ଦୁଇ ଆର୍ମି ପାଇଲଟ୍ ସହିଦ୍
ଅରୁଣାଚଳରେ ହେଲିକପ୍ଟର କ୍ରାସ୍
ଇଟାନଗର, ୧୬ା୩: ଭାରତୀୟ ସେନାର ଚିତା ହେଲିକପ୍ଟର ଗୁରୁବାର ସକାଳେ ଚୀନ୍ ସୀମା ନିକଟବର୍ତ୍ତି ଅରୁଣାଚଳ ପ୍ରଦେଶର ମଣ୍ଡଳା ପାହାଡୀ ଇଲାକାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ଥିବା ଦୁଇଜଣ ପାଇଲଟ୍ ସହିଦ୍ ହୋଇଛନ୍ତି । ଦୁଇ ପାଇଲଟ୍ କର୍ଣ୍ଣେଲ ଓ ମେଜର ର୍ୟାଙ୍କର ଅଫିସର । ଡିଫେନ୍ସ ଗୁଆହାଟୀର ଲୋକସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଛନ୍ତି, ଆର୍ମି ଆଭିଏସନ୍ର ଚିତା ହେଲିକପ୍ଟର ଅରୁଣାଚଳ ପ୍ରଦେଶର ବୋମବିଆଲ ନିକଟରୁ ଅପରେସନ୍ ଉଡ଼ାଣ କରୁଥିବାବେଳେ ସକାଳ ୯ଟା ୧୫ ବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ସମ୍ପର୍କ ଛିନ୍ନ ହୋଇଥିଲା । ଅରୁଣାଚଳ ପ୍ରଦେଶ ପୁଲିସ କହିଛି ଅପରାହ୍ଣ ସାଢ଼େ ୧୨ଟାବେଳେ ଦିରାଙ୍ଗ ଥାନା ଅଞ୍ଚଳର ଲୋକମାନେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ସେନା, ଏସ୍ଏସ୍ବି ଓ ପୁଲିସ ପକ୍ଷରୁ ସର୍ଚ୍ଚ ଟିମ୍ ଦୁର୍ଘଟଣାସ୍ଥଳ ଅଭିମୁଖେ ଯାଇଥିଲେ । କୁହୁଡ଼ି ଯୋଗୁଁ ଦୃଶ୍ୟତା ଥିଲା ମାତ୍ର ୫ ମିଟର । ତେବେ ପରିଶେଷରେ ଦୁଇ ପାଇଲଟଙ୍କ ମର ଶରୀର ମିଳିଥିଲା ।
ଏହା ପୂର୍ବରୁ ଗତ ଅକ୍ଟୋବର ୨୧ ତାରିଖ ଦିନ ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ମିଲିଟାରୀ ଆଟାକ୍ ହେଲିକପ୍ଟର ରୁଦ୍ର କ୍ରାସ୍ ହୋଇଥିଲା । ସେଥିରେ ୫ ଜଣ ପ୍ରାଣ ହରାଇଥିଲେ । ସେହି ମାସ ୫ ତାରିଖ ଦିନ ତୱାଙ୍ଗ ଇଲାକାରେ ଆର୍ମିର ଆଉ ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।