ମମତାଙ୍କ ଗସ୍ତ ସୌଜନ୍ୟମୂଳକ
ଭୁବନେଶ୍ୱର, ୧୮ା୩ (ବୁ୍ୟରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖ୍ୟ ମମତା ବାନାର୍ଜୀ ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି । ଦୁଇ ଦିନିଆ ଗସ୍ତ ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଥିବା ଟିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମାର୍ଚ୍ଚ ୨୬ ରେ ବିଜେପିର ଚାଣକ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସୁଛନ୍ତି । ତାଙ୍କ ପୂର୍ବରୁ ନବୀନଙ୍କ ସହ ମମତାଙ୍କ ସାକ୍ଷାତ ଆଲୋଚନା ସମ୍ଭାବନା ଥିବାରୁ ରାଜନୀତି ସରଗରମ ହୋଇଛି । ତେବେ ମମତାଙ୍କ ସାକ୍ଷାତ କେବଳ ସୌଜନ୍ୟମୂଳକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଏ ସଂକ୍ରାନ୍ତରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମାର୍ଚ୍ଚ ୨୩ରେ ମମତା ବାନାର୍ଜୀଙ୍କ ସାକ୍ଷାତରେ କୌଣସି ରାଜନୀତି ନାହିଁ । ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖି ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ନବୀନ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି । ଯେହେତୁ ମମତା ବ୍ୟକ୍ତିଗତ କାର୍ଯ୍ୟରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ, ସୌଜନ୍ୟ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ରହିଛି । ଦଳମତ ନିର୍ବିଶେଷରେ ଓଡ଼ିଶା ଆସୁଥିବା ନେତାମାନେ ତାଙ୍କୁ ସାକ୍ଷାତ କରିଥାନ୍ତି ।
ସେହିପରି ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, ଏହି ଭେଟଘାଟ ରାଜନୈତିକ ନୁହେଁ । କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ ଆଭିମୁଖ୍ୟରେ ବିଜେଡି କାଏମ ରହିଛି । ଏହି ଆଭିମୁଖ୍ୟ ହିଁ ବିଜେଡିକୁ ଓଡ଼ିଶାରେ ସଫଳତା ଦେଇଛି ।
ସୂଚନାଯୋଗ୍ୟ, ମମତା ବାନାର୍ଜୀ ମାର୍ଚ୍ଚ ୨୧ ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସି ୨୨ରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ୨୩ ତାରିଖରେ କୋଲକାତା ଫେରିବା ପୂର୍ବରୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।