୬ଠ ହଜାର ଟପିବ ସୁନା
ବ୍ୟାଙ୍କ ସଙ୍କଟ ଯୋଗୁ ହୁ ହୁ ବଢ଼ୁଛି ଦର
ନୂଆଦିଲ୍ଲୀ, ୧୮ା୩: ଆର୍ଥିକ ଅନିଶ୍ଚିତତା ଉପୁଜିଲେ ନିବେଶକମାନେ ସୁରକ୍ଷିତ ନିବେଶ ପାଇଁ ସୁନା ଉପରେ ନିର୍ଭର କରିଥାନ୍ତି । ଫଳତଃ ସୁନା ଦର ହଠାତ୍ ବଢ଼ିଯାଏ । ଏବେ ଆମେରିକା ଓ ୟୁରୋପରେ ଅଭୂତପୂର୍ବ ବ୍ୟାଙ୍କ ସଙ୍କଟ ସୃଷ୍ଟି ହୋଇଥିବାରୁ ସୁନା ୧୦ ଗ୍ରାମ ପିଛା ମୂଲ୍ୟ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏନ୍ସିଏକ୍ସ)ରେ ଶୁକ୍ରବାର ୫୯,୪୬୧ ଟଙ୍କା ହୋଇଥିଲା । ଆସନ୍ତା ସପ୍ତାହରେ ତାହା ୬୦ ହଜାର ଟଙ୍କାକୁ ଅତିକ୍ରମ କରିବା ଆଶଙ୍କା ପ୍ରକାଶ ପାଇଛି ।
କେବେ ବି ସୁନା ଦର ଏତେ ଉଚ୍ଚ ସ୍ତରକୁ ଯାଇ ନ ଥିଲା । ପ୍ରଥମେ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଡୁବିଲା । ତାପରେ ସିଗ୍ନେଚର୍ ବ୍ୟାଙ୍କ ବନ୍ଦ ହେଲା । ଏତିକିରେ ବ୍ୟାଙ୍କିଂ କ୍ଷେତ୍ରର ସଙ୍କଟ ସରିଲା ନାହିଁ । ଅନ୍ୟ ଏକ ଆମେରିକୀୟ ବ୍ୟାଙ୍କ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ ମଧ୍ୟ ଡୁବିବା ଉପରେ । ସେହିପରି ୟୁରୋପର ସର୍ବପୁରାତନ ବ୍ୟାଙ୍କ କ୍ରେଡିଟ୍ ସ୍ୱିସ୍ ମଧ୍ୟ ସଙ୍କଟର ସମ୍ମୁଖୀନ ହୋଇଛି । ଏହାର ପ୍ରଭାବରେ ଚଳିତ ସପ୍ତାହରେ ସୁନା ଦରରେ ପ୍ରାୟ ୦.୬ ପ୍ରତିଶତ ବୃଦ୍ଧି ଘଟିଛି । ଗତ ସପ୍ତାହରେ ୧୦ ଗ୍ରାମ୍ ସୁନାର ମୂଲ୍ୟ ଥିଲା ୫୬,୧୩୦ ଟଙ୍କା । ଆନ୍ତର୍ଜାତିକ ବଜାରରେ ସୁନା ଆଉନ୍ସ ପିଛା ମୂଲ୍ୟ ରହିଥିଲା ୧୮୬୭ ଡଲାର୍ । ଚଳିତ ସପ୍ତାହରେ ୬.୪୮ ପ୍ରତିଶତ ଦର ବଢ଼ିଛି । ଶେୟାର ମାର୍କେଟ୍ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଆଗାମୀ ଦିନରେ ବିଦେଶୀ ବଜାରରେ ସୁନା ଆଉନ୍ସ ପିଛା ଦର ୨ ହଜାର ଡଲାର ହୋଇପାରେ ।