୧୪ ଜିଲ୍ଲାରେ ଆନ୍ତଃରାଜ୍ୟ ସୀମା ବିବାଦ
ଭୁବନେଶ୍ୱର,୧୬ା୩(ତଥ୍ୟ) ରାଜ୍ୟର ୧୪ଟି ଜିଲ୍ଲାର ସୀମା ଅନ୍ୟ ରାଜ୍ୟକୁ ଲାଗିକରି ରହିଥିବାବେଳେ କେବଳ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ବାଦ୍ ଦେଲେ ପ୍ରାୟତଃ ବଡ ଧରଣର ସୀମା ବିବାଦ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସହିତ ଓଡିଶାର ୧୪ଟି ଜିଲ୍ଲା ଯଥା ବାଲେଶ୍ୱର, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ ଲାଗିଛି । ଏଥିରୁ କେବଳ କୋରାପୁଟର କୋଟିଆ ଗ୍ରାମପୁଞ୍ଜକୁ ନେଇ ବଡ ଧରଣର ସୀମା ବିବାଦ ରହିଛି ।
କୋରାପୁଟ ଜିଲ୍ଲା ଅର୍ନ୍ତଗତ ପଟାଙ୍ଗୀ ତହସିଲର ୨୧ଟି କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଆସିଛି । ଏ ସମ୍ପର୍କରେ ଓଡିଶା ସରକାର ଆନ୍ଧ୍ର ସରକାରଙ୍କ ବିରୋଧରେ ମାନ୍ୟବର ସୁପ୍ରିମ୍କୋର୍ଟରେ ମାମଲା ଦାଏର କରିଥିଲେ । ୨୦୦୬ରେ ଅଦାଲତ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ଉଭୟ ପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ନିକଟ ଅତୀତରେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜ ଅଧିନସ୍ଥ କିଛି ଗ୍ରାମରେ ପଞ୍ଚାୟତ ତଥା ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ଆଞ୍ଚଳିକ ନିର୍ବାଚନମଣ୍ଡଳୀରେ ନିର୍ବାଚନ କରିବାପାଇଁ ବିଜ୍ଞପ୍ତି ପ୍ରକାଶ କରିବାପରେ ଏହାକୁ ଭଣ୍ଡୁର ଲାଗି ଓଡିଶା ସରକାର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଯାହା ବିଚାରାଧିନ ରହିଛି । ଏହାଛଡା ଗତବର୍ଷ ଜାନୁୟାରୀ ମାସରେ ରାଜ୍ୟ ସରକାର ଓଡିଶା ହାଇକୋର୍ଟରେ ଅର୍ଜିନାଲ ସୁଟ୍ ଦାଖଲ କରିଛନ୍ତି । ଉଭୟ ରାଜ୍ୟ ନିଜ ନିଜର ମାଲିକାନା ଜାହିର କରୁଥିବାରୁ ଏହି ମାମଲାର ଫଏସଲା ନହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ଯେ ସୀମାନ୍ତ ଜିଲ୍ଲାଗୁଡିକର ସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ୧୫ଦିନିଆ ଗୋପନୀୟ ରିପୋର୍ଟ ଓ ବାର୍ଷିକ ସୀମା ପଥର ଯାଞ୍ଚ ସମ୍ପର୍କୀୟ ତଥ୍ୟ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ମଗାଯାଉଛି । ଏହା ସହିତ ଓଡିଶା ସରକାର ବିଭିନ୍ନ ସରକାରୀ ସ୍ତରୀୟ ଆଲୋଚନା ମାଧ୍ୟମରେ ମଧ୍ୟ ସୀମା ବିବାଦର ସମାଧାନ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି ।