ଅଖିଳେଶ-ମମତା ଗଢ଼ିଲେ ନୂଆ ମୋର୍ଚ୍ଚା
ଅଣକଂଗ୍ରେସ ମେଣ୍ଟରେ ବିଜେଡିକୁ ସାମିଲ କରାଇବା ଉଦ୍ୟମ
ନୂଆଦିଲ୍ଲୀ, ୧୭ା୩: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳମାନେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହିକ୍ରମରେ ପୁଣି ଥରେ ତୃତୀୟ ମୋର୍ଚ୍ଚା ଗଠନ ଉଦ୍ୟମ ତେଜିଛି । ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି, ତୃତୀୟ ସାମ୍ମୁଖ୍ୟ ଏଥର କଂଗ୍ରେସକୁ ବାଦ୍ ଦେଇ ଗଢାଯିବାର ସଂକେତ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟିର ମୁଖିଆ ଅଖିଳେଶ ଯାଦବ ଶୁକ୍ରବାର ନୂଆ ମେଣ୍ଟ କରି ପ୍ରମୁଖ ଆଞ୍ଚଳିକ ଦଳମାନଙ୍କୁ ଏଥିରେ ସାମିଲ କରାଇବା ସଙ୍କେତ ଦେଇଛନ୍ତି ।
ଶୁକ୍ରବାର କୋଲକାତାରେ ମମତାଙ୍କ ସହ ଆଲୋଚନା ପରେ ଅଖିଳେଶ କହିଛନ୍ତି, ପଶ୍ଚିମବଙ୍ଗରେ ତାଙ୍କ ଦଳ ମମତା ଦିଦିଙ୍କ ପଛରେ ଛିଡା ହେବ । ଆମେ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବାକୁ ଚାହୁଁଛୁ । ସମ୍ବିଧାନର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ । ୟୁପିରେ ବିଜେପିକୁ ପରାସ୍ତ କଲେ ସାରା ଦେଶରେ ବିଜେପି ହାରିଯିବ ।
ଟିଏମ୍ସି ସାଂସଦ ସୁଦୀପ ବନେ୍ଦାପାଧ୍ୟାୟ କହିଛନ୍ତି, ବିଜେପି ଚାହୁଁଛି ରାହୁଲ ଗାନ୍ଧୀ ମେଣ୍ଟର ମୁଖିଆ ହୁଅନ୍ତି । ଏହାଦ୍ୱାରା ବିଜେପିକୁ ଫାଇଦା ମିଳିବ । କିନ୍ତୁ କଂଗ୍ରେସ ବିରୋଧୀ ମେଣ୍ଟର ବିଗ୍ବସ୍ ଭାବିବା ଏକ ଭ୍ରମ । ମମତା ବାନାର୍ଜୀ ଆସନ୍ତା ୨୩ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିବେ । ଅନ୍ୟ ବିରୋଧୀ ଦଳଗୁଡିକ ସହ ମଧ୍ୟ ସେ ବିଜେପି ଓ କଂଗ୍ରେସ ଠାରୁ ଦୂରତା ରକ୍ଷା ପାଇଁ ଆଲୋଚନା କରିବେ । ଏହା ତୃତୀୟ ସାମ୍ମୁଖ୍ୟ ବୋଲି ଆମେ କହୁନାହୁଁ । ତେବେ ଆଞ୍ଚଳିକ ଦଳ ପାଖରେ ବିଜେପିର ମୁକାବିଲା କରିବା ସାମର୍ଥ୍ୟ ଅଛି ।ମେଣ୍ଟ ଗଠନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁ ବିରୋଧୀ ଦଳଙ୍କୁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଆସୁଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । କେସିଆର୍ଙ୍କ ସହ ପୂର୍ବରୁ ଅଖିଳେଶ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ଏବେ ଅଖିଳେଶ ପଶ୍ଚିମବଙ୍ଗ ଯାଇ ମମତାଙ୍କ ଖୁବ୍ ତାରିଫ କରିଛନ୍ତି ।