ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି
ଭୁବନେଶ୍ୱର/କଟକ, ୧୮ା୩ (ବୁ୍ୟରୋ): ମାଟ୍ରିକ ପରୀକ୍ଷାରେ ପୁଣି ଥରେ ବିଭ୍ରାଟ ଘଟିଛି । ପ୍ରଶ୍ନପତ୍ରରେ ଦେଖାଦେଇଥିବା ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଦ୍ୱନ୍ଦ୍ୱରେ ପଡିଛନ୍ତି । ଶନିବାର କିଛି ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ସାମାଜିକ ଓ ବିଜ୍ଞାନ ପ୍ରଶ୍ନପତ୍ରର ବି-ସେଟ୍ରେ ଏ-ସେଟ୍ ପ୍ରଶ୍ନ ଯୋଡାହୋଇଥିବା ବେଳେ ୫୦ ମାର୍କ ବଦଳରେ ୪୯ ମାର୍କ ଛପା ଯାଇଥିବା ଦେଖିବାକୁ ମିଳିଛି । ବୋର୍ଡ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହାକୁ ମୁଦ୍ରଣଜନିତ ତ୍ରୁଟି ବୋଲି କହିବା ସହିତ ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିନିମନ୍ତେ ଚିନ୍ତିତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି ।
ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ଥିବାବେଳେ ବି’ ସେଟ୍ ପ୍ରଶ୍ନପତ୍ର ପାଇଥିବା କେତେକ ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଅନ୍ୟ ସେଟ୍ ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସବୁକିଛି ଠିକ୍ଠାକ୍ ରହିଥିବା ବେଳେ ବି’ ସେଟ୍ ପ୍ରଶ୍ନପତ୍ରରେ ୧୮ ନମ୍ବର ପରେ ୨୦ ନମ୍ବର ପ୍ରଶ୍ନ ରହିଥିଲା । ଆଉ କେତେକ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ପତ୍ରରେ ପୁନରାବୃତ୍ତି ହୋଇଥିବା ଏବଂ ଏ-ସେଟର ୧୧ଟି ପ୍ରଶ୍ନ ବି-ସେଟରେ ରହିଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତୁରନ୍ତ ବୋର୍ଡ କର୍ତ୍ତୃପକ୍ଷଙ୍କୁ ତାହା ଜଣାଇ ଦିଆଯାଇଥିଲା । ଜଗତସିଂହପୁର ଜିଲ୍ଲା ବୃନ୍ଦାବନ ସରକାରୀ ହାଇସ୍କୁୁଲ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସରକାରୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ, ଢେଙ୍କାନାଳ ଆଦି ଅନେକ ସ୍କୁଲରେ ଏହି ସମସ୍ୟା ଦେଖାଦେଇଥିଲା ।
ଏପରି ତ୍ରୁଟିକୁ ବୋର୍ଡ ସଭାପତି ରାମାଶିଷ ହାଜରା ସ୍ୱୀକାର କରିବା ସହ ଏହା ମୁଦ୍ରଣ ଜନିତ ତ୍ରୁଟି ବୋଲି କହିଛନ୍ତି । ତେବେ ପରୀକ୍ଷାର୍ଥୀ ଓ ଅଭିଭାବକ ଏଥିପାଇଁ ଚିନ୍ତିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନଙ୍କର ଏ ପ୍ରକାର ସମସ୍ୟା ଦେଖାଦେଇଥିବ ସେ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ବୋର୍ଡକୁ ଅବଗତ କରାଇବା ପାଇଁ ପ୍ରତ୍ୟେକ କେନ୍ଦ୍ରକୁ ନିଦେ୍ର୍ଦଶ ଦିଆଯାଇଛି । ମୂଲ୍ୟାୟନ ସମୟରେ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ, ପୁନର୍ବାର ପରୀକ୍ଷା ହେବାର ଆବଶ୍ୟକତା ନାହିଁ । ଏହାର ତଦନ୍ତ କରାଯାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ମାଟ୍ରିକ ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଥିବା ପ୍ରସଙ୍ଗ ଉଠାଇ ଉଦ୍ବେଗ ପ୍ରକାଶ କରିଥିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଶନିବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ ଗୋଟିଏ ଅଡିଓ ବୁଲୁଚି ଯେଉଁଥିରେ ପିଲାଙ୍କୁ କୁହାଯାଉଛି ୧୦ ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନପତ୍ର ମିଳିବ । ଆଉ ୪ଟା ଦରକାର ଥିଲେ ୪୦ ହଜାର ଦେବାକୁ ପଡିବ । ବଲାଙ୍ଗୀରରେ ବି ଦୁଇଟି ବିଷୟର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଗଣମାଧ୍ୟମରେ ପ୍ରସାରିତ ହେଉଛି । ଏଇଟା କ’ଣ ୫-ଟି କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।