ସଂସଦ ସୋମବାର ଯାଏ ମୁଲତବୀ
୫ ଦିନରେ ମାତ୍ର ୯୭ ମିନିଟ୍ କାର୍ଯ୍ୟ
ଆଦିଲ୍ଲୀ, ୧୭ା୩: ରାହୁଲ ଗାନ୍ଧୀଙ୍କ ଲଣ୍ଡନ ଭାଷଣ ଓ ଶିଳ୍ପପତି ଗୌତମ ଅଡାନୀ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳମାନେ ନିଜ ନିଜ ଜିଦ୍ରେ ଅଡି ବସି ରହିବାର ଫଳ ସ୍ୱରୂପ ୫ ଦିନ ହେଲା ସଂସଦ ଚାଲି ପାରୁ ନାହିଁ । ୫ ଦିନ ଭିତରେ ଲୋକସଭା ଚାଲିଛି ୪୨ ମିନିଟ୍ ଓ ରାଜ୍ୟସଭା ମାତ୍ର ୫୫ ମିନିଟ୍ ଚାଲିଛି । ଶୁକ୍ରବାର ଲୋକସଭା ୨୨ ମିନିଟ୍ ଚାଲିଥିଲା । ରାଜ୍ୟସଭା ସର୍ବାଧିକ ୨୧ ମିନିଟ୍ ଚାଲିଥିଲା ମାର୍ଚ୍ଚ ୧୩ ତାରିଖ ଦିନ । ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ସଂସଦ ଠପ୍ ହେବା ପରେ ସଂସଦ ଭବନ ପରିସରସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ସାଂସଦମାନେ ଧାରଣାରେ ବସି ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି ।
୨୦୦୮ ମସିହା ପରେ ପ୍ରଥମ ଥର ପାଇଁ ଶାସକ ପକ୍ଷର ହଙ୍ଗାମା ଯୋଗୁଁ ସଂସଦ ମୁଲତବୀ ରଖିବାକୁ ପଡିଛି । ୨୦୦୮ରେ ଆମେରିକା ସହ ପରମାଣୁ ଚୁକ୍ତିକୁ ବିରୋଧ କରି କ୍ଷମତାସୀନ ମେଣ୍ଟର ବାମପନ୍ଥୀ ଦଳମାନେ ହଙ୍ଗାମା କରିଥିଲେ । ଏବେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଅଡାନି ପ୍ରସଙ୍ଗ ଏଡିବା ଉଦେ୍ଦଶ୍ୟରେ ମୋଦି ସରକାର ସଂସଦ ଚଳାଇବାକୁ ଦେଉ ନାହାନ୍ତି ।
ସଂସଦର ମୂଳ କାମ ଆଇନ ପ୍ରଣୟନ । ଏହାଛଡ଼ା କାର୍ଯ୍ୟପାଳିକାକୁ ନିୟନ୍ତ୍ରଣ କରିଥାଏ ସଂସଦ । ସମ୍ବିଧାନର ଅନୁଚ୍ଛେଦ ୭୫(୩)ରେ କୁହାଯାଇଛି ଯେ କ୍ୟାବିନେଟ୍ ଓ ସରକାର ସଂସଦ ପ୍ରତି ଉତ୍ତରଦାୟୀ ରହିବେ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ବିଚାରପତିମାନଙ୍କ ବିରୋଧରେ ଅଭିଯୋଗ ଆଣିବା ମଧ୍ୟ ସଂସଦର ଅଛି । ସଂସଦ ସପ୍ତାହରେ ୫ ଦିନ ଚାଲିଥାଏ । ଦିନକରେ ୭ ଘଣ୍ଟା ଚାଲିବା ସଂସଦ ଚାଲିବା ପରମ୍ପରା ରହିଆସିଛି । ୨୦୧୮ ମସିହାର ରିପୋର୍ଟ ଅନୁଯାୟୀ ସଂସଦ ଘଣ୍ଟାଏ ଚାଲିଲେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୁଏ । ତେଣୁ ଗୋଟିଏ ଦିନରେ ୧୦ କୋଟିରୁ ଅଧିକ ଖର୍ଚ୍ଚ ହେଉଛି । ତେଣୁ ଚଳିତ ଅଧିବେଶନରେ ଏପର୍ଯ୍ୟନ୍ତ ୫୦ କୋଟି ଟଙ୍କା ବରବାଦ ହେଲାଣି ।
ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୩ରେ ଆରମ୍ଭ ହୋଇଥିଲା । ଏପି୍ରଲ୍ ୬ରେ ଅଧିବେଶନ ଶେଷ ହେବ । ହଙ୍ଗାମା ଯୋଗୁ ବାକିଆ ପଡ଼ିଥିବା ୩୫ ବିଲ୍ ଉପରେ ଆଲୋଚନା ବା ଭୋଟିଂ ହୋଇପାରିନାହିଁ । ରାଜ୍ୟସଭାରେ ୨୬ ଓ ଲୋକସଭାରେ ୯ ବିଲ୍ ପେଣ୍ଡିଂ ଅଛି । ଏଗୁଡ଼ିକ ମଧ୍ୟରେ ଆସାମ ବିଧାନ ପରିଷଦ ବିଲ୍-୨୦୧୩ ଓ ଭବନ ଓ ଅନ୍ୟ ନିର୍ମାଣ ଶ୍ରମିକ ସମ୍ବନ୍ଧୀୟ ବିଲ୍ ୨୦୧୩, ୭୯ତମ ସଂଶୋଧନ ବିଲ୍ ୧୯୯୨ ରୋଜଗାର କାର୍ଯ୍ୟାଳୟ ସଂଶୋଧନ ବିଲ୍ ୨୦୧୩, ଭାରତୀୟ ଚିକିତ୍ସା ଓ ହୋମିଓପାଥି ଫାର୍ମାସୀ ବିଲ୍ ୨୦୦୫, ଆନ୍ତଃ ରାଜ୍ୟ ଶ୍ରମିକ ବିଧେୟକ, ବିଜ୍ ବିଲ୍ ୨୦୦୪, ମଧ୍ୟସ୍ଥତା ବିଲ୍ ୨୦୨୧, ରାଜସ୍ଥାନ ବିଧାନ ପରିଷଦ ବିଲ୍ ୨୦୧୩, ପଞ୍ଜୀକରଣ ବିଲ୍ ୨୦୧୩, ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ ବିଲ୍ ୨୦୦୮, ଜବରଦଖଲକାରୀଙ୍କ ବେଦଖଲ ବିଧେୟକ ୨୦୧୪ ପ୍ରଭୃତି ଅନ୍ୟତମ । ଏସବୁ ରାଜ୍ୟସଭାରେ ପାସ୍ ହେବା କଥା । ଏହି ଅଧିବେଶନରେ ସରକାର ଡାଟା ପ୍ରୋଟେକ୍ସନ୍ ବିଲ୍ ଲୋକସଭାରେ ପେଶ୍ କରିବା ସମ୍ଭାବନା ରହିଛି । ଗତ ୬ଟି ଅଧିବେଶନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂସଦକୁ ପ୍ରୋରଗ କରାଯାଇଛି । ଏଥର ମଧ୍ୟ ସେହିପରି ହେବା ଆଶଙ୍କା କରାଯାଉଛି ।