ପରୀକ୍ଷଣ କଲା ଆଇସିବିଏମ୍ ହ୍ୱାସଙ୍ଗ-୧୭

ଆମେରିକା ଓ ଦ.କୋରିଆକୁ
କିମ୍ଙ୍କ ନାଲିଆଖି
ବେଜିଂ/ ୱାଶିଂଟନ୍ (ଏଜେନ୍ସି): ଆମେରିକା ଓ ଦକ୍ଷିଣ କୋରିଆକୁ ସର୍ବଦା ଶତ୍ରୁ ବିବେଚନା କରିଆସୁଥିବା ଉତ୍ତରକୋରିଆ ଇତି ମଧ୍ୟରେ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ (ଆଇସିବିଏମ୍) ହ୍ୱାସଙ୍ଗ୍-୧୭ର ସଫଳ ପରୀକ୍ଷଣ କରିସାରିଛି । ତେବେ ଉତ୍ତରକୋରିଆର ଏହି ବିଧ୍ୱଂସୀ ମିସାଇଲ୍କୁ ନେଇ ଆଶଙ୍କା ବ୍ୟକ୍ତ କରିଛି ଚୀନ୍ । ଚୀନ୍ ପ୍ରତିରକ୍ଷା ବିଶେଷଜ୍ଞପକ୍ଷରୁ ଏସମ୍ପର୍କରେ କରାଯାଇଥିବା ଏକ ଷ୍ଟଡି ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଉତ୍ତରକୋରିଆର ଏହି ମିସାଇଲ୍ ମାତ୍ର ୩୩ ମିନିଟ୍ ମଧ୍ୟରେ ଆମେରିକାକୁ ଟାର୍ଗେଟ୍ କରିବାରେ ସକ୍ଷମ ବୋଲି ଦର୍ଶାଯାଇଛି । ବିଶେଷକରି ଆମେରିକାର ପଶ୍ଚିମ ଏବଂ ପୂର୍ବ ତଟ ଅଞ୍ଚଳକୁ ଏହି ମିସାଇଲ୍ ଅତି ସହଜରେ ଟାର୍ଗେଟକୁ ହିଟ୍ କରିପାରିବ । ସେହିପରି ଉତ୍ତରକୋରିଆ ଆଖି ପିଛୁଳାକେ ଦକ୍ଷିଣ କୋରିଆକୁ ମଧ୍ୟ ହିଟ୍ କରିପାରିବ ବୋଲି ଷ୍ଟଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଚୀନ୍ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଉତ୍ତରକୋରିଆ ପରୀକ୍ଷା କରିଥିବା ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ଅପେକ୍ଷାକୃତ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ । ଆମେରିକା କିମ୍ବା ଅନ୍ୟ ଯେକୌଣସି ଦେଶ ପାଖରେ ବର୍ତ୍ତମାନ ସୁଦ୍ଧା ମହଜୁଦ୍ ଥିବା ପ୍ରତିରକ୍ଷା ମିସାଇଲ୍ ସିଷ୍ଟମ୍ ମଧ୍ୟ ଏହି ମିସାଇଲ୍କୁ ରୋକିବାରେ ବିଫଳ ସାବ୍ୟସ୍ତ ହେବ । ସମ୍ପ୍ରତି ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସକୁ ନେଇ ଉତ୍ତ୍ୟକ୍ତ ହୋଇପଡିଥିବା ଉତ୍ତରକୋରିଆ, ୨ଠ୧୭ରେ ମଧ୍ୟ ହ୍ୱାସଙ୍ଗ-୧୫ ମିସାଇଲ୍ର ମଧ୍ୟ କାଳ୍ପନିକ ପ୍ରକ୍ଷେପଣ କରାଇଥିଲା । ତେବେ ଗୁରୁବାର ହ୍ୱାସଙ୍ଗ-୧୭ର ପରୀକ୍ଷଣ କରାଇବା ସହ ସମଗ୍ର ବିଶ୍ୱକୁ ଭୟଭୀତ କରିଦେଇଛି ଉତ୍ତରକୋରିଆ । ପରୀକ୍ଷଣ ସମୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଏବଂ ତାଙ୍କ ଝିଅ ଉପସ୍ଥିତ ଥିବା ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *