ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ
ଭାରତର ସଫଳ କୂଟନୀତି: ଆମେରିକା ବି ମାନିଲା
ନୂଆଦିଲ୍ଲୀ/ ୱାଶିଂଟନ୍/ ବେଜିଂ (ଏଜେନ୍ସି): ଅରୁଣାଚଳ ପ୍ରଦେଶ ଉପରେ ଚୀନ୍ ଦୀର୍ଘ ସମୟ ଧରି ଦାବି କରିଆସୁଥିବା ବେଳେ ଭାରତ କୂଟନୈତିକ ସ୍ତରରେ ଚୀନ୍କୁ ସଦାସର୍ବଦା ଉଚିତ୍ ଜବାବ ଦେଇଆସିଛି । ଅରୁଣାଚଳକୁ ନେଇ ଚୀନ୍ ବରାବର ଅନ୍ତରାଷ୍ଟ୍ରୀୟ ସମୁଦାୟ ନିକଟରେ ପ୍ରସଙ୍ଗ ଉଠାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଭାରତ ଉପରେ ପଡିନାହିଁ । ତେବେ ଏସବୁ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ମୁକ୍ତ କଣ୍ଠରେ ଅରୁଣାଚଳ ବାସ୍ତବରେ ଭାରତର ଅଭିନ୍ନ ଅଙ୍ଗ ବୋଲି ସ୍ୱୀକାର କରିଛି ।
ଆମେରିକା ସିନେଟ୍ରେ ଆଗତ ଏକ ଦ୍ୱିପାକ୍ଷିକ ପ୍ରସ୍ତାବ ଉପରେ ଏହି ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରାଯାଇଛି । ପ୍ରସ୍ତାବ ଆଗତ କରିଥିବା ଆମେରିକା ସାଂସଦ ବିଲ୍ ହ୍ୟାଗେର୍ଟି ଓ ଜେଫ୍ ମର୍କେଲ୍ କହିଛନ୍ତି, ଅରୁଣାଚଳ ସବୁବେଳେ ଭାରତର ଏକ ଓ ଅଭିନ୍ନ ଅଂଶ ବିଶେଷ ହୋଇ ରହିଆସିଛି । ଚୀନ୍ ହିଁ ଅସତ୍ ଉପାୟରେ ଅରୁଣାଚଳର ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରୁଛି । ଏଥଦ୍ବ୍ୟତୀତ ଆମେରିକୀୟ ସିନେଟରଙ୍କ ଅନୁସାରେ ଚୀନ୍ ଲଗାତାର ଅରୁଣାଚଳ ପ୍ରଦେଶ ଓ ଆଜାଦ୍ ହିନ୍ଦ୍ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଛି । ଏହା ଇଣ୍ଡୋ-ପାସିଫିକ୍ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି । ସୁତରାଂ ଆମେରିକା ନିଜ ବନ୍ଧୁ ରାଷ୍ଟ୍ର ଭାରତ ସହ ଛିଡ଼ା ହେବା ଦରକାର । ଭାରତ ପ୍ରତି ଆମେରିକାର ସମର୍ଥନ ଜାରି ରହିବା ଉଚିତ୍ ।
ମଙ୍ଗଳବାର ଆମେରିକା ସିନେଟ୍ରେ ଏସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସୀମାରେଖାରେ ଚୀନ୍ ସେନାର ସାମରିକ କାର୍ଯ୍ୟ କଳାପକୁ ସର୍ବସମ୍ମତି କ୍ରମେ ତୀବ୍ର ନିନ୍ଦା କରାଯାଇଛି । ଏହାଛଡ଼ା, ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଆମେରିକା-ଭାରତ ସାମରିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସହ ଆମେରିକା “ଭାରତ ପ୍ରତି ସମର୍ଥନ ଜାରି ରଖିବା ନେଇ ସହମତି ପ୍ରକାଶ ପାଇଛି । ୟୁଏସ୍ ସିନେଟ୍ରେ ସର୍ବସମ୍ମତି ସ୍ୱୀକୃତି ହାସଲ କରିଥିବା ଏହି ଦ୍ୱିଦଳୀୟ ପ୍ରସ୍ତାବନାରେ ସବିଶେଷ ଘୋଷଣା କରାଯାଇଛି । ମ୍ୟାକମୋହନ୍ ଲାଇନକୁ ଚୀନ୍ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅନ୍ତର୍ଜାତୀୟ ସୀମା ଭାବେ ଆମେରିକା ସ୍ୱୀକୃତି ଦେବା ସହ ଅରୁଣାଚଳକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସିନେଟର୍ କହିଛନ୍ତି ।