ମଙ୍ଗଳବାର ଗିରଫ ହେବେ ଟ୍ରମ୍ପ୍!
ନୁ୍ୟୟର୍କ, ୧୮ା୩: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର (ମାର୍ଚ୍ଚ ୨୧) ଗିରଫ ହେବେ । ଏକଥା ସରକାରୀ ଭାବେ କୁହାଯାଇନାହିଁ, ଟ୍ରମ୍ପ୍ ତାଙ୍କ ‘ଟ୍ରୁଥ୍ ସୋସାଲ’ ଏକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଅବୈଧ ସମ୍ପର୍କ ପ୍ରଘଟ ନ କରିବା ପାଇଁ ଟ୍ରମ୍ପ୍ ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ଓରଫ ଷ୍ଟେଫନୀ କ୍ଲିଫୋର୍ଡଙ୍କୁ ବିପୁଳ ଅର୍ଥ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବ ବୋଲି ସେ ସୋସାଲ ମିଡିଆ ପୋଷ୍ଟରେ ଦର୍ଶାଇଛନ୍ତି । ଟ୍ରମ୍ପ୍ଙ୍କ କଥା ଯଦି ସତ ହୁଏ, ତେବେ ଅପରାଧିକ ଅଭିଯୋଗର ସମ୍ମୁଖୀନ ହେବାରେ ସେ ହେବେ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି । ପର୍ନ ଷ୍ଟାରଙ୍କୁ ଓକିଲ ମାଧ୍ୟମରେ ୧୩୦,୦୦୦ ଡଲାର ଦିଆଯିବାର ପ୍ରାୟ ୬ ବର୍ଷ ପରେ ଟ୍ରମ୍ପ୍ ଏହି ମାମଲାର ସମ୍ମୁଖୀନ ହେବେ କି ନାହିଁ, ସେ ବିଷୟରେ ଅଭିଯୋଜକ (ସରକାରୀ ଓକିଲ) ଯୋଜନା କରୁଥିବାବେଳେ ଟ୍ରମ୍ପ୍ ଏଭଳି ବିସ୍ଫୋରକ ସୂଚନା ଦେଇଛନ୍ତି । ତେ ଦୂର ସମ୍ଭବ ଆସନ୍ତା ସପ୍ତାହରେ ଟ୍ରମ୍ପ୍ଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ ହେବ । ଟ୍ରମ୍ପ୍ ଲେଖିଛନ୍ତି, ତାଙ୍କ ବିରୋଧରେ ଏଭଳି ବିଭ୍ରାନ୍ତିକର ତଥା ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ଅଭିଯୋଗ ଅଣାଯାଇଛି । ମାନହଟ୍ଟନ୍ ଡିଷ୍ଟି୍ରକ୍ଟ ଆଟର୍ଣ୍ଣି ଏଲ୍ଭିନ୍ ବ୍ରେଗ୍ଙ୍କ କାର୍ଯ୍ୟାଳୟ ତାଙ୍କୁ କିଛି ଦିନ ଭିତରେ ଗିରଫ କରିବ ।
ଟ୍ରମ୍ପଙ୍କ ସହ ଗୁପ୍ତ ପ୍ରେମ ସମ୍ପର୍କ ଥିଲା ବୋଲି ପର୍ନ ଷ୍ଟାର ଡାନିଏଲ୍ସ ଅଭିଯୋଗ କରିଥିବାବେଳେ ଟ୍ରମ୍ପ୍ ତାହାକୁ ଖଣ୍ଡନ କରିଆସୁଛନ୍ତି । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପ୍ରାର୍ଥୀ ହୋଇଥିବା ଟ୍ରମ୍ପ୍ଙ୍କୁ ଗତ ସପ୍ତାହରେ ମାନହଟ୍ଟନ୍ ଗ୍ରାଣ୍ଡ ଜୁରି ସମ୍ମୁଖରେ ସାକ୍ଷ୍ୟ ଦେବା ପାଇଁ ସମନ କରାଯାଇଥିଲା । ତାଙ୍କ ପକ୍ଷରୁ ପୂର୍ବତନ ଓକିଲ ମାଇକେଲ କୋହନ ସୋମବାର ସାକ୍ଷ୍ୟ ଦେଇଥିଲେ ।