ ରାଜଧାନୀରେ ୧୪୪ ଧାରା ଲାଗୁ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ କୋର୍ଟ ଇମ୍ରାନଙ୍କୁ ୯ଟି ମାମଲାରେ ପ୍ରୋଟେକ୍ଟିଭ୍ ବେଲ୍ ଦେଇଛନ୍ତି । ଇସ୍ଲାମାବାଦରେ ଚାଲିଥିବା ୫ଟି ମାମଲାରେ ଖାନ୍ଙ୍କୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଏବଂ ଲାହୋରରେ ଚାଲିଥିବା ୩ ମାମଲାରେ ୨୭ ପର୍ଯ୍ୟନ୍ତ ଜାମିନ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *