ଭାରତର ବିଜୟ ଅଭିଯାନ

୫ ୱିକେଟ୍ରେ ହାରିଲା ଅଷ୍ଟ୍ରେଲିଆ
ମୁମ୍ବାଇ, ୧୭ା୩ (ଏଜେନ୍ସି): ବୋଲର୍ଙ୍କ ପ୍ରଭାବଶାଳୀ ବୋଲିଂ ଏବଂ ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଅପରାଜିତ ଶତକୀୟ ଭାଗୀଦାରୀ ବଳରେ ଭାରତ ଶୁକ୍ରବାର ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇ ସକାରାତ୍ମକ ଅଭିଯାନ ଆରମ୍ଭ କରିଛି । ଟିମ୍ ଇଣ୍ଡିଆ ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ୧୧ ବର୍ଷ ପରେ ଦିନିକିଆ ମ୍ୟାଚ୍ ଜିତିଛି । ଅପରାଜିତ ୪୫ ରନ୍ କରିବା ସହ ୨ ୱିକେଟ୍ ନେଇଥିବା ଜାଡ଼େଜା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି । ୧୯ରେ ଭାଇଜାକ୍ ଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ପ୍ରଥମ ଥର ଦିନିକିଆରେ ଟିମ୍ର ନେତୃତ୍ୱ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହା ପ୍ରଥମ ସଫଳତା ଥିଲା । ୱାଙ୍ଖେଡ଼େରେ ଟିମ୍ ଇଣ୍ଡିଆ ୨୦୧୧ ଅକ୍ଟୋବରରେ ଇଂଲଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍ ଜିତିଥିଲା । ଏହାପରେ ଟିମ୍ ଏଠାରେ ଖେଳିଥିବା ତିନିଟିଯାକ ମ୍ୟାଚ୍ ହାରିଯାଇଥିଲା ।
୧୮୯ ରନ୍ର ସହଜ ଟାର୍ଗେଟ୍ ନେଇ ଖେଳିଥିବା ଟିମ୍ ଇଣ୍ଡିଆ ୩୯.୫ ଓଭର୍ରେ ୫ ୱିକେଟ୍ ହରାଇ ୧୯୧ ରନ୍ କରି ବିଜୟୀ ହୋଇଥିଲା । ରାହୁଲ ୯୧ ବଲ୍ରୁ ୭ ଚୌକା ଓ ୧ ଛକା ସହାୟତାରେ ୭୫ ଏବଂ ଜାଡ଼େଜା ୬୯ ବଲ୍ରୁ ୫ ଚୌକା ସହାୟତାରେ ୪୫ ରନ୍ କରି ଅପରାଜିତ ଥିଲେ ।
ତେବେ ଟିମ୍ ମାତ୍ର ୩୯ ରନ୍ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଈଶାନ କିଶନ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ମାତ୍ର ୫ ରନ୍ରେ ଭାଙ୍ଗିଥିଲା । ଈଶାନ (୩) ଷ୍ଟୋଇନିସ୍ଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ବିରାଟ କୋହଲି (୪) ଓ ସୂର୍ଯ୍ୟକୁମାର ଯାଦବ (୦) ମଧ୍ୟ ଫ୍ଲପ୍ ହୋଇଥିଲେ । ଉଭୟ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇ ପାଭିଲିଅନ୍ ଫେରିଥିଲେ । ଶୁଭମନ ଗିଲ୍ (୨୦) ମଧ୍ୟ କୌଣସି କମାଲ୍ କରିପାରି ନ ଥିଲେ । ତାଙ୍କ ୱିକେଟ୍ ବି ଷ୍ଟାର୍କଙ୍କ ଖାତାକୁ ଯାଇଥିଲା ।
ଏହାପରେ ରାହୁଲ ଓ ଅଧିନାୟକ ହାର୍ଦ୍ଦିକ ମିଶି ପଞ୍ଚମ ୱିକେଟ୍ ପାଇଁ ୪୪ ରନ୍ ଯୋଗ କରିଥିଲେ । ହାର୍ଦ୍ଦିକ ବ୍ୟକ୍ତିଗତ ୨୫ ରନ୍ରେ ଷ୍ଟୋଇନିସ୍ଙ୍କ ବଲ୍ରେ କାମେରନ୍ ଗ୍ରୀନ୍ଙ୍କୁ କ୍ୟାଚ୍ ଦେଇଥିଲେ । ୮୫ ରନ୍ରେ ପଞ୍ଚମ ୱିକେଟ୍ ପଡ଼ିବା ପରେ ରାହୁଲଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଜାଡ଼େଜା । ଉଭୟ ସତର୍କତାର ସହ ଇନିଂସ୍କୁ ଆଗେଇ ନେଇଥିଲେ ଏବଂ ଆଉ ୱିକେଟ୍ ପଡ଼ିବାକୁ ନ ଦେଇ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଇତ୍ୟବସରେ ରାହୁଲ ୧୩ତମ ଅର୍ଦ୍ଧଶତକ ଲଗାଇଥିଲେ । ଷଷ୍ଠ ୱିକେଟ୍ ପାଇଁ ୧୦୮ ରନ୍ର ଅପରାଜିତ ଭାଗୀଦାରୀ ହୋଇଥିଲା ।
ଏହା ପୂର୍ବରୁ ଭାରତୀୟ ଅଧିନାୟକ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୩୫.୪ ଓଭର୍ରେ ମାତ୍ର ୧୮୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ମିଚେଲ୍ ମାର୍ଶ ସର୍ବାଧିକ ୮୧ (୬୫ ବଲ୍ରୁ) ରନ୍ କରିଥିଲେ । ତାଙ୍କ ଇନିଂସ୍ରେ ୧୦ ଚୌକା ଓ ୫ ଛକା ରହିଥିଲା । ତେବେ ମାର୍ଶଙ୍କୁ ଛାଡ଼ିଦେଲେ, ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜୋଶ୍ ଇଙ୍ଗଲିଶ୍ ୨୬, ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୨୨, ମାର୍ନସ ଲାବୁଶେନ ୧୫ ଓ ଗ୍ରୀନ୍ ୧୨ ରନ୍ କରିଥିଲେ । ଏହି ପାଞ୍ଚ ବ୍ୟାଟର୍ଙ୍କୁ ଛାଡ଼ିଦେଲେ, ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।
ଭାରତ ପକ୍ଷରୁ ମହମ୍ମଦ ଶାମୀ, ମହମ୍ମଦ ସିରାଜ ୩ ଲେଖାଏଁ, ଜାଡ଼େଜା ୨ ଏବଂ ହାର୍ଦ୍ଦିକ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *