ପଶ୍ଚିମା ଝଡ଼ ଭରସାରେ ସରକାର: ବିରୋଧୀ

ଗୃହରେ ବନାଗ୍ନି ତାତି
ଭୁବନେଶ୍ୱର, ୧୫ା୩ (ବୁ୍ୟରୋ): ବିଧାନସଭାରେ ଦେଖିବାକୁ ମିଳିଛି ଜଙ୍ଗଲ ନିଆଁର ତାତି । ଗତ ୧୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଥମିବାର ନା ଧରୁନି । ମନୁଷ୍ୟକୃତ ବନାଗ୍ନି ଯୋଗୁଁ ଜଙ୍ଗଲ ସମ୍ପଦ ଧ୍ୱଂସ ହେବାରେ ଲାଗିଛି । ଦିନକୁ ଦିନ ନିଆଁର ପ୍ରକୋପ ବଢିଥିବା ବେଳେ ରାଜ୍ୟ ସରକାର ଯେତିକି ଯନôବାନ ହେବା କଥା ସେତିକି ହୋଇ ନ ଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ବୁଧବାର ଗୃହରେ ଉଦ୍ବେଗ ପ୍ରକାଶ କରିଥିଲେ । ଅପରପକ୍ଷରେ ରାଜ୍ୟରେ ବନାଗ୍ନି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ଜଙ୍ଗଲ ନିଆଁକୁ ପ୍ରସଙ୍ଗ କରି ବୁଧବାର ବିଜେପି ପକ୍ଷରୁ ଏକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା ।
‘ଲାଗିଛି ନିଆଁ ଜଙ୍ଗଲରେ, ସରକାର ଶୋଇଛନ୍ତି ମହାନିଦ୍ରାରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ କହିଥିଲେ, ୧୨ ଦିନ ହେଲା ରାଜ୍ୟର ଜଙ୍ଗଲାଞ୍ଚଳରେ ହୁହୁ ହୋଇ ନିଆଁ ଜଳୁଛି । ନିଆଁ ଯୋଗୁଁ ତାପମାତ୍ରା ବଢୁଛି । ଧ୍ୱଂସ ହେଉଛି ଜଙ୍ଗଲ । ବନ୍ୟଜୀବମାନେ ଜନବସତିମୁହାଁ ହେଉଛନ୍ତି । ସରକାର ହାତ ଟେକି ଦେଇ ପଶ୍ଚିମା ଝଡ଼ଜନିତ ବର୍ଷା ଭରସାରେ ଅଛନ୍ତି । ଗତ ସୋମବାର ୧୫୩ଟି ପଏଣ୍ଟ୍ରେ ବଡ଼ ଧରଣର ନିଆଁ ଲାଗିଥିଲା, ମଙ୍ଗଳବାର ବେଳକୁ ୨୦୨ ପଏଣ୍ଟକୁ ବଢିଛି । ଶିମିଳିପାଳ ଅଭୟାରଣ୍ୟ ବି ଜଳୁଛି । ଛତିଶଗଡ଼ର ୨୪୧ ଜାଗାରେ, କର୍ଣ୍ଣାଟକର ୨୨୭, ମଣିପୁରର ୨୧୭, ମିଜୋରାମର ୨୧୬ ସ୍ଥାନରେ ନିଆଁ ଲାଗିଥିବା ସ୍ଥଳେ ବର୍ତ୍ତମାନ ଓଡ଼ିଶାର ମୋଟ୍ ୬୫୬ ପଏଣ୍ଟରେ ବନାଗ୍ନି ହୋଇଛି । ରାଜ୍ୟର ୫୬୧୯ ବର୍ଗ କିଲୋମିଟର ଜଙ୍ଗଲରୁ ୪୪ ପ୍ରତିଶତ ଜଙ୍ଗଲ ଜଳୁଛି । ଏହା ଦେଶରେ ସବୁଠୁ ଅଧିକ । ଜଙ୍ଗଲରେ ନିଆଁ ଲଗିବା ମନୁଷ୍ୟକୃତ । ଜଙ୍ଗଲ ବିଭାଗର କର୍ମ·ରୀମାନେ ଦଲାଲଙ୍କୁ ସହାୟତା କରିବାକୁ ଇ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭାଇବାରେ ଫେଲ୍ ମାରିଛନ୍ତି । କେବଳ ୨୦ କୋଟି ଟଙ୍କା ବ୍ୟବସ୍ଥା କରି କାମ ସାରିଦେଇଥିବା ଅଭିଯୋଗ କରିଛନ୍ତି ଶ୍ରୀ ମାଝୀ । ମୁଲତବୀ ପ୍ରସ୍ତାବରେ ଭାଗ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଜଙ୍ଗଲରେ ଗଛ କାଟିବା ପାଇଁ ମାଫିଆମାନଙ୍କୁ ସହଯୋଗ କରୁଛନ୍ତି ବନ କର୍ମ·ରୀ । କାମ୍ପା ଫଣ୍ଡ୍ରେ ବନୀକରଣ କରାଯାଉଛି । ଆଦିବାସୀ ଲୋକଙ୍କ ପାଇଁ ବିଭିନ୍ନ ଫଳ, ଅନ୍ୟାନ୍ୟ ଗଛ ଲଗାଯାଉଛି । ଗଛ କ’ଣ ପ୍ରକୃତରେ ଲଗାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ରେଞ୍ଜର ଠାରୁ ଆରମ୍ଭ କରି ଡିଏଫ୍ଓ ପର୍ଯ୍ୟନ୍ତ ଦୁର୍ନୀତିରେ ଲିପ୍ତ । ଜଙ୍ଗଲ ସୁରକ୍ଷା ଜଙ୍ଗଲ ବିଭାଗ ହାତରେ । ଯଦି ଶିମିଳିପାଳକୁ ସୁରକ୍ଷା ନ ଦିଆଯିବ ଦିନେ ଓଡିଶା ମରୂଭୂମିରେ ପରିଣତ ହେବ । ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗରେ କେତେ ଜଣ ଗିରଫ ହୋଇଛନ୍ତି ଏବଂ କାମ୍ପା ଫଣ୍ଡରେ ଆସୁଥିବା ଟଙ୍କାରୁ ଗଛ ଲାଗେଇବାରେ କେତେ ଖର୍ଚ୍ଚ ହେଉଛି ତା’ର ଉତ୍ତର ଗୃହରେ ରଖିବାକୁ ଶ୍ରୀ ସାଲୁଜା ଦାବି କରିଥିଲେ ।
ମୁଲତବୀ ଆଲୋଚନାର ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରିଛନ୍ତି । ଟାସ୍କ୍ ଫୋର୍ସ ଗଠନ କରାଯାଇଛି । ଟାସ୍କ୍ ଫୋର୍ସ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଉଛି । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏସ୍ଓପି ଜାରି ସହ ଜିଲ୍ଲା ସ୍ତରରେ ଜଙ୍ଗଲ ଆକ୍ସନ ପ୍ଲାନ କରାଯାଇଛି । ୩୯୯ ନିଆଁ ଲିଭାଳି ଦଳଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ଗାଡ଼ି, ଫାୟାର ବ୍ଲୋୟର, ସୁରକ୍ଷା ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ରାଜ୍ୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରୁଛି । ମାର୍ଚ୍ଚ ୧୩ ସୁଦ୍ଧା ୨୨୭୮୬ ପଏଣ୍ଟ୍ରେ ନିଆଁ ଲାଗିଥିଲା । ସେଥିରୁ ୨୨୩୧୬ ପଏଣ୍ଟରେ ନିଆଁ ଆୟତ୍ତ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *