୯ଠ ସେକେଣ୍ଡ୍ରେ ଗର୍ଭସ୍ଥ ଶିଶୁର ଅସ୍ତ୍ରୋପଚାର

ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀ ସ୍ଥିତ ଏମ୍ସରେ ବୁଧବାର ଏକ ବିରଳ ତଥା ସଫଳ ଅସ୍ତ୍ରୋପଚାର କରାଯାଇଛି । ଜଣେ ଗର୍ଭବତୀଙ୍କ ଗର୍ଭସ୍ଥ ଶିଶୁର ହୃତ୍ପିଣ୍ଡର ସଫଳ ଅସ୍ତ୍ରୋପଚାର କରି ଏମ୍ସ ଡାକ୍ତରୀ ଦଳ ରେକର୍ଡ ସୃଷ୍ଟି କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଶିଶୁଟିର ଅସ୍ତ୍ରୋପଚାର ପାଇଁ ଡାକ୍ତରୀଦଳଙ୍କୁ ମାତ୍ର ୯ଠ ସେକେଣ୍ଡ୍ ହିଁ ସମୟ ଲାଗିଥିଲା । ଅସ୍ତ୍ରୋପଚାର କଷ୍ଟକର ଥିଲେ ମଧ୍ୟ ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି, ଉନ୍ନତ ଜ୍ଞାନକୌଶଳ ସହାୟତାରେ ଏହାକୁ ସଫଳ କରାଯାଇପାରିଛି । ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଏକ ବିଶେଷଜ୍ଞ ଟିମ୍ ଏହି ପ୍ରକ୍ରିୟାକୁ ସଫଳ କରିଛନ୍ତି । ରିପୋର୍ଟ ଅନୁସାରେ ଅସ୍ତ୍ରୋପଚାର ପରେ ଏବେ ମା’ ଏବଂ ଗର୍ଭସ୍ଥ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।
ଜଣେ ୨୮ ବର୍ଷୀୟା ଗର୍ଭବତୀ ମହିଳା ନିଜ ଗର୍ଭସ୍ଥ ଶିଶୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦିଲ୍ଲୀ ଏମ୍ସ ଆସିଥିଲେ । ତେବେ ପରୀକ୍ଷା ସମୟରେ ଜଣାପଡିଥିଲା ଯେ, ମହିଳାଙ୍କ ଗର୍ଭରେ ବଢୁଥିବା ଶିଶୁଟିର ହୃତ୍ପିଣ୍ଡ ହିଁ ନାହିଁ । ତେଣୁ ଶିଶୁର ହୃତ୍ପିଣ୍ଡ ଅସ୍ତ୍ରୋପଚାର କରିବାକୁ ପଡିବ, ନ ହେଲେ ଶିଶୁଟି ବିନା ହୃତପିଣ୍ଡରେ ଜନ୍ମ ନେବ ବୋଲି ଡାକ୍ତରୀ ଦଳ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଜଣାଇଦେଇଥିଲେ । ପରେ ଦମ୍ପତି ଏପ୍ରକାର ଏକ ବିରଳ ଅସ୍ତ୍ରୋପଚାର ପାଇଁ ରାଜି ହେବା ପରେ ଏକ କ୍ଷୁଦ୍ର ଅଙ୍ଗୁର ଆକାରର ହାର୍ଟ ବେଲୁନ ଡାଏଲେସନ୍ କରାଯାଇଥିଲା । ଅଲଟ୍ରାସାଉଣ୍ଡ ମାଧ୍ୟମରେ ଏହି ସମସ୍ତ ପ୍ରକ୍ରିୟା ୯ଠ ସେକେଣ୍ଡ ମଧ୍ୟରେ କରାଯାଇଥିଲା । ପ୍ରଥମେ ମା’ ପେଟ ଦେଇ ଏକ ଛୁଞ୍ଚô ପ୍ରବେଶ କରାଯାଇ ଏକ ବେଲୁନ୍ କ୍ୟାଥେର୍ ମାଧ୍ୟମରେ ଭାଲବ୍ ଠାରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିଲା । ଏହାପରେ ଗର୍ଭସ୍ଥ ଶିଶୁ ହୃତ୍ପିଣ୍ଡରେ ରକ୍ତ ପ୍ରବାହ ସ୍ୱାଭାବିକ ହୋଇଥିଲା । ତେବେ ଶିଶୁର ହୃତପିଣ୍ଡ ସାଧାରଣ ଭାବରେ ବିକଶିତ ହେବା ନେଇ ଡାକ୍ତରୀ ଦଳ ଆଶାବାଦୀ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *