କିଣାଯିବ ୭ଠ,୫୮୪ କୋଟିର ସ୍ୱଦେଶୀ ଯୁଦ୍ଧାସ୍ତ୍ର
ନୂଆଦିଲ୍ଲୀ, ୧୬ା୩: ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୭୦, ୫୮୪ କୋଟି ଟଙ୍କାର ବିଭିନ୍ନ ସାମରିକ ସରଞ୍ଜାମ କିଣିବା ପାଇଁ ଗୁରୁବାର ମଞ୍ଜୁରି ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱାଧୀନ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) କ୍ରୟ ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ସେହି ଅନୁସାରେ, ନୌସେନା ପାଇଁ ସର୍ବାଧିକ ୫୬ ହଜାର କୋଟି ଟଙ୍କାର ବ୍ରହ୍ମୋସ କ୍ଷେପଣାସ୍ତ୍ର, ଶକ୍ତି ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ୍, ମାରିଟାଇମ୍ ୟୁଟିଲିଟି ହେଲିକପ୍ଟର କିଣାଯିବ । ସେହିପରି ବାୟୁସେନା ପାଇଁ ଲଙ୍ଗ୍ ରେଞ୍ଜ ଷ୍ଟାଣ୍ଡ-ଅଫ୍ ୱିପନ୍ କ୍ରୟ କରାଯିବ ଯାହା ସୁଖୋଇ ବିମାନରେ ଲାଗିବ । ସ୍ଥଳସେନା ପାଇଁ ହାଇସ୍ପିଡ୍ ଗନ୍ଟୋଇଙ୍ଗ ଯାନ ସହିତ ୧୫୫ ଏମ୍ଏମ୍/ ୫୨ କାଲିବର ଏଟିଏଜିଏସ୍ କିଣାଯିବ । ଭାରତୀୟ କୋଷ୍ଟାଲ୍ଗାର୍ଡକୁ ଏହି କ୍ରମରେ ଏଚ୍ଏଏଲ୍ରୁ ଆଡ୍ଭାନ୍ସ ଲାଇଟ୍ ହେଲିକପ୍ଟର ଏମ୍ କେ – ଆଇଆଇଆଇ ଯୋଗାଇ ଦିଆଯିବ । ୨୦୨୨-୨୩ ଆର୍ଥିକ ବର୍ଷରେ ୨.୭୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯେଉଁ ଯୁଦ୍ଧ ସରଞ୍ଜାମ କିଣାଯାଇଛି ସେଥିରୁ ୯୯ ପ୍ରତିଶତ ଉପକରଣ ଭାରତୀୟ ଉଦ୍ୟୋଗ ଗୁଡ଼ିକରୁ ସଂଗ୍ରହ କରାଯାଇଥିଲା । ପୂର୍ବ ଲଦାଖ କ୍ଷେତ୍ରସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଚୀନ୍ ସହ ପ୍ରାୟ ତିନି ବର୍ଷ ହେଲା ଗତିରୋଧ ଜାରି ରହିବା ପରିପ୍ରେକ୍ଷୀରେ ସେନାବାହିନୀ ପାଇଁ ବିପୁଳ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ଡିଏସି ମଞ୍ଜୁରି (ଆକ୍ସେପ୍ଟାନ୍ସ ଅଫ୍ ନେସେସିଟି – ଏଓଏନ୍) ଦେଇଛି । ଏହାଦ୍ୱାରା ସମ୍ପୃକ୍ତ ଘରୋଇ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦକ ଉଦ୍ୟୋଗଗୁଡ଼ିକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍ରେ କୁହାଯାଇଛି ଯେ, ଏତେମାତ୍ରାରେ ସ୍ୱଦେଶୀ କ୍ରୟ ଦ୍ୱାରା ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ସହ ବିଦେଶୀ ବିକ୍ରେତାମାନଙ୍କ ଉପରେ ଭାରତର ନିର୍ଭରତା ଖୁବ୍ କମିଯିବ ।