୭ ରାଜ୍ୟରେ ମେଗା ଟେକ୍ସଟାଇଲ୍ ପାର୍କ
ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୭ ରାଜ୍ୟ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପିଏମ୍ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା କରାଯିବ । ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି । ଟ୍ୱିଟ୍ କରି ମୋଦି ଏସମ୍ପର୍କରେ ସୂଚନା ମଧ୍ୟ ଦେଇଛନ୍ତି ।
ମୋଦି କହିଛନ୍ତି, ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ଟେକ୍ସଟାଇଲ୍ ସେକ୍ଟର ୫ଏଫ୍ (ଫାର୍ମ, ଫାଇବର, ଫ୍ୟାକ୍ଟ୍ରି, ଫ୍ୟାସନ, ଓ ଫରେନ୍) ଅଭିଯାନକୁ ବଳ ଦେବ । ଏତଦ୍ବ୍ୟତୀତ ଟେକ୍ସଟାଇଲ୍ ସେକ୍ଟରରେ ମଧ୍ୟ ଏହି ପରିଯୋଜନା ଅତ୍ୟାଧୁନିକ ମୂଳ ଭିତ୍ତି ପକାଇବ । ଏହି ପରିଯୋଜନା ଅନ୍ତର୍ଗତ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ସହ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସବୁଠୁ ବଡ଼କଥା ଏହି ଯୋଜନା ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଫର୍ ଦି ୱାର୍ଲ୍ଡ ପାଇଁ ଏକ ବଡ଼ ଉଦାହରଣ ପାଲଟିବ ।
ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ବାବଦରେ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରୀରେ ୧୫୩୬ କୋଟି ନିବେଶ ହୋଇଥିବା ବୟନ ଶିଳ୍ପ ମନ୍ତ୍ରଣାଳୟ କହିଆସୁଛି । ଏବେ ଯେତେବେଳେ ୭ ରାଜ୍ୟରେ ପ୍ରଧାନମନ୍ତ୍ରୀ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ରିଜିଅନ୍ ଆଣ୍ଡ୍ ଆପାରେଲ୍ (ପିଏମ୍ ମିତ୍ର) ମେଗା ଟେକ୍ସଟାଇଲ୍ ପାର୍କ ସ୍ଥାପନା ହେବାକୁ ଯାଉଛି ସେତେବେଳେ ଟେକ୍ସଟାଇଲ୍ କ୍ଷେତ୍ରରେ ଭାରତ ଆତ୍ମର୍ନିଭର ଯୋଜନା ମାଧ୍ୟମରେ ନିଜକୁ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀ ଦୌଡରେ ସାମିଲ କରିପାରିବ ବୋଲି ବିଶ୍ୱାସ ସୃଷ୍ଟି ହୋଇଛି । ୨ଠ୨୭-୨୮ ବର୍ଷ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ ଦେଶର ଟେକ୍ସଟାଇଲ୍ ଭିତ୍ତିଭୂମୀକୁ ବିଶ୍ୱସ୍ତରୀୟ କରିବା ଉଦେ୍ଦଶ୍ୟ ସହ ନିବେଶ ପରିମାଣ ୪୪୪୫ କୋଟି ପର୍ଯ୍ୟନ୍ତ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ ରହିଛି । ଏତଦ୍ବ୍ୟତୀତ ଭାରତ ସରକାର ମଧ୍ୟ ଏହି କ୍ଷେତ୍ରରେ ବିଭିନ୍ନ ଉତ୍ପାଦନରେ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲ୍ଆଇ) ଘୋଷଣା କରିଛନ୍ତି । ସେହିପରି ପୁଞ୍ଜି ନିବେଶକୁ ନିଜ ଆଡକୁ ଆକୃଷ୍ଟ କରିବା, ଆମଦାନୀ ହ୍ରାସ କରି ରପ୍ତାନୀ ବଢ଼ାଇବା ସହ ନିଜକୁ ବିଶ୍ୱ ରପ୍ତାନୀକାରୀ ରାଷ୍ଟ୍ରଙ୍କ ଶୃଙ୍ଖଳାରେ ରଖିବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ କେନ୍ଦ୍ର ସରକାର ବୟନ ଶିଳ୍ପ ଉଦ୍ୟୋଗର ଅଭିବୃଦ୍ଧି ଉଦେ୍ଦଶ୍ୟରେ ପ୍ରାୟ ୧ଠ,୬୮୩ କୋଟିର ଏକ ଆର୍ଥିକ ପ୍ୟାକେଜ୍ ସହ ଏକ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି ।
ପ୍ରକାଶ, ବୟନଶିଳ୍ପ ପାଇଁ ପିଏଲ୍ଆଇ ଯୋଜନା ଅନ୍ତର୍ଗତ ପ୍ରୋତ୍ସାହନ ପାଇବାକୁ ଆବେଦନପତ୍ର ଆହ୍ୱାନ କରାଯାଇଥିବା ବେଳେ ବିଭାଗୀୟ ପୋର୍ଟାଲ ମାଧ୍ୟମରେ ୨ଠ୨୨ ଜାନୁଆରୀ ୧ରୁ ୨ଠ୨୨ ଫେବ୍ରୁଆରୀ ୨୮ ମଧ୍ୟରେ ପ୍ରାୟ ୬୭ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ତେବେ ଟେକ୍ସଟାଇଲ୍ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଏଥିମଧ୍ୟରୁ ୬୪ଟି ଆବେଦନକୁ ସ୍ୱୀକୃତି ଦେଇଛନ୍ତି । ଏଥିମଧ୍ୟରୁ ୫୬ଟି ଆବେଦନ ନୂଆ କମ୍ପାନୀ ଗଠନ ପାଇଁ କରାଯାଇଥିବା ବେଳେ ଟେକ୍ସଟାଇଲ୍ ମନ୍ତ୍ରଣାଳୟ ଏସବୁକୁ ମଞ୍ଜୁରି ଦେଇଛି ।