ଦୁର୍ଦ୍ଦାନ୍ତ ଅମୃତପାଲ ଗିରଫ
ଅମୃତସର, ୧୮ା୩: ଖଲିସ୍ତାନ ସମର୍ଥକ ସଂଗଠନ ‘ୱାରିସ୍ ପଞ୍ଜାବ ଦେ’ର ମୁଖିଆ ତଥା ଦ୍ୱିତୀୟ ଭିଣ୍ଡ୍ରଁୱାଲେ ଭାବେ ଜଣାଶୁଣା ଅମୃତପାଲ ସିଂହ ଓ ତା’ର ୯ଠଠ ସହଚରଙ୍କୁ ପଞ୍ଜାବ ପୁଲିସ ଶନିବାର ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରିଛି । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାରୁ ରାଜ୍ୟବ୍ୟାପୀ ଆଲର୍ଟ ଜାରି କରାଯାଇଛି । ବଠିଣ୍ଡା ଜିଲ୍ଲା ସାରା ପୁଲିସ ଫ୍ଲାଗ୍ମାର୍ଚ୍ଚ କରିଛି । ତା’ସହିତ ସାରା ରାଜ୍ୟରେ ଇଣ୍ଟରନେଟ୍, ଏସ୍ଏମ୍ଏସ୍ ଓ ଡଙ୍ଗଲ୍ ସେବାକୁ ରବିବାର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।
ଅମୃତପାଲ ନାମରେ ତିନିଟି ମାମଲା ରୁଜୁ ହୋଇଥିଲା । ଦୁଇଟି ଏତଲା ଅମୃତସର ଜିଲ୍ଲାର ଅଜନାଲା ଥାନାରେ ଅଛି । ତା’ର ଜଣେ ସହଯୋଗୀଙ୍କୁ ଗିରଫ କରାଯିବା ଘଟଣାରେ ଉତ୍ତେଜିତ ହୋଇ ଅମୃତପାଲ ଫେବ୍ରୁଆରୀ ୨୩ ତାରିଖ ଦିନ ଅଜନାଲା ଥାନା ଉପରେ ଚଢ଼ଉ କରି ତାକୁ ପୁଲିସ ଠାରୁ ଛଡ଼ାଇ ଆଣିଥିଲା । ଏହି ଘଟଣାରେ ତା’ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ପଞ୍ଜାବ ପୁଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ଜଳନ୍ଧର-ମୋଗା ଜାତୀୟ ରାଜପଥସ୍ଥିତ ଶାହକୋଟ-ମଲସିୟାଁ ଏବଂ ବଠିଣ୍ଡା ଜିଲ୍ଲାର ରାମପୁରା ଫୁଲଠାରେ ସଭା ଡାକିଥିଲା । ସଭାସ୍ଥଳକୁ ଯିବା ସମୟରେ ଶହେଟି ଭ୍ୟାନ୍ରେ ପୁଲିସ ଦେଢ଼ ଘଣ୍ଟା ପିଛା କରି ଜଳନ୍ଧରର ନକୋଦର ଇଲାକାରେ ତାକୁ ଧରିବାରେ ସକ୍ଷମ ହୋଇଥିଲା । ଅମୃତପାଲ ସହ ଥିବା ୬ ସାଥୀଙ୍କୁ ମଧ୍ୟ ଗିରଫ କରାଯାଇଛି ।ଗିରଫଦାରୀ ଖବର ପ୍ରଚାରିତ ହେବାମାତ୍ରେ ମୋହାଲିରେ ବିକ୍ଷୋଭ ଆରମ୍ଭ ହୋଇଯାଇଥିଲା । ଚଣ୍ଡୀଗଡ଼-ମୋହାଲି ସୀମାରେ ପ୍ରାୟ ଦେଢ଼ ଶହ ନିହଙ୍ଗ ଖୋଲା ତଲୱାର ଓ ଠେଙ୍ଗା ଧରି ରାସ୍ତାକୁ ଚାଲି ଆସିଥିଲେ । ମାହୋଲ ବିଗିଡ଼ିବା ଆଶଙ୍କାରେ ପଞ୍ଜାବ ସରକାର ପୂର୍ବୋକ୍ତ ବିଭିନ୍ନ କଟକଣା ଲଗାଇଛନ୍ତି ।