ଭାରତ ଅପରାଜେୟ

ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ ୨୦୨୨-୨୩
ରାଉରକେଲା, ୧୫ା୩ (ଆପ୍ର): ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ ପ୍ରତିଯୋଗିତା ବୁଧବାର ଶେଷ ହୋଇଛି । ଶେଷ ମ୍ୟାଚ୍ରେ ଭାରତ ୪-୩ ସୁଟ୍ଆଉଟ୍ରେ ଅଷ୍ଟ୍ରେଲିଆକୁ ହରାଇ ରୋମାଞ୍ଚକ ବିଜୟ ହାସଲ କରିଛି । ଏଥିସହିତ ଆୟୋଜକ ଭାରତ ଏଠାରେ ଅପରାଜେୟ ରହି ତା’ର ଅଭିଯାନ ଶେଷ କରିଛି ।
ଭାରତ ଆଠ ମ୍ୟାଚ୍ରୁ ୧୯ ପଏଣ୍ଟ ପାଇ ଟେବୁଲ୍ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ସମାନସଂଖ୍ୟକ ମ୍ୟାଚ୍ରୁ ୮ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି । ଜର୍ମାନୀ ୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି ।
ଭାରତୀୟ ଟିମ୍ ଏହା ପୂର୍ବରୁ ଜର୍ମାନୀକୁ ଦୁଇ ଥର ଓ ଅଷ୍ଟ୍ରେଲିଆକୁ ଥରେ ମାତ୍ ଦେଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମୁକାବିଲା ୨-୨ ବରାବର ସ୍ଥିତିରେ ରହିଥିଲା । ଭାରତ ପକ୍ଷରୁ ବିବେକ ସାଗର ପ୍ରସାଦ (ଦ୍ୱିତୀୟ ମିନିଟ୍) ଓ ସୁଖଜିତ୍ ସିଂହ (୪୭ତମ) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଏଫ୍ରାୟମ୍ସ (୩୭ତମ) ଓ ଟିମ୍ ହୋୱାର୍ଡ (୫୨ତମ) ଗୋଲ୍ ଦେଇଥିଲେ ।
ଏହାପରେ ଫଳାଫଳ ପାଇଁ ୫-୫ ସଟ୍ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା । ଏଥିରେ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ, ସୁଖଜିତ୍ ସିଂହ, ଦିଲପ୍ରୀତ ସିଂହ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ଜ୍ୟାକ୍ ୱେଲ୍ଚ, କ୍ରେଗ୍ ମାରଇସ୍ ଓ ଜାକ୍ ହାର୍ଭି ସ୍କୋର୍ କରିଥିଲେ । ଏହା ୩-୩ ସମାନ ସ୍ଥିତିରେ ରହିବାରୁ ସଡନ୍ ଡେଥ୍ ହୋଇଥିଲା । ଏଥିରେ ହରମନପ୍ରୀତ ଭାରତ ପକ୍ଷରୁ ବିଜୟୀ ଗୋଲ୍ ଦେଇଥିଲେ । ସୁଟ୍ଆଉଟ୍ରେ ପିଆର୍ ଶ୍ରୀଜେଶଙ୍କ ଗୋଲ୍କିପିଂ ପ୍ରଶଂସନୀୟ ଥିଲା । ଭାରତ ପକ୍ଷରୁ ବିବେକ ସାଗର ପ୍ରସାଦ ୧୦୦ତମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ ।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଟିମ୍ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ମ୍ୟାଚ୍ର ଦ୍ୱିତୀୟ ମିନିଟ୍ରେହିଁ ଟିମ୍ ପେନାଲ୍ଟି କର୍ଣ୍ଣର ଜିତିଥିଲା । ଏହାକୁ ଗୋଲ୍ରେ ପରିଣତ କରି ଭାରତକୁ ଅଗ୍ରଣୀ କରିଥିଲେ ବିବେକ ସାଗର ପ୍ରସାଦ । ଚତୁର୍ଥ ମିନିଟ୍ରେ ଭାରତ କ୍ରମାଗତ ତିନି ପିସି ହାସଲ କରିଥିଲା । ପରବର୍ତ୍ତୀ ମିନିଟ୍ରେ ଭାରତକୁ ଆଉ ଏକ ପିସି ମଧ୍ୟ ମିଳିଥିଲା । କିନ୍ତୁ ଏଗୁଡ଼ିକ କାମରେ ଆସି ନ ଥିଲା । ଅନ୍ୟପଟେ, ଟିମ୍ର ମଜଭୁତ ରକ୍ଷଣପନ୍ଥୀ ପ୍ରତିପକ୍ଷକୁ କୌଣସି ସୁଯୋଗ ଦେଇ ନ ଥିଲେ । ପ୍ରଥମ କ୍ୱାର୍ଟର ସୁଦ୍ଧା ଆୟୋଜକ ଟିମ୍ ୧-୦ରେ ଆଗରେ ରହିଥିଲା ।
୨୧ତମ ମିନିଟ୍ରେ ଅଷ୍ଟ୍ରେଲିଆ ପ୍ରଥମ ପିସି ପାଇଥିଲା, କିନ୍ତୁ ଏହାର ସଦୁପଯୋଗ କରିପାରିଥିଲା । ଏହାର ଦୁଇ ମିନିଟ୍ ପରେ ଅଷ୍ଟ୍ରେଲିଆର ଲାଚଲାନ୍ ଶାର୍ପଙ୍କୁ ରେଫରୀ ଗ୍ରୀନ୍ କାର୍ଡ ଦେଖାଇଥିଲେ । ଭାରତର ଯୁଗରାଜ ସିଂହ (୨୪ତମ)ଙ୍କୁ ମଧ୍ୟ ଗ୍ରୀନ୍କାର୍ଡ ପ୍ରଦର୍ଶନ କରାଯାଇଥିଲା । ଏହି କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନ ଥିଲା । ମଧ୍ୟାନ୍ତର ସୁଦ୍ଧା ଭାରତ ୧-୦ରେ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକତା ବଢ଼ାଇ ଦେଇଥିଲା । ପାଞ୍ଚ ମିନିଟ୍ ମଧ୍ୟରେ ଅଷ୍ଟ୍ରେଲିଆ ଦୁଇଟି ପିସି (୩୨ତମ, ୩୫ତମ) ପାଇଥିଲେହେଁ କୌଣସିଟିରୁ ଗୋଲ୍ ହୋଇ ନ ଥିଲା । କିନ୍ତୁ ୩୭ତମ ମିନିଟ୍ରେ ଏକ ପେନାଲ୍ଟି ଷ୍ଟ୍ରୋକ୍ରୁ ଗୋଲ୍ କରି ନାଥନ୍ ଏଫ୍ରାୟମ୍ସ ସ୍କୋର୍ଲାଇନ୍କୁ ସମାନସ୍ଥିତିକୁ ଆଣିଥିଲେ ।
ଅନ୍ତିମ କ୍ୱାର୍ଟରରେ ଅଗ୍ରଣୀ ପାଇଁ ଜୋର୍ଦାର ଲଢ଼େଇ ଆରମ୍ଭ ହୋଇଥିଲା । ୪୭ତମ ମିନିଟ୍ରେ ସୁଖଜିତ୍ ଏକ ଚିତ୍ତାକର୍ଷକ ଫିଲ୍ଡ ଗୋଲ୍ କରି ଭାରତକୁ ପୁନର୍ବାର ଅଗ୍ରଣୀ କରିଥିଲେ । ଏହାର ପାଞ୍ଚ ମିନିଟ୍ ପରେ ଅଷ୍ଟ୍ରେଲିଆ ପୁଣି ଥରେ ସ୍କୋର୍କୁ ବରାବର ସ୍ଥିତିକୁ ଆଣିଥିଲା । ୫୨ତମ ମିନିଟ୍ରେ ମିଳିଥିବା ପିସିରୁ ଟିମ୍ ହୋୱାର୍ଡ ଗୋଲ୍ କରିଥିଲେ ।
୫୬ତମ ମିନିଟ୍ରେ ସୁଖଜିତ୍ ସିଂହଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା । ପରବର୍ତ୍ତୀ ମିନିଟ୍ରେ ଅଷ୍ଟ୍ରେଲିଆ କ୍ରମାଗତ ତିନି ପିସି ପାଇଥିଲା । କିନ୍ତୁ ଭାରତୀୟ ରକ୍ଷଣପନ୍ଥୀ ସବୁଗୁଡ଼ିକୁ ବିଫଳ କରିଦେଇଥିଲେ । ଶେଷରେ ୨-୨ରେ ସ୍ଥିତିରେ ରହିଥିଲା ମୁକାବିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *